ଆଜି (ରବିବାର) ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଠାରେ ସର୍ଚ୍ଚ ଅପରେସନ ବେଳେ ୩ଟି ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରି ଦେଇଛନ୍ତି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୧୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୩୬୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୮୯୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷ ରୁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର , ଭଦ୍ରକ , ବାଲେଶ୍ବର, କେନ୍ଦ୍ରପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥବାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର , କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର , କୋରାପୁଟ, ନବରଙ୍ଗପୁର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଯୋଗୁଁ ଏହି ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ବାବନା ରହିଛି।
ଦୁର୍ଗମ ଅଞ୍ଚଳକୁ ଡ୍ରୋନ୍ ସାହାଯ୍ୟରେ ପଠାଯିବ କରୋନା ଟିକା । ବର୍ତ୍ତମାନ ସରକାର ଏହି ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ସୂଚନାନୁଯାୟୀ, ଡ୍ରୋନ୍ ମାଧ୍ୟମରେ କରୋନା ଟିକା ବିତରଣ କରିବାର ସଂକଳ୍ପ ଉପରେ ବର୍ତ୍ତମାନ କେବଳ ତେଲେଙ୍ଗାନା କାର୍ଯ୍ୟ କରୁଛି ।
ରାଜଧାନୀରେ କରୋନା ସଂକ୍ରମଣ ଲଗାତାର କମ ହେବା ଏବଂ ଏଠାକାର ସ୍ଥିତିରେ ସୁଧାର ଆସିଥିବାରୁ ଅଧିକାରୀଙ୍କ ଦ୍ୱାରା ଆଗାମୀ ସପ୍ତାହରେ ସେଲୁନ ଓ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିପାରେ । ସୂତ୍ର ଅନୁସାରେ ଦିଲ୍ଲୀ ସରକାର ଆଗାମୀ ସପ୍ତାହରୁ ସେଲୁନ ଓ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରିପାରନ୍ତି । ଏହା ବ୍ୟତୀତ ଜିମ, ସିନେମାହଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ବିଚାର କରିବେ । ସରକାର ଲକଡାଉନକୁ ବିଭିନ୍ନ ପର୍ଯ୍ୟାୟରେ ଗତ ମେ’ ୩୧ରୁ କୋହଳ କରୁଛନ୍ତି ।
ପୈଙ୍ଗଙ୍ଗ ହ୍ରଦରେ ନିୟୋଜିତ ଥିବା ଭାରତୀୟ ସେନାକୁ ୨୯ଟି ଡଙ୍ଗା ପ୍ରଦାନ କରାଯିବ । ଆସନ୍ତା କିଛି ମାସ ମଧ୍ୟରେ ଏହି ସବୁ ବିତରଣ କରାଯିବ । ସେଥିମଧ୍ୟରୁ ୧୨ଟି ଡଙ୍ଗା ନଜର ରଖିବା ଏବଂ ପାଟ୍ରୋଲିଂ ପାଇଁ ବ୍ୟବହୃତ ହେବ । ସୈନିକଙ୍କୁ ପରିବହନ ପାଇଁ ୧୭ ଟି ଡଙ୍ଗା ବ୍ୟବହାର କରାଯିବ । ସୂଚନାନୁଯାୟୀ, ସୈନ୍ୟମାନେ ମନିଟରିଂ ବ୍ୟତୀତ ଏହି ଡଙ୍ଗା ସହିତ ହ୍ରଦ ପାର ହୋଇ ପାରିବେ । ସେନାକୁ ଦୁଇ ପ୍ରକାର ଡଙ୍ଗା ଦରକାର । ଗୋଟିଏ ପାଟ୍ରୋଲିଂ ଏବଂ ଅନ୍ୟଟି ସର୍ଭେଲାନ୍ସ ପାଇଁ । ଯେଉଁଥିରେ ସୈନ୍ୟଙ୍କୁ ପରିବହନରେ ସମୟ କମ୍ ଲାଗିବ ।
ସୋମବାର ଠାରୁ ରାଜସ୍ଥାନର ବିକାନେରରେ ଆରମ୍ଭ ହେବାକୁ ଯାଉଛି ଡୋର ଟୁ ଡୋର ଟିକାକରଣ । ଆଉ ଏହା ହେବାରେ ଦେଶର ପ୍ରଥମ ସହର ହେବାକୁ ଯାଉଛି ବିକାନେର୍ । ଏହା ଅଧୀନରେ ୪୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଏହି ଟିକା ଦିଆଯିବ । ଲୋକଙ୍କୁ ଘରେ ଯାଇ ଟିକା ପହଞ୍ଚାଇବା ପାଇଁ ମୋବାଇଲ୍ ଟିମ୍ ମଧ୍ୟ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ହେଲ୍ପଲାଇନ ନମ୍ବର ଜାରି କରିଛି ।
ଫିଲ୍ମ ନିର୍ମାତା ଆୟଶା ସୁଲତାନାଙ୍କ ବିରୋଧରେ ରାଜଦ୍ରୋହ କେସ୍ ରୁଜୁ ହେବା ପରେ ବିଜେପିର ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲାକ୍ଷାଦ୍ୱୀପରେ ୧୫ ବିଜେପି ନେତା ଆୟଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଲାକ୍ଷାଦ୍ୱୀପ ବିଜେପି ସଭାପତି ସି ଅବ୍ଦୁଲ ଖାଦର ହାଜୀଙ୍କ ଅଭିଯୋଗ ପରେ ଆୟଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଜି -7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପିଏମ ମୋଦୀ ‘ୱାନ ଆର୍ଥ ୱାନ ହେଲଥ’ର ମନ୍ତ୍ର ଦେଇଥିଲେ । ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଏହି ସମୟରେ ପିଏମ ମୋଦୀଙ୍କୁ ପ୍ରଶଂସା କରିଥିଲେ । ତାଙ୍କ ଚିନ୍ତାଧାରାକୁ ସେ ସମର୍ଥନ କରିଥିଲେ ।
ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ର ରାଜଧାନୀ ଅଷ୍ଟିନ୍, ଚିକାକୋ ଏବଂ ଜର୍ଜିଆର ସାଭାନ୍ନାରେ ସଙ୍ଗଠିତ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୩୦ଜଣ ଆହତ ହୋଇଥିବା କଥା ଶନିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । କୋଭିଡ୍-୧୯ କଟକଣା କୋହଳ ହେତୁ ଅବାଧ ଜନସମାଗମ ହେଉଥିବା ବେଳେ ଏଭଳି ଗୁଳିକାଣ୍ଡଜନିତ ହିଂସା ଗ୍ରୀଷ୍ମକାଳ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସେମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ନାଇଜେରିଆର ଉତ୍ତର-ପଶ୍ଚିମ ରାଜ୍ୟ ଜାମଫାରାରେ ଚୋରମାନେ ୫୩ ଜଣଙ୍କୁ ହତ୍ୟା କରିଛନ୍ତି । ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀମାନେ ମୋଟରସାଇକେଲ ଯୋଗେ ଆସି ଜୁର୍ମି ଜିଲ୍ଲାର ୬ଟି ଭିନ୍ନ ଭିନ୍ନ ଗାଁର ଚାଷୀଙ୍କୁ ଆକ୍ରମଣ କରିଥିଲେ ।