ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୧୮୯୬ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗଞାମ ଜିଲ୍ଲାରେ ପହଞ୍ଚିଲା ଏକ ଲକ୍ଷ ଚାଳିଶି ହଜାର ଡୋଜ୍ ର କୋଭାକ୍ସିନ୍ ଟିକା । ଆସନ୍ତା କାଲିଠାରୁ ଜିଲ୍ଲାରେ କୋଭାକ୍ସିନ୍ ଟିକା କରଣ ଆରମ୍ଭ ହେବ । ଗଞ୍ଜାମ ଜିଲ୍ଲାରେ ଏଣିକି କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ । ପୂର୍ବରୁ ଏହି ଟିକା କେବଳ ଭୁବନେଶ୍ଵରରେ ହିଁ ପ୍ରଦାନ କରାଯାଉଥିଲା ।
ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥ କରିବା ପାଇଁ ଗୁପ୍ତ ଉପଚାର ଚାଲିଛି । ଆଜି ଅନଵସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ । ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ । ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବ । ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଏହା ଲାଗି ହେବ । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବେ ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଳ୍ପ ବହୁତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଜୁନ୍ ୧ରୁ ଜୁଲାଇ ୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମୁଦାୟ ୨୦୬.୯ମିମି ବର୍ଷା ହୋଇଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ରେ ପହଞ୍ଚିଛି । ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୦୨ ହଜାର ୦୦୫ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫୮ ହଜାର ୦୭୮ରେ ପହଁଚିଛି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୮୫୩୫୦ ।
ଜାପାନରେ ଆତାମି ସହରରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ହଠାତ ମାଟି ଅତଡା ଧସି ଆସିଥିଲା । ଧସି ଆସିଥିବା ମାଟି ଘରଦ୍ବାରକୁ ସମୁଦ୍ର ପର୍ଯ୍ୟନ୍ତ ତାଡ଼ିନେଇଛି । ପ୍ରାୟ ୩ଶହ ପରିବାର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। । ଏହି ଘଟଣାରେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ସେଲ୍ଫ ଡିଫେନ୍ ସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରାଫେଲ ଯୁଦ୍ଧ ବିମାନ ଚୁକ୍ତି ବିବାଦ ଯାଞ୍ଚର ସମ୍ମୁଖୀନ ହୋଇପାରନ୍ତି ଫ୍ରାନ୍ସର ବରିଷ୍ଠ ନେତା । ଏହି ମାମଲାର ଅନୁସନ୍ଧାନ କରୁଥିବା ବିଚାରପତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାଣ୍ଡଙ୍କ ସମେତ ଅନେକ ନେତାଙ୍କୁ ପ୍ରଶ୍ନ କରିପାରନ୍ତି । ବର୍ତ୍ତମାନର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋନଙ୍କୁ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି ।