
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ମାଲିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଓ ସେମାନେ ଜେଲ ଯାଇଥିବା ଘଟଣା ମନରେ ନଲିଭୁଣୁ , ବର୍ତ୍ତମାନ ସେହି ଗ୍ରାମପଞ୍ଚାୟତର ସାରଦାପାସ ଗ୍ରାମର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଏହି ବ୍ଲକକୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସୁନଥିବାରୁ ଏଠାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ତାଙ୍କ ମନ ମୁତାବକ କାର୍ଯ୍ୟ କରୁଛନ୍ତି ।ଏଥିରେ ସ୍ଥାନୀୟ ଲୋକେ କାମ କରୁଥିବା ବେଳେ, ଚଂଚକତା କରି ନବରଙ୍ଗପୁର ଅଞ୍ଚଳର କିଛୁ ବ୍ୟକ୍ତିଙ୍କ ଆକାଉଣ୍ଟରେ ମଜୁରୀ ଜମା କରାଯାଉଛି । ଏନେଇ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ମିଳିଥିବା ସୂଚନା ମୁତାବକ ମାଲିଗାଁ ଗ୍ରାମପଞ୍ଚାୟତ ଅଧିନ ସାରଦାଫାସର ଭାଲୁଘାଟି ଡଙ୍ଗରରେ ୧୦ ହେକ୍ଟର ଜମିରେ ଜଳ ସଂରକ୍ଷଣ ନିମନ୍ତେ ଏକ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ,କାର୍ଯ୍ୟ ବାବଦକୁ ୩୪ ଜଣ ଶ୍ରମିକ ନିୟୋଜିତ କରି ପ୍ରାୟ ୬ ଲକ୍ଷ ଟଙ୍କା ମଜୁରୀ ପୈଠ କରାଯାଇଛି । ଏହି କାର୍ଯ୍ୟ ଲାଗି ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲେ ସୁଦ୍ଧା GRS ଆଦବାରୁ ମାଝୀ ସମେତ ଗାଁ ସାଥି ଓ କମ୍ୟୁନିଟି ମୋବିଲାଇଜ଼ର ଙ୍କ ମଧୁଚନ୍ଦ୍ରିକାରେ ଚଂଚକତା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ଏଥିରେ ପ୍ରକୃତ ଜବକାର୍ଡ ଧାରୀ କାମ ପାଇନଥିବା ବେଳେ , ଯୋଜନା ବଦ୍ଧ ଭାବେ ପଡୋଶୀ ନବରଙ୍ଗପୁର ଜିଲ୍ଲାରେ ବାସ କରୁଥିବା ନିଜ ସମ୍ପର୍କୀୟଙ୍କ ନାମରେ ଜବକାର୍ଡ ତିଆରି କରି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ଜଣାପଡ଼ିଛି । ଏପରିକି ମଜୁରୀ ପାଇଥିବା କିଛି ଶ୍ରମିକ ଦୀର୍ଘ ଦିନ ହେବ ମୃତ୍ୟୁବରଣ କରିଥିବା ବେଳେ , ସେମାନଙ୍କ ଜମାଖାତା ଓ ATM କାର୍ଡ ରଖି ଟଙ୍କା ଉଠାଣ କରୁଥିବା ଅଭିଯୋଗ ହୋଇଛି ।
ତେଣୁ ଜିଲ୍ଲା ପ୍ରଶାସନ ଏହାର ସତ୍ୟା ସତ୍ୟ ଅନୁସନ୍ଧାନ କରି ମନରେଗା ଦୁର୍ନୀତିର ତଦନ୍ତ କଲେ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଆଲୁ ଖୋଳୁ ଖୋଳୁ ସାରୁ ବାହାରିବ ବୋଲି ଜନ ସାଧାରଣରେ ଦାବୀ ହୋଇଛି ।