ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୨୮୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୨୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଜଣ ୮୭୭୫୪୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିଶାଳ ମେଗା ମାର୍ଟ କୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ।

ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦଇତା ଓ ପତିମହାପାତ୍ର ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି । ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓଲାଗି, ଶ୍ରୀଅଙ୍ଗ ଫିଟା ପରେ ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗା ଯାଇଥିବା ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି ହୋଇଥିଲା । ଏହାପରେ ମହାପ୍ରଭୁ ଜ୍ବରରୁ ସାମାନ୍ୟ ଉପଶମ ଲାଭ କରିଛନ୍ତି।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି। ଏହା ସହିତ ୨୨ଟି ଜିଲ୍ଲାକୁ ଏ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଲଙ୍ଘି, କୂଳ ଖାଉ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାମେୟାପାଟଣା ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘି ୨୦ଟି ଘର ନଷ୍ଟ କରିଥିଲା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୭୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୦୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪ ଲକ୍ଷ  ୧୧ ହଜାର ୬୩୪ରେ ପହଞ୍ଚିଥିବା ବେଳେ  ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୨୩୨୫୭।

ଜୁଲାଇ ୧ରେ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଡାକ୍ତରମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ମନ୍ତ୍ରୀ ପରିଷଦ ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପିଏମ ମୋଦୀ ବୈଠକରେ କରୋନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ସଡକ ଓ ପରିବହନ ମନ୍ତ୍ରାଳୟ ଏବଂ ଦୂର ସଂଚାର ମନ୍ତ୍ରାଳୟର ସମୀକ୍ଷା କରିଥିଲେ । ଏହାସହ ମନ୍ତ୍ରୀଙ୍କୁ କହିଥିଲେ ଯେ, ସେମାନେ ଲୋକସଭା କ୍ଷେତ୍ରକୁ ଯାଆନ୍ତୁ । ସେଠାରେ କୋଭିଡ୍ ପ୍ରୋଟକଲର ପାଳନ କରାଯାଉଛି ନା ନାହିଁ ସେନେଇ ସମୀକ୍ଷା କରନ୍ତୁ । ମନ୍ତ୍ରୀମାନେ ଟିକାକରଣ ପାଇଁ ଲାଗୁଥିବା ଲାଇନରେ ନିଜେ ଠିଆ ହୋଇ କେଉଁ ଅସୁବିଧା ହେଉଛି ତାହା ଦେଖନ୍ତୁ ।

ଆଜି(ଗୁରୁବାର) ସକାଳ ୧୧ଟାରେ କେନ୍ଦ୍ର ସରକାର କାର୍ଗିଲ ଓ ଲଦାଖର ବିଭିନ୍ନ ଦଳ ଓ ସିଭିଲ ସୋସାଇଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ପରିପ୍ରେକ୍ଷୀରେ ଲଦାଖର ୧୧ ଜଣ ନେତା ଦିଲ୍ଲୀରେ ପହଁଚିଛନ୍ତି । ଏଠାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଷନ ରେଡ୍ଡିର ବାସଭବନରେ ବୈଠକ ହେବ ।

କେରଳରେ ଆଜିଠାରୁ ଯାତ୍ରୀମାନଙ୍କ ପାଇଁ କୋଚି ମେଟ୍ରୋ ସେବା ଆରମ୍ଭ ହୋଇଯାଇଛି । ରାଜ୍ୟରେ କରୋନା ଭାଇରସର ୨ୟ ଲହର ପ୍ରଭାବି ଥିବାରୁ କୋଚି ମେଟ୍ରୋ ଟ୍ରେନ ସେବା ଦୀର୍ଘ ୫୩ ଦିନ ଯାଏଁ ବନ୍ଦ ଥିଲା । କୋଚି ମେଟ୍ରୋ ଏବେ ସକାଳ ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଚାଲିବ । 

ଆଜିଠାରୁ କୋୱିନ୍ ଆପ୍ ଜରିଆରେ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍ ଟିକା ମିଳିବ ବୋଲି ସୂଚନା ମିଳିଛି । ସେଥିଲାଗି କୋୱିନ ଆପରେ ସ୍ବତନ୍ତ୍ର ସ୍ଲଟ ଉପଲବ୍ଧ ରହିବ। ନ୍ୟାସନାଲ ହେଲଥ୍ ଅଥରିଟି ପୋର୍ଟାଲ ଜରିଆରେ ସେମାନେ ଏହାର ମୂଲ୍ୟ ପୈଠ କରିବେ ବୋଲି କୁହାଯାଇଛି ଘରୋଇ ହସ୍ପିଟାଲଗୁଡିକ ନିର୍ମାତା କମ୍ପାନୀଙ୍କ ନିକଟରୁ ସିଧାସଳଖ କୋଭିଡ୍ ଟିକା କିଣିପାରିବେ ନାହିଁ । କୋଭିଡ୍ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ କୋୱିନ୍ ଆପ୍ ପ୍ରସ୍ତୁତ କରାଯାଇଛି । ସେହି ଆପ ସ୍ୱଚ୍ଛ ଓ ସହଜ ପ୍ରଣାଳୀ ହୋଇଥିବାରୁ ଘରୋଇ ହସ୍ପିଟାଲଗୁଡିକୁ ଟିକା ସଂଗ୍ରହ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଖୁବଶୀଘ୍ର ଭାରତରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହେବ । ବେଙ୍ଗାଲୁରୁ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏହାର ଡିଏନଏ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରୁ ଅନୁମୋଦନ ଲୋଡିଛି । ଯଦି ଏହି ଟିକା ଡିସିଜିଆଇ ଦ୍ୱାରା ଅନୁମୋଦିତ ହୁଏ, ତେବେ ଶୀଘ୍ର ଏହି ଟିକା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇପାରେ। ଜାଇଡସ୍ କ୍ୟାଡିଲା ଭାରତର ସର୍ବୋଚ୍ଚ ଡ୍ରଗ୍ ରେଗୁଲେଟର, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରେ ଏହାର ଡିଏନ୍ଏ ଟିକା ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୮ କୋଟି ୨୯ ଲକ୍ଷ ୫୩ ହଜାର ୫ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୬୨ ହଜାର ୧୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୭୫ ଲକ୍ଷ ୩୫ ହଜାର ୫୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୫୫ ହଜାର ୩୨୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ଜାତିସଂଘର ସଂସ୍ଥା ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ ୟୁନିୟନ୍ (ଆଇଟିୟୁ) ପକ୍ଷରୁ ଜାରି କରାଯାଇଥିବା ବିଶ୍ବ ସାଇବର ନିରାପତ୍ତା ସୂଚୀ ୨୦୨୦ରେ ଭାରତ ଶ୍ରେଷ୍ଠ ୧୦ଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି। ପୂର୍ବ ସୂଚୀ ତୁଳନାରେ ଭାରତ ସ୍ଥିତିରେ ବଡ଼ ଧରଣର ଉନ୍ନତି ହୋଇଛି। ୨୦୧୮ରେ ଜାରି କରାଯାଇଥିବା ସୂଚୀରେ ଭାରତ ୪୭ତମ ସ୍ଥାନରେ ଥିଲା। ଏଥର ସୂଚୀରେ ଚୀନ୍ ଓ ପାକିସ୍ତାନ ଠାରୁ ଭାରତ ବହୁତ ଉନ୍ନତ ସ୍ଥିତିରେ ରହିଛି। ଚୀନ୍‌ ୩୩ତମ ଓ ପାକିସ୍ତାନ ୭୯ତମ ସ୍ଥାନରେ ରହିଛି।

ରୁଷ୍‌ରେ ତୃତୀୟ ଲହର ସଂକ୍ରମଣ ଭୟ ବଢ଼ା‌ଇଛି। ଡେଲ୍‌ଟା ପ୍ରଜାତି ପାଇଁ ରୁଷ୍‌ରେ ୯୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି ।

ବିଶ୍ୱର ଅନେକ ଦେଶରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ଡାଉନ୍ ରହିଛି । ଟ୍ୱିଟର୍ ଠିକ୍ ଭାବେ କାମ ମଧ୍ୟ କରୁନି । ଅନେକ ସ୍ଥାନରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ପେଜ୍ ଭଲ ଭାବେ ଲୋଡ୍ ନେଉନାହିଁ । ଅଧିକ ସମସ୍ୟା ଓ୍ୱେବସାଇଟରେ ହିଁ ଦେଖିବାକୁ ମିଳୁଛି । ଡାଉନଡିଟେକ୍ଟର୍ ଅନୁସାରେ, ୟୁଜର୍ସ ଗୁରୁବାର ସକାଳ ୭ଟା ୩ରୁ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୭ ଜୁଲାଇରେ ବୁଧ ରବିଙ୍କ ସହିତ ମିଶି ଏକ ଶୁଭ ସଂଯୋଗ ସୃଷ୍ଟି କରିବେ, ୪ ଟି ରାଶିରେ ହେବ ଧନ ବର୍ଷା...

Thu Jul 1 , 2021
ବାସ୍ତବବ୍ୟୁରୋ:(ଡ଼.ନବକିଶୋର ମିଶ୍ର)ଜୁଲାଇରେ ବୁଧ ଗତି ପରିବର୍ତ୍ତନ କରିବେ | ବୁଧ ମିଥୁନକୁ ଗମନ କରିବେ | ମିଥୁନରେ ରବି ପୂର୍ବରୁ ଅଛନ୍ତି । ବୁଧ ଏବଂ ରବି ଗୋଟିଏ ରାଶିରେ ରହିଲେ ବୁଦ୍ଧଦିତ୍ୟ ଯୋଗ ସୃଷ୍ଟି ହୁଅ | ଏହି ଶୁଭ ସଂକେତ ଯୋଗୁଁ, କିଛି ଲୋକ କ୍ୟାରିଅରରେ ଅଗ୍ରଗତି, ଅର୍ଥରେ ଲାଭ ଏବଂ ବ୍ୟବସାୟରେ ଲାଭ ପାଇପାରିବେ | ମିଥୁନ ସଙ୍କେତ ଲୋକମାନେ ଏହି ସମୟ ମଧ୍ୟରେ ନିଜ […]

You May Like

Pin It on Pinterest