
ବାସ୍ତବବ୍ୟୁରୋ:(ଗଞ୍ଜାମ) ଏବେ ଗଞ୍ଜାମ ଜିଲ୍ଲାରେ ଟିକାକରଣ ଜୋରଦାର ଚାଲିଛି । ଦୈନିକ ୫୦ ହଜାର ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହରି କୁ ଆଖିରେ ରଖି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଗଂଜାମ ଜିିଲ୍ଲାପାଳ ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ।

ଦୋକାନୀମାନେ ଟିକା ନେବାପରେ, ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର କୁ ଦୋକାନ ସମ୍ମୁଖରେ ଲଗାଇବା କୁ ବାଧ୍ୟତାମୂଳକ କରାଯାଇଛି । ହେଲେ ଯେଉଁ ଦୋକାନୀ ଏହି ପ୍ରମାଣ ପତ୍ର ଲଗାଇବେ ନାହିଁ ଉକ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । କୋଭିଡ୍ ସଖୀ ଓ ସ୍ଵାସ୍ଥ୍ୟସାଥୀ ଆସନ୍ତା ୧ ତାରିଖରୁ ଏହି ଯାଞ୍ଚ କଡାକଡି କରିବେ ।

ଏଥିସହ ଦୋକାନରେ ଗହଳି କିମ୍ବା ପଞ୍ଚସୂତୀ ନିୟମ ମାନୁଛନ୍ତି କି ନାହିଁ ତାର ମଧ୍ୟ ଯାଞ୍ଚ ହେବ । ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପକୁ ବିଭିନ୍ନ ଦୋକାନୀମାନେ ମଧ୍ୟ ସ୍ଵାଗତ କରିଛନ୍ତି । ସହରରେ ଏବେ ଦୋକାନୀମାନେ ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର କୁ ଲଗାଉଛନ୍ତି ା କିଛି ଦୋକାନୀମାନେ ମଧ୍ୟ ଟିକା ନେଇନଥିବା ଜଣାପଡିଛି । ସେମାନଙ୍କୁ ବିଭିନ୍ନ ବ୍ୟବସାୟ ସଂଘ ପକ୍ଷରୁ ଟିକା ନେଇ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଲଗାଇବାକୁ କୁହାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।