
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏକ ପ୍ରତିନିଧି ମଣ୍ଡଳ ରବିବାର ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତର ଭାଲୁଚୁଆଁ ଗାଁରେ ପହଞ୍ଚି ସେଠାରେ ଥିବା ୧୧ଜଣ ଦିବ୍ୟାଙ୍ଗ ଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ଭାଲୁଚୁଆଁ ଗାଁରେ ପହଞ୍ଚି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତେବେ କେଉଁ କାରଣ ଯୋଗୁଁ ଏହି ଗାଁରେ ଏତେ ସଂଖ୍ୟାରେ ଶିଶୁ ଦିବ୍ୟାଙ୍ଗ ହେଉଛନ୍ତି ତାହାର କାରଣ ଖୋଜି ନିରାକାରଣ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ ଜିଲ୍ଲା ଯୁବ ଯାଦବ ମହାସଭା ।

ଏହି ଶିଶୁ ମାନଙ୍କ ମଧ୍ୟରୁ କେତେକ ବିକଳାଙ୍ଗ ଭତ୍ତା ପାଇ ନଥିବାରୁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି । ଏହା ସହ ଏହି ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ସରକାରୀ ସହାୟତା ଓ ଥଇଥାନର ବ୍ୟବସ୍ଥା କରିବାକୁ ଧର୍ମଗଡ଼ ବିଧାୟକଙ୍କ ସହ ଏହି ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ରିଲିଫ କିଟ୍ ପ୍ରଦାନ କରାଯାଇଥିଲା ।

ଏଥିରେ ଜିଲ୍ଲା ଯୁବ ଯାଦବ ମହାସଭା ଉପ-ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ୱର ଲହଜଲ, ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଜୁଏଡ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ଧଅଁରପୁର ସରପଞ୍ଚ ଜଗତଶ୍ୟାମ ଜୁଏଡ ପ୍ରମୁଖ ଉପସ୍ଥିତ ଥିଲେ ।