ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲା ର କୋଦଳା ନିକଟସ୍ଥ କିନାରୀ ରାସ୍ତା କଡରେ କିଛି କୁକୁଡା ପୋତା ହୋଇଥିବା ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁଯାଇ ଆଜି ଉକ୍ତ ଅଞ୍ଚଳର ଲୋକେ ଦୁର୍ଗନ୍ଧ ହେଉଥିବା ନେଇ କୋଦଳା ପୋଲିସକୁ ଜଣାଇଥିଲେ। ପ୍ରଥମେ କୌଣସି ଶବକୁ ନେଇ ଦୁର୍ଗନ୍ଧ ହେଉଥିବା ଅନୁମାନ କରାଯାଉଥିବା ବେଳେ ପରେ ପୋଲିସ ପହଞ୍ଚି ଏନେଇ ତନାଘନା କରିଥିଲେ। ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଅନୁସନ୍ଧାନ କରି ପୋଲିସ ପହଞ୍ଚି ଏହାର କାରଣ ଖୋଜିଥିଲା । ତେବେ ଉକ୍ତ ସ୍ଥାନରେ ବହୁ ପରିମାଣର କୁକୁଡା ପୋତା ଯାଇଥିବା ଦେଖିବାକୁ ମିଳିଥିଲା।
ପରେ କୋଦଳା ଏନଏସି ସଫେଇ କର୍ମଚାରୀଙ୍କ ସହଯୋଗରେ କିଛି ପୋତା କୁକୁଡା ଉଧ୍ଯାର କରାଯାଇଥିବା ବେଳେ ଏହାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛି କୋଦଳା ପୋଲିସ। ଅପରପକ୍ଷେ କୁକୁଡା ପୋତା ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ର ଆତଙ୍କ ଦେଖା ଦେଇଛି। ତେବେ କିଏ ଏହି କୁକୁଡା ପୋତିଲା, ଏହି କୁକୁଡା ଗୁଡିକ କେଉଁ ଫାର୍ମର ଏବଂ କଣ ଏହାର କାରଣ ରହିଛି ସେ ନେଇ ଅନୁସନ୍ଧାନ କରୁଛି କୋଦଳା ଥାନା ପୋଲିସ୍ ା