ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।
ଏହି ଅର୍ଥ ଦ୍ବାରା ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡା, ଝାରସୁଗୁଡା, ବୌଦ୍ଧ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣାଯାଇଛି । ଭେଣ୍ଟିଲେଟର, ଅକ୍ସିଜେନ୍ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍, ଅକ୍ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା ଏହି ଜିଲ୍ଲାଗୁଡିକରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରି କହିଛନ୍ତି ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବ ଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ । ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଦେଇଛନ୍ତି । ଆଗଧାଡିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।