ଆଜି ଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ସୋମବାର ୧୧ଟି ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ରହିପାରେ : ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।
ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍ ରହୁଛି । ତଥାପି ଆମକୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଆମେ ଟିକାକରଣ କରିବୁ । ଟିକାକରଣ ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ଆମେ ବି ପ୍ରସ୍ତୁତ ହୋଇ ରହିଛୁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କେନ୍ଦ୍ର ସରକାରଙ୍କର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଷ୍ଟେରଏଡ ବ୍ୟବହାର ହେବ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଆଜି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ ବିଧି । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୦୫୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୬୩୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୦୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜିଠୁ କ୍ୟାମ୍ପେନ ମୋଡ୍ ରେ ଟିକାକରଣ ହେବ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ କରାଯିବ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ମିଳିବ । ପଞ୍ଜିକରଣ କଲେ ନହେଲେ ସିଧାସଳଖ ଆସିଲେ ବି ଟୀକା ଦିଆଯିବ । ରାଜ୍ୟରେ ଦୈନିକ ୩ ଲକ୍ଷ ଟିକା କରଣ କରିବା ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୨୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୨୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୯ଲକ୍ଷ ୩୫ ହଜାର ୨୨୧ରେ ପହଞ୍ଚିଛି ।
ଆଜିଠୁ ଦିଲ୍ଲୀରେ ଅନଲକ୍-୪ । ଆଜିଠୁ ରାଜଧାନୀବାସୀଙ୍କ ପାଇଁ ଖୋଲିବ ପବ୍ଲିକ୍ ପାର୍କ ଓ ବାର୍ । DDMA କହିଛି ଯେ ବାରଗୁଡିକ ମଧ୍ୟାହ୍ନ ୧୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ । ରେଷ୍ଟୁରାଣ୍ଟ ଏବଂ ବାର୍ ମାଲିକମାନଙ୍କୁ COVID ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଆନ୍ତର୍ଜାତିକ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଏହି ଅବସରରେ ସମସ୍ତ ସାମାଜିକ ଦୂରତ୍ବ ନିୟମ ମାନି ଘରେ ପରିବାର ଲୋକଙ୍କ ସହିତ ଯୋଗ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏ ବର୍ଷ ଯୋଗ ଦିବସର ଥିମ୍ ‘ୟୋଗା ଫର ୱେଲନେସ୍’ ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୭ କୋଟି ୯୨ ଲକ୍ଷ ୩୯ ହଜାର ୬୫୯ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୮ ଲକ୍ଷ ୮୧ ହଜାର ୪୪୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୩୭ ଲକ୍ଷ ୯୪ ହଜାର ୨୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୫ ଲକ୍ଷ ୬୩ ହଜାର ୯୯୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆମେରିକା ସୀମା ନିକଟବର୍ତ୍ତୀ ମେକ୍ସିକୋ ସହରର ରେନୋସାରେ ଅନେକ ଗାଡିକୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ମଧ୍ୟ ଗୁଳିମାଡ କରିଛନ୍ତି । ଏହି ହିଂସାକାଣ୍ଡରେ ଅତିକମରେ ୧୮ ଜଣ ପ୍ରାଣ ହରାଇଛନ୍ତି ।



