ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବାପୁଜୀନଗର ଏବଂ ୟୁନିଟ୍-୪ ଆମିଷ ମାର୍କେଟ ବନ୍ଦ ଅବଧିକୁ ଜୁଲାଇ ୧ ଯାଏ ବଢ଼ାଇ ଦିଆଯାଇଛି । ଏନେଇ ବିଏମ୍ସି ପକ୍ଷରୁ ନୋଟିସ ଜାରି କରାଯାଇଛି । କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୦୪୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ବଜ୍ରପାତ ସହ ବର୍ଷା ପାଇଁ ୨୦ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏହି ୨୦ ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ।
ରାଜଧାନୀ ର ୟୁନିଟ୍ ୫ଏସଆଇବି ରେସିଡେନସିଆଲ କଲୋନି ଓ ୱାର୍ଡ ନଂ-୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍ଟା ଛକ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏସଆଇବି କଲୋନିରେ ଥିବା ୫ଟି ଆବାସିକ ଆପାର୍ଟମେଣ୍ଟ କମ୍ପେକ୍ସର ୨୫ଟି କ୍ବାର୍ଟର୍ସରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଏମସି ପୁରା କଲୋନିକୁ ସିଲ୍ କରିଛି। ପୂରା ଅଞ୍ଚଳକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତଙ୍କ କୋଭିଡ ପରୀକ୍ଷା କରାଯିବ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨ ଲକ୍ଷ ୩୩ ହଜାର ୧୮୩ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୨ ଲକ୍ଷ ୫୧ ହଜାର ୨୯ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୮୬୪୦୩ ।
ଜାମ୍ମୁ କାଶ୍ମୀରରେ ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍’ରେ ଦୁଇଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିବା ପରେ ଆଜି ସକାଳୁ ବୋମା ନିଷ୍କ୍ରିୟକାରୀ ଏବଂ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣରେ କେହି ଆହତ ହୋଇଥିବାର ସୂଚନା ମିଳି ନ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି ।
ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକାରେ କରୋନାର ଡେଲ୍ଟା ପ୍ରକାରର ମାମଲା ମଧ୍ୟ ବୃଦ୍ଧି ପାଉଛି । ଏଠାରେ କରୋନାର ତୃତୀୟ ଲହର ସୃଷ୍ଟି ହେଲାଣି । କାର୍ଯ୍ୟକାରୀ ସ୍ୱାସ୍ଥ୍ୟମନ୍ତ୍ରୀ ମାମାମୋଲୋକୋ କୁବାଇ-ନଗୁବାନେ କହିଛନ୍ତି, “କରୋନାର ତୃତୀୟ ଲହରରେ ପରିସ୍ଥିତି ଦ୍ୱିତୀୟ ଅପେକ୍ଷା ଅଧିକ ଖରାପ ହୋଇପାରେ । ଡେଲଟା ଭାରିଆଣ୍ଟ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ସୃଷ୍ଟି କରିପାରେ ।”
ବିଶ୍ୱରେ ୧୮ କୋଟି ୧୫ ଲକ୍ଷ ୩୦ ହଜାର ୭୪୮ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୩୨ ହଜାର ୨୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୬୦ ଲକ୍ଷ ୬୧ ହଜାର ୪୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୫ ଲକ୍ଷ ୩୭ ହଜାର ୫୭ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆମେରିକାର ଫ୍ଲୋରିଡାର ମିଆମି ସାଗର ନିକଟରେ ଏକ ୧୨ ମହଲା ବିଲ୍ଡିଂ ଭୁଶୁଡି ପଡିଲା । ୫ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ଜଣ ନିଖୋଜ ହୋଇଛନ୍ତି । ୫ ଜଣଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କରୋନା ଭାଇରସ୍ର ‘ଡେଲ୍ଟା+ ଭେରିଆଣ୍ଟ୍’କୁ ଟିକାକରଣ ଏବଂ ଫେସ୍ମାସ୍କ୍ ପିନ୍ଧିବା ଭଳି ସତର୍କତାମୂଳକ ପଦକ୍ଷେପଦ୍ବାରା ପ୍ରତିହତ କରାଯିବା ଉଚିତ ବୋଲି ରୁଷ୍ ସ୍ଥିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ମିଲିତା ଭୁଜ୍ନୋଭିକ୍ ‘ୟୁଟ୍ୟୁବ୍ ଲାଇଭ୍’ରେ କହିଛନ୍ତି ।



