ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୬୪୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୬୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୭୦୭୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଓଡିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ର କିଡନୀଜନିତ ସମସ୍ୟା ଯୋଗୁଁ ଘରୋଇ ହସ୍ପିଟାଲରେ ସଙ୍କଟାପର୍ଣ୍ଣ ସ୍ଥିତିରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି (ମଙ୍ଗଳବାର) ତାଙ୍କୁ ଓଡ଼ିଶା ମ୍ୟୁଜିକ୍ ୱେଲ୍ଫେୟାର ଆସୋସିଏସନ୍ର ସଦସ୍ୟମାନେ ରକ୍ତ ଯୋଗାଇ ଦେଇଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ଆଜିଠାରୁ ଭୁବନେଶ୍ବରରେ ଋଷିଆ ଟିକା ସ୍ପୁଟନିକ-ଭି ଉପଲବ୍ଧ ହେବ । ବର୍ତ୍ତମାନ ଏହି ଟିକା କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ମୂଲ୍ୟରେ ଦିଆଯାଉଛି । ଉଭୟ ବୟସ ବର୍ଗର ହିତାଧିକାରୀମାନେ (୧୮-୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ) ବେସରକାରୀ ଡାକ୍ତରଖାନାରେ ଜାବ ପାଇବା ପାଇଁ କୋୱିନ ପୋର୍ଟାଲରେ ବୁକ୍ ପାଇପାରିବେ । ଆଗାମୀ ଦିନରେ ରାଜ୍ୟର ଅଧିକ ଡାକ୍ତରଖାନା ଋଷର ଟିକା ଦେବା ଆରମ୍ଭ କରିବାର ସମ୍ଭାବନା ରହିଛି ।
ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍ । ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମଦନମୋହନ ପତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଭିଡ୍ ଗାଇଡଲାଇନ୍ସ ଅନୁସାରେ, କେନ୍ଦ୍ରାପଡ଼ାରେ ରଥଯାତ୍ରା ଲାଗି ଅନୁମତି ଦେବାକୁ ପିଟିସନରେ ଆବେଦନ କରାଯାଇଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୫୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ ଲକ୍ଷ ୧୬ ହଜାର ୮୯୭ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୫୨୬୫୯ ।
ଟ୍ରେନ ଯୋଗେ ଉତ୍ତର ପ୍ରଦେଶର ନିଜ ଗ୍ରାମକୁ ଗସ୍ତ ଅବସରରେ ରାଷ୍ଟ୍ରପତି ଏକ ସଭାରେ ଲୋକମାନଙ୍କୁ କହିଛନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାସକୁ ୫ ଲକ୍ଷ ଟଙ୍କା ଦରମା ପାଆନ୍ତି । କିନ୍ତୁ ସେଥିରୁ ତାଙ୍କୁ ମାସକୁ ୨ ଲକ୍ଷ ୭୫ ହଜାର ଟଙ୍କା ଟିକସ ଦେବାକୁ ପଡ଼ିଥାଏ । ସେ ଲୋକଙ୍କୁ ଦେଶର ବିକାଶମୂଳକ କାର୍ଯ୍ୟ ପାଇଁ ଠିକ୍ରେ ଟିକସ୍ ଦେବାକୁ ଅନୁରୋଧ କରିଛନ୍ତି। ଟିକସ ପ୍ରଦାନ ପରେ ସେ ଯେତିକି ସଞ୍ଚୟ କରୁଛନ୍ତି ତାହା ତୁଳନାରେ ଲୋକ ବହୁତ ଅଧିକ ରୋଜଗାର କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
କେନ୍ଦ୍ର ସରକାର ଇନକମ୍ ଟ୍ୟାକ୍ସ ସଂପର୍କିତ କାମର ଅବଧି ବଢ଼ାଇ ଦେଇଛନ୍ତି । ଯେପରିକି ଟିଡିଏସ ଦାଖଲ କରିବା ପାଇଁ କରଦାତାଙ୍କ ପାଖରେ ଅଧିକ ସମୟ ରହିବ । ଆର୍ଥିକ ବର୍ଷ ୨୦୨୦-୨୧ର ଚତୁର୍ଥ କ୍ୱାର୍ଟର (ଜାନୁଆରି-ମାର୍ଚ୍ଚ) ଲାଗି ଟିଡିଏସ ଷ୍ଟେଟମେଣ୍ଟର ଅନ୍ତିମ ତାରିଖ ଏବେ ୨୦୨୧ ଜୁଲାଇ ୧୫ କରିଦିଆଯାଇଛି । ପୂର୍ବରୁ ଏହା ଜୁନ ୩୦ ତାରିଖ ଶେଷ ଅବଧି ଥିଲା ।
କରୋନା ର ଦ୍ବିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ସୋମବାର ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଏଥିରେ ଅଗ୍ରାଧିକାର ଦିଆଯାଇଥିବା ବେଳେ ୮ଟି ନୂଆ ସ୍କିମ୍ ଘୋଷଣା କରାଯାଇଛି। କୋଭିଡ୍ ପ୍ରଭାବିତ କ୍ଷେତ୍ରଗୁଡ଼ିକ ଲାଗି ୧.୧୫ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ୍ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍ ପାଇଁ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ଶ୍ରୀନଗରର ମଲୁରା ପରିମ୍ପୋରା ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଚାଲିଥିବା ଏନକାଉଣ୍ଟରରେ ଭାରତୀୟ ସେନା ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ନଦୀମ ଅବରାରକୁ ନିହତ କରିଛି। ଏହାସହ ଆଉ ଦୁଇ ଆତଙ୍କୀଙ୍କୁ ମଧ୍ୟ ମାରିଦିଆଯାଇଛି। ହେଲେ ଏହି ଏନକାଉଣ୍ଟରରେ ସିଆରପିଏଫର ଜଣେ ଅଧିକାରୀ ସମେତ ଦୁଇ ଯବାନ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଅବରାର ଶ୍ରୀନଗର ବାରାମୁଲା ସୀମାରେ ଅନେକ ହତ୍ୟା ଓ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୮ କୋଟି ୨୧ ଲକ୍ଷ ୭୩ ହଜାର ୯୬୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୪୪ ହଜାର ୯୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୬୭ ଲକ୍ଷ ୨୯ ହଜାର ୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୯୯ ହଜାର ୬୭୨ ଜଣ ଲୋକ ସକ୍ରିୟ ଅଛନ୍ତି ।