
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କରୋନା ଯୁଧ୍ୟରେ ହାରିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। ସେ କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍ ଲେବଲ୍ କମିବାରେ ଲାଗି ଥିଲା,ଏଥିପାଇଁ ତାଙ୍କର ଆଇସିୟୁରେ ଭର୍ତି କରାଯାଇଥିଲା ।ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ନ ଆସିବାରୁ, ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଶନିବାର ତପୁ ମିଶ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି କଳାଜଗତ ।
‘କୁଳନନ୍ଦନ’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଏହି ସୁନାମଧନ୍ୟ ଗାୟିକା ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହି ସମୟରେ ତାଙ୍କ ଫୁସଫୁସ କୋଭିଡର ଦ୍ୱାରା ସଂକ୍ରମିତ ହୋଇଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଇକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ। ଏ ନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା। ସେହିପରି ତପୁଙ୍କ ଫ୍ୟାନ ଏବଂ ସିନେ କଳାକାର ମାନେ ତପୁଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ହେଲେ ତପୁ କିନ୍ତୁ ସବୁ ଚେଷ୍ଟା ପ୍ରଚେଷ୍ଟାକୁ ପଛରେ ପକାଇ ଅସମୟରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଚାଲିଗଲେ ଆର ପାରିକୁ



