ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୯୭୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୦୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୯୭୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଅଣସର ତ୍ରୟୋଦଶୀରେ ଶ୍ରୀଜୀଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ ।
ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ଦଳ । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିବା ବିଜେପି ଏହା ପ୍ରତିବାଦରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ। ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୭୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୩୦ ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୬ ଲକ୍ଷ ୬୩ ହଜାର ୬୬୫ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪ହଜାର ୨୧୧ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୫୯୯୨୦।
ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇ ନିହତ ହୋଇଛି। ଉତ୍ତର କଶ୍ମୀରର ହାଣ୍ଡୱାରା ଠାରେ ଘଟିଥିବା ଏନକାଉଣ୍ଟରରେ ମେହରାଜୁଦ୍ଦିନ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।
କରୋନା ପରେ ବ୍ଲାକ୍ ଫଙ୍ଗସ୍, ମଧୁମେହ, ରକ୍ତ ଜମାଟ ବାନ୍ଧିବା, ଶ୍ବାସକ୍ରିୟାରେ ସମସ୍ୟା ପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏବେ ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇ ହସ୍ପିଟାଲ୍ର ଡାକ୍ତରମାନେ କିଛି ଏଭିଏନ୍ (ଆଭାସ୍କୁଲାର୍ ନେକ୍ରୋସିସ୍) ମାମଲା ଚିହ୍ନଟ କରିଛନ୍ତି। ଏଭିଏନ୍କୁ ‘ବୋନ୍ ଡେଥ୍’ କୁହାଯାଏ। ଗତ କିଛି ମାସ ଧରି କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀ ଏହି ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି ବୋଲି ଡାକ୍ତର କହିଛନ୍ତି। ଏନେଇ ୩ଟି ମାମଲା ସ୍ପଷ୍ଟ ହୋଇଛି। ସମସ୍ତଙ୍କ ବୟସ ୪୦ ତଳେ। ଜଙ୍ଘ ହାଡ଼ରେ ପ୍ରବଳ ଯନ୍ତ୍ରଣା ହେବାପରେ ସେମାନେ ଚିକିତ୍ସା ପାଇଁ ହସ୍ପିଟାଲ୍ ଯାଇଥିଲେ। ତେବେ ଜଣାପଡ଼ିଥିଲା ଯେ, ସେମାନେ ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି। ଏଭିଏନ୍ ତଥା ବୋନ୍ ଡେଥ୍ ଦ୍ବାରା ଅସ୍ଥି କୋଷ ଗୁଡ଼ିକ ନଷ୍ଟ ହୋଇଯାଉଛି।
ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ।
କେନ୍ଦ୍ର ସରକାର ପକ୍ଷରୁ ’ସହଯୋଗ’ ନାଁରେ ଗୋଟିଏ ନୂଆ ମନ୍ତ୍ରଣାଳୟ ଗଠନ କରାଯାଇଛି। ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ଓ ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହି ନୂଆ ମନ୍ତ୍ରଣାଳୟର ମନ୍ତ୍ରୀ କିଏ ହେବେ, ସେକଥା ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଜଣାପଡ଼ିବ।
ସକାଳ ୮.୪୫ରେ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ପ୍ରଭାବ ଉତ୍ତର ବେଙ୍ଗଲରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଦାର୍ଜିଲିଂ ଓ କୁଚ୍ଚବିହାରର କିଛି ଅଂଶ ଭୂକମ୍ପ ଯୋଗୁ ଥରିଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।
୨୦୨୨ ପ୍ରାରମ୍ଭରୁ ସମଗ୍ର ଦେଶରେ ଏକ କମନ ଇଲିଜିବିଲିଟି ଟେଷ୍ଟ (ସିଇଟି) ଅନୁଷ୍ଠିତ ହେବ ଏବଂ କେନ୍ଦ୍ର ସରକାରୀ ଚାକିରିରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ ବୋଲି ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି । କମନ ଇଲିଜିବିଲିଟି ଟେଷ୍ଟ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ ଗଠନ କରାଯାଇଛି। ସରକାରୀ କ୍ଷେତ୍ରରେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନ / ସର୍ଟଲିଷ୍ଟ କରିବାକୁ ଜାତୀୟ ନିଯୁକ୍ତି ଏଜେନ୍ସି ସିଇଟି ପରିଚାଳନା କରିବ ଯେଉଁଥିପାଇଁ ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି), ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମାଧ୍ୟମରେ ନିଯୁକ୍ତି ଦିଆଯାଉଛି ।
ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ଦ୍ୱାରା ପରିଚାଳିତ ଜେଇଇ ମେନ୍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏପ୍ରିଲ୍ ଓ ମେ’ ମାସରେ ସ୍ଥଗିତ ହୋଇଥିବା ଏହି ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି। ତୃତୀୟ ସେସନ୍ ପାଇଁ ଜୁଲାଇ ୬ରୁ ୮ ତାରିଖ ଏବଂ ଚତୁର୍ଥ ସେସନ୍ ଲାଗି ଜୁଲାଇ ୯ରୁ ୧୨ ତାରିଖ ଭିତରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ସମୟରେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।
ପରଲୋକରେ ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ , ହେଲେ ଆଜି(ବୁଧବାର) ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା ।