ରଥଯାତ୍ରା ଅବ୍ୟବସ୍ଥା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ଇସ୍ତଫା ଦିଅନ୍ତୁ:ବିଜେଡି

ରଥଯାତ୍ରା ଅବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି।
ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ।

ଭୁବନେଶ୍ୱର(ନି.ପ୍ର)୦୨/୦୭: ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ ପୁରୀରେ ରଥଯାତ୍ରାକୁ ନେଇ ବ୍ୟାପକ ଅବ୍ୟବସ୍ଥା ପରେ, ଆଇନ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏହି ଦୁଇ ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ବିଜେଡି କହିଛି।

ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଥିଲେ,ବିଏମସି ଅତିରିକ୍ତ କମିସନରଙ୍କୁ ଅମାନବୀୟ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଓଏଏସ ସଂଘ ସମୂହ ଛୁଟିରେ ଯିବାରୁ ରାଜ୍ୟ ଶାସନ ବ୍ୟବସ୍ଥାରେ ସ୍ଥାଣୁତା ଆସିଛି। ଏହି ଘଟଣା ଓଡିଶାକୁ ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ କରିଥିବା ବେଳେ ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି।

ରାଜ୍ୟ ସରକାର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଘଣ୍ଟ ଘୋଡାଉଛନ୍ତି, ଯାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ଏହି ଘଟଣାରେ ଆଉ ଅଧିକ ଟାଳଟୁଳ ନିତି ଅଵଲମ୍ବନ ନକରି, ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଗିରଫ କରାଯାଉ ବୋଲି ଡ଼ଃ ମହାନ୍ତି କହିଥିଲେ।ସେହିପରି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା , କର୍ଡନ ପାସ ବଣ୍ଟନ, ନନ୍ଦିଘୋଷ ରଥ ଟଣା ନଯାଇ ପାରିବା, ପରେ ସନ୍ଧ୍ୟା ସାତଟା ପଇଁଚାଳିଶ ମିନିଟ ସମୟରେ କେବଳ ଵିଧି ରକ୍ଷା ପାଇଁ ନନ୍ଦିଘୋଷ ରଥକୁ କିଛି ପାଦ ଟାଣିବା, ଶରଧାବାଲିରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହେବା ଇତ୍ୟାଦି ବ୍ୟାପକ ଅବ୍ୟବସ୍ଥା ସରକାରଙ୍କ ବିଫଳତାକୁ ପ୍ରଦର୍ଷିତ କରୁଛି।

ରଥଯାତ୍ରା ଦାୟିତ୍ୱରେ ଥିବା ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବିଫଳତାର ଦାୟିତ୍ୱ ନିଜ ମୁଣ୍ଡକୁ ନେବା ପରିବର୍ତ୍ତେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଅହଂକାର ସ୍ପଷ୍ଟ ପରିଲକ୍ଷିତ ହେଉଛି। ରଥଯାତ୍ରା ବିଫଳତାର ନୈତିକ ଦାୟିତ୍ୱ ନେଇ ସେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

ସେୟାର କରନ୍ତୁ

Next Post

କାଳିଆ କରୁଛି ଲୀଳା ବଡ଼ ଦାଣ୍ଡରେ : କଥାବାଚକ ମନୋଜ ପ୍ରଧାନ

Wed Jul 2 , 2025
ସଂଜୟ ଶତପଥୀ(କଟକ)୨।୭ : ଭକ୍ତିରେ ବନ୍ଧା, ଭାବରେ ଛନ୍ଦା । ତାଙ୍କରି ଯାତ୍ରାକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହେଉଅଛି ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫ । ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଷଷ୍ଠ ସନ୍ଧ୍ୟାରେ,ଉଦଘାଟକ ଭାବେ କଟକ ଡିସିପି ରିଷିକେଶ ଖିଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, […]

You May Like

Pin It on Pinterest