ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୭୦୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅକ୍ସିଜେନ ଅଭାବରୁ ଯେପରି କେହି ମୃତାହତ ନ ହୁଅନ୍ତି ସେଥିନିମନ୍ତେ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାପନ କରାଯାଉଛି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ପର୍ବରୁ ୨୩ଟି ଜିଲ୍ଲାରେ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଆଉ ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏବେ ଅବଶିଷ୍ଟ ୭ଟି ଜିଲ୍ଲାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭାରିଏଣ୍ଟକୁ ମାରାତ୍ମକ ବୋଲି କହିନାହିଁ । ଡେଲଟା ପ୍ଲସ୍ ସଂକ୍ରମିତ ସଂଖ୍ୟା କମ୍ ଅଛି। ରାଜ୍ୟରେ ସଂକ୍ରମିତ ମାମଲା ହ୍ରାସ ପାଉଛି, ତେଣୁ ଡେଲଟା ପ୍ଲସ ଭୟାବହତା ସେତେ ନାହିଁ। ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଦୁଇଟି ଡୋଜ୍ ଟିକା ନେଇ ସଂକ୍ରମିତ ହେଲେ ମେଡିକାଲ ଯିବାର ଆବଶ୍ୟକତା ନାହିଁ। ଗୋଟିଏ ଡୋଜ୍ ନେବାପରେ ଶରୀରରେ ୭୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି । ଆଗକୁ ରାଜ୍ୟରେ ସଂକ୍ରମଣ ହାର ଆହୁରି କମିବ ଓ ଲକଡାଉନରୁ ରାଜ୍ୟ ମୁକ୍ତି ପାଇବ : ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କ ରହିବା ପାଇଁ କୁହାଯାଇଛି।
ଆଜି ମହାନଦୀ ଜଳବିବାଦକୁ ନେଇ ଭର୍ଚୁଆଲରେ ଶୁଣାଣି କରିବେ ଟ୍ରିବ୍ୟୁନାଲ । ଓଡ଼ିଶା -ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ . ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଆଜି ୨୧ତମ ଶୁଣାଣି ହେବ ।
ଏଥର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରିଛି ବୋର୍ଡ ।
ପ୍ରକାଶିତ ରେଜଲ୍ଟକୁ ନେଇ ଯ଼ଦି କେହି ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିବେ ସେମାନଙ୍କ ପଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ର ବ୍ୟବସ୍ଥା ରହିଛି । ମାତ୍ର ଉକ୍ତ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥାରେ ବୋର୍ଡ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରିଛି । କୌଣସି ପରୀକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ନିର୍ଦ୍ଦିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ଉକ୍ତ ପରୀକ୍ଷାରେ ଯାହା ଫଳାଫଳ ବାହାରିବ ତାହାହିଁ ଚୂଡ଼ାନ୍ତ ହେବ : ବୋର୍ଡ କର୍ତ୍ତୃପକ୍ଷ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୬୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧ ଲକ୍ଷ ୮୩ ହଜାର ୧୪୩ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ରେ ପହଞ୍ଚିଥିବା ବେଳେ ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୯୫୫୬୫।
ଆଜି(ଶନିବାର) ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଅଯୋଧ୍ୟା ସହରର ବିକାଶ ପାଇଁ ୩୦୦ କିଲୋମିଟର ରିଙ୍ଗ ରୋଡ ରାସ୍ତା ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ର ସମୀକ୍ଷା କରିବେ ମୋଦୀ । ଏହି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବ । ମୋଦି ଓ ଯୋଗୀଙ୍କ ବ୍ୟତୀତ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।
ଦେଶର ଅନେକ ରାଜ୍ୟରେ ଡେଲଟା ପ୍ଲସ୍ ପ୍ରକାରର ମାମଲା ସାମ୍ନାକୁ ଆସିଲାଣି । ଡେଲଟା ପ୍ଲସର ବଢୁଥିବା ମାମଲା ତୃତୀୟ ଲହରର କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି । ଏହାରି ଭିତରେ ରାଜସ୍ଥାନର ବିକାନେରରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାରେ ୬୫ବର୍ଷର ବୃଦ୍ଧାଙ୍କଠାରେ ଏକ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୮ କୋଟି ୧୧ ଲକ୍ଷ ୫୮ ହଜାର ୯୪୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୨୪ ହଜାର ୩୯୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୫୭ ଲକ୍ଷ ୪୫ ହଜାର ୮୪୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୮୮ ହଜାର ୭୦୨ ଜଣ ଲୋକ ସକ୍ରିୟ ଅଛନ୍ତି ।
ସମଗ୍ର ବିଶ୍ବରେ ‘ଡେଲ୍ଟା ଭେରିଆଣ୍ଟ୍’ ବିସ୍ତାର ଲାଭ କରୁଥିବା ବେଳେ ବିଗତ ସପ୍ତାହ ତୁଳନାରେ ଗତ ସପ୍ତାହରେ ନୂତନ ସଂକ୍ରମଣ ଏବଂ ମୃତ୍ୟୁ ହାର ପ୍ରାୟ ୪୦% ବୃଦ୍ଧି ପାଇଥିବା ଆଫ୍ରିକାର ପରିସ୍ଥିତି ଅତି ବିପଜ୍ଜନକ : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଅଧାନମ୍ ଗେବ୍ରେସିୟସ୍ ।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚାଇନା ର କରୋନା ଟିକା ସିନୋଭାକ୍ ନେବା ପରେ ଗୁରୁତର ହୋଇଛନ୍ତି ଇଣ୍ଡୋନେସିଆର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ନିୟୋଜିତ ଥିଲେ। ଏମିତିକି କିଛି ଡାକ୍ତରଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ସିନୋଭାକ ର ଡବଲ ଡୋଜ ନେବା ପରେ ଏଯାବତ ୨୦ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଖାଲି ଏତିକି ନୁହେଁ ୫ ମାସ ପୂର୍ବରୁ ଟିକା ନେବା ପରେ ୩୧ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।