
ବେଙ୍ଗାଲୁରୁ (ବାସ୍ତବ ବ୍ୟୁରୋ)- ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ ଦେଶବାସୀ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସମ୍ପର୍କ ବିଚ୍ଛିନ୍ନ ହୋଇଗଲା | ଚନ୍ଦ୍ରପୃଷ୍ଠରୁ ୨.୧କିମି ଦୂରତାରେ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା | ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମର ସୂକ୍ଷ୍ମ ଅବତରଣ ହୋଇଥିଲେ ଭାରତର ଏହି କ୍ଷେତ୍ରରେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ପଛରେ ପକାଇଥାନ୍ତା | ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ଏହା ଏକ ଆହ୍ୱାନ ଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ କେନ୍ଦ୍ରକୁ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ଯାଇଥିଲେ ଏବଂ ପ୍ରତ୍ୟକ ଭାରତୀୟଙ୍କୁ ଅବତରଣ ସମୟର ମୁହୂର୍ତ୍ତକୁ ଦେଖିବାକୁ ଅନୁରୋଧ କରିବା ସହ ସୋସିଆଲ ମିଡ଼ିଆରେ ଫଟୋ ସେଆର କରିବାକୁ ମଧ୍ୟ କହିଥିଲେ | ବିକ୍ରମ ଅବତରଣ ହେବ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଂଶସା କରି କହିଥିଲେ କଠିନ ପରିଶ୍ରମ କେବେ ବିଫଳ ଯିବ ନାହିଁ | ସେଦିନ ଖୁବ୍ ଶୀଘ୍ର ଆସିବ ଯେବେ ଆମ ବୈଜ୍ଞାନିକମାନଙ୍କ ସଫଳତା ସାରା ବିଶ୍ୱ ଦେଖିବ |
ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋ ଏବେ ଏହାର ଡାଟା ଅନୁଧ୍ୟାନ ଜାରି ରଖିଛି | ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମ ଅନୁଯାୟୀ ଲ୍ୟାଣ୍ଡରର ନାମ ‘ବିକ୍ରମ’ ରହିଛି | ସେ ଇସ୍ରୋର ପ୍ରତିଷ୍ଠା କରିଥିଲେ | ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ | ଚନ୍ଦ୍ରରଏହି ଅଞ୍ଚଳ ଏକ ରହସ୍ୟ ହୋଇ ରହିଆସିଛି | ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ଘନ ଅନ୍ଧକାର ଏବଂ ଏଠାରେ ଜଳ,ଖଣିଜ ପଦାର୍ଥ ରହିଥିବା ଆଶା କରାଯାଉଛି | ଭାରତର ଚନ୍ଦ୍ରଯାନ-୧ ମିସନରୁ ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା | ପୂର୍ବରୁ ରୁଷ୍ ଓ ଆମେରିକା ଚନ୍ଦ୍ରର ଉତ୍ତର ପାର୍ଶ୍ୱରେ ଅବତରଣ କରି ସଫଳତା ହାସଲ କରିଥିଲା କିନ୍ତୁ ଦକ୍ଷିଣ ମେରୁ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅଧିକ ତଥ୍ୟ ମିଳିନାହିଁ | ଦକ୍ଷିଣ ମେରୁରେ ଅବତରଣ ସଫଳ ହୋଇଥିଲେ ଚନ୍ଦ୍ର ସମ୍ପର୍କରେ ଅନେକ ତଥ୍ୟ ଉନ୍ମୋଚିତ ହୋଇଥାନ୍ତା |