ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ) : ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ପାଙ୍ଗଙ୍ଗ୍ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।
ପାଙ୍ଗଙ୍ଗ୍ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି।

ସୂଚନା ଅନୁସାରେ, ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସେନା ସହ ମୁହାଁମୁହିଁ ହୋଇଥିଲା। ଚୀନ ସୈନିକ ମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉଭୟ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ। ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ଏହା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବ୍ରିଗେଡିୟର ସ୍ତରର ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ପୂର୍ବରୁ ୨୦୧୭ ଅଗଷ୍ଟ ୧୫ରେ ଏହି ଅଞ୍ଚଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ।
