
ବାସ୍ତବବ୍ୟୁରୋ: (ଚାନ୍ଦବାଲି) ୧୫\୬\୨୧-ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହେବା ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ୨ୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା। ତାହାସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢି ପିନ୍ଧାଯାଇଥିଲା।
ସେପଟେ ବରପିତା ଓ କନ୍ଯାପିତାଙ୍କ ଘରକୁ ସୋମବାର ବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଲୋକାଚାରରେ ମହିଳାମାନେ ମଙ୍ଗୁଳା କାର୍ଯ୍ଯ କରିଛନ୍ତି। ବିବାହ ପୂର୍ବରୁ ପାର୍ବତୀଙ୍କର ଭ୍ରାତା ଭାବେ ପବନସୁତ ହନୁମାନ ବରଧରା ହୋଇ ବରଘର ଅଭିମୁଖେ ବାହାରିଛନ୍ତି। ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି।
ପୂର୍ବପରି ବାଜା, ବାଣ ଓ ରୋଷଣୀ ଉପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲାଗିଥିବାରୁ ମାଙ୍ଗଳିକ ବାଦ୍ଯ ଓ ଘଣ୍ଟଘଣ୍ଟା ଦ୍ବାରା ମନ୍ଦିର ବେଢା ପରିକ୍ରମା କରାଯାଇ ବରଘରେ ପହଁଚିବ। ସେଠାରେ ବୈଦିକ ରୀତିନୀତିରେ ବରଧରା ବରଣୀ କାର୍ଯ୍ଯ କରାଯିବା ପରେ ବରାନୁଗମନ ଶୋଭାଯାତ୍ରା କନ୍ଯାଘର ଅଭିମୁଖେ ବାହାରିବ। ମହାମାରୀ କରୋନାର ଭୟଭୟତାକୁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ବ୍ଯାପକ ପୋଲିସ ମୃତୟନ କରାଯାଇଛି ।


