ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୩୭୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୨୪୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୭୪୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି ପୁଣି ଭୁବନେଶ୍ବରରେ ବିଭିନ୍ନ ମାର୍କେଟରେ କୋଭିଡ୍ କଟକଣାକୁ ଉଲଂଘନ ଅଭିଯୋଗରେ ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ବିଏମସିର ୩ଟି ଯାକ ଜୋନରେ ପୋଲିସ ସହାୟତାରେ ଚଢାଉ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡାକଡି କରାଯାଇଛି। ନର୍ଥ ଜୋନରେ ବହୁ ଓମଫେଡ୍ ଦୋକାନକୁ ସିଲ୍ କରାଯିବା ସହ ଫାଇନ୍ ଆଦାୟ ହୋଇଛି । ପୁରୀ ରୋଡରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କଠାରୁ ଜରିମନା ଆଦାୟ କରାଯାଇଛି। ବାପୁଜୀନଗରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ ସିଲ୍‌ । ସେହିଭଳି ଅଶୋକନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୋଲିସ ।

କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ଭୁବନେଶ୍ୱର ଏମ୍ସ ଓପିଡି ଆଜିଠାରୁ ଖୋଲିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

 ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ତେବେ ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ୟୁଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ ଲାଇନ୍ ରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ଭାବ୍ୟ ପରୀକ୍ଷା ତାରିଖ ସହ ଫର୍ମ ପୂରଣ ତାରିଖ ଘୋଷଣା କରାଯାଇଛି । ଆଜି ଠାରୁ ଏ ନେଇ ବିଶ୍ବବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ନେଇ ଭର୍ଚୁଆଲ ବୈଠକ କରାଯିବ।ୟୁଜି ଶେଷ ସେମିଷ୍ଟର ରେଗୁଲାର ଓ ବ୍ୟାକ୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଜୁଲାଇ ୨ରୁ ୧୩ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ, ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର ବ୍ୟାକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଜୁଲାଇ ୧୨ରୁ ୨୨ ମଧ୍ୟରେ କରାଯିବ ।

ଆଜି (ସୋମବାର) ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏଥିରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ । ଭର୍ଚୁଆଲ ମୋଡ୍ ରେ ହେବ ଏହି ବୈଠକ । ରାଜ୍ୟର ସବୁ ସାଂସଦ, ବିଧାୟକ ଓ ସବୁ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ରହିବେ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬୧୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୭୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨ ଲକ୍ଷ  ୭୯ ହଜାର ୩୩୧ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୬୦୭ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୭୨୯୯୪।

କରୋନାର ଡେଲଟା ପ୍ଲସ୍ ଷ୍ଟ୍ରେନ୍ କୁ ନେଇ ନ୍ୟାଶନାଲ ଆଡଭାଇଜାରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ବା ଏନଟିଏଜିଆଇ ଏକ ବଡ ଖୁଲାସା କରିଛି । ଏନଟିଏଜିଆଇ ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ, କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଅତିଶୀଘ୍ର ଫୁସଫୁସକୁ ସଂକ୍ରମିତ କରିଥାଏ । କିନ୍ତୁ ଏହାର ମାନେ ଭାଇରସ ଅଧିକ ଘାତକ ବା ସଂକ୍ରମିତ ନୁହେଁ ।

ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବାରେ ଲାଗିଛି ଲକଡାଉନ କଟକଣା । ଆଜିଠୁ ରାଜଧାନୀରେ ଖୋଲିବ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ର ।ଏହାସହ ଭୋଜି ପାଇଁ ହଲ୍, ବଙ୍କେଟ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ମିଳିବ । ତେବେ ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ । ଅନଲକ୍-୫ ସମ୍ବନ୍ଧରେ ଜାରି କରାଯାଇଥିବା ଆଦେଶରେ ୫୦ ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି ।

ଲଦାଖ ଲେହରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ପ୍ରାୟ ୬.୧୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା ।

 ‘ଅନଲକ୍’ ପରେ ବିଭିନ୍ନ ଦେଶ ମାସ୍କ ମୁକ୍ତ ହେବା ଦ୍ୱାରା ପୁଣି ଦେଖାଦେଇଛି ମହାମାରୀରର ଆତଙ୍କ । SARS-Cov-2 ଭୂତାଣୁର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ଏଠାରେ ବିପଦ ବଢାଇଛି । ଫଳରେ ପୁଣି ଥରେ ଇସ୍ରାଏଲ୍, ଅଷ୍ଟ୍ରେଲିଆ ଏବଂ ଫିଜିରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି କିଲର ଭାଇରସ । ପରିସ୍ଥିତି ଏପରି ହୋଇଛି ଯେ, ୩ ଦେଶ ବର୍ତ୍ତମାନ ଲୋକଙ୍କୁ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛନ୍ତି ।

ଇରାକ୍‌ ସୀମାନ୍ତବର୍ତ୍ତୀ ପୂର୍ବ ସିରିଆରେ ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୫ଜଣ ଇରାନ୍‌ ସମର୍ଥିତ ଆତଙ୍କବାଦୀ ନିହତ ହୋଇଛନ୍ତି ।

ରବିବାର ସନ୍ଧ୍ୟାରେ ରାତି ପ୍ରାୟ ୮ ସମୟରେ ବାଂଲାଦେଶର ରାଜଧାନୀ ଢାକାର ମୋଘବଜାର ୱାୟା‌ର୍‌ଲେସ୍‌ ଗେଟ୍‌ ନିକଟରେ ଏକ ବିସ୍ଫୋରଣ ଘଟିବାରୁ ଜଣେ ପିଲା ସମେତ ୭ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୭୦ଜଣ ଆହତ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯୁବ ସାପ ଧରାଳିଙ୍କୁ ମିଳୁନାହିଁ ସରକାରୀ ସହାୟତା...

Mon Jun 28 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି) ବିଷଧର ସାପ ଧରିବା ତାଙ୍କ ନିଶା ଓ ପେଶା ନିଜ ଜୀବନ କୁ ବିପଦ ରେ ପକାଇ ଅନ୍ୟ ଲୋକ ଙ୍କଧନ ଜୀବନ ସୁରକ୍ଷା ପାଇଁ ଦିନ ରାତି ସେଵା ପ୍ରଦାନ କରୁଥିବା ସାପ ଧରାଳି ଯୁବକ ଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗା ରେ ରହୁଥିବା ବିରେନ୍ଦ୍ର କୁମାର ସାହୁ ଆଜିକୁ ୧୩ ବର୍ଷ ହେବ ବିଷାକ୍ତ ସାପ ଧରି […]

You May Like

Pin It on Pinterest