ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୨୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୫୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୦୦୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ହୋତା ଲାଗି ହେବ। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହୋଇଛି। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡ଼ି ପ୍ରସାଦ ଲାଗି ହେବ ।
ରାଜ୍ୟରେ ଆଗାମୀ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ଆହୁରୀ କମିଯିବ । ରାଜ୍ୟରେ ଏବେ ୯୦ ପ୍ରତିଶତ ବେଡ଼୍ ଖାଲି ରହିଛି । ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି । ୧୦ ଜିଲ୍ଲାରେ କୋଭିଡ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି । ପାଖାପାଖି ୨୪ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଆଉ ୬ଟି ଜିଲ୍ଲାରେ ପଜିଟିଭିଟି ହାର ୫ପ୍ରତିଶତରୁ ସାମାନ୍ୟ ଉପରେ ରହିଛି । ରାଜ୍ୟ ସରକାର କରୋନାର ତୃତୀୟ ଲହର ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି : ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ରାଜ୍ୟରେ ଟିକା ଅଭାବ କାରଣରୁ ୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ ଓ ସୋନ୍ପୁରରେ ଟିକାକରଣ ବନ୍ଦ ରହିବା ସହ ସେସନ୍ ସାଇଟ୍ ସଂଖ୍ୟା ମଧ୍ୟ ୭୦୩କୁ କମାଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଏବେ ମାତ୍ର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ଦ୍ଵିତୀୟ ଲହରରେ ରାଜ୍ୟର ୬୪ ହଜାର୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । କରୋନାର ଦ୍ଵିତୀୟ ଲହରରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି ।
ରାଜ୍ୟରେ ଆଜିଠୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଏହା ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗିରହିବ। ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ।
ହ୍ୱାଟସ୍ ଆପ୍ରେ ସବ୍ମିଟ୍ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର । ତେବେ ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନି। ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ । ଏହି ସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ କରି ବିଭାଗୀୟ ଅଧ୍ୟାପକଙ୍କୁ ପଠାଇବେ । ଅଡିଓ ଏବଂ ଭିଡିଓ କ୍ଲିପର ଅବଧି ୩ରୁ ୫ ମିନିଟ୍ ରହିବ। ଏହାରି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫୮୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୭ ଲକ୍ଷ ୯ ହଜାର ୫୫୭ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫ ହଜାର ୨୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୮ ଲକ୍ଷ ୪୩ ହଜାର ୮୨୫ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୬୦୭୦୪।
ଦେଶର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲର ମୂଲ୍ୟ ୧୦୦ଟଙ୍କା ଅତିକ୍ରମ କରିଛି । ଡିଜେଲ ରେଟ୍ ବି ମହଙ୍ଗା ହୋଇଛି । ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୯ ପଇସା ମହଙ୍ଗା ହୋଇଛି । ଦିଲ୍ଲୀର ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ଲିଟର ପିଛା ୧୦୦.୫୬ ଟଙ୍କା ଏବଂ ଡିଜେଲ ପିଛା ୮୯.୬୨ ଟଙ୍କା ହୋଇଛି ।
ଆଜି ନୂଆ ଟିମ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର କ୍ୟାବିନେଟର ବୈଠକ ଅପରାହ୍ନ ୫ ଟାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ସେହିଭଳି ମନ୍ତ୍ରୀ ପରିଷଦର ବୈଠକ ସନ୍ଧ୍ୟା ୭ଟାରେ ହୋଇପାରେ ।
ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଆଜି (ଗୁରୁବାର) ଭୋର ୩ଟା ୪୦ ମିନିଟରେ ସିମଲା ସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କୀ ବିରୋଧୀ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେହିପରି ସର୍ଚ୍ଚ ଅପରେସନକୁ ବିଭିନ୍ନ ସ୍ଥାନରେ ଜୋରଦାର କରାଯାଇଛି।
ଦେଶରେ କୋଭିଡ୍-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଅଧିକରୁ ଅଧିକ ଟିକାର ଆବଶ୍ୟକତା ରହିଥିବା ବେଳେ ଆସନ୍ତା ଅଗଷ୍ଟ ସୁଦ୍ଧା କୋଭାକ୍ସ ସୁବିଧା ଦ୍ବାରା ଭାରତକୁ ୩ରୁ ୪ ମିଲିୟନ୍ ଡୋଜ୍ର ଫାଇଜର୍ ଓ ମଡର୍ଣ୍ଣା ଟିକା ପ୍ରାପ୍ତ ହୋଇପାରେ ।
୩୦ଟି ଦେଶରେ ଚିହ୍ନଟ ହୋଇ ସାରିଲାଣି କରୋନାର ଲାମ୍ବଡ଼ା ପ୍ରଜାତି । ତେବେ ଭାରତ ପାଇଁ ଆଶ୍ବସ୍ତିର ବିଷୟ ହେଉଛି ଏହି ପ୍ରଜାତି ଏବେ ପର୍ଯ୍ୟନ୍ତ ଆମ ଦେଶରେ ଚିହ୍ନଟ ହୋଇନାହିଁ । ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜିର ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି କି ଏହି ପ୍ରଜାତି ଖୁବ୍ ଜୋର୍ରେ ସଂକ୍ରମଣ ମଚାଇବ। ୨୦୨୦ ମସିହା ଡିସେମ୍ବର ମାସରେ ଏହି ପ୍ରଜାତି ପ୍ରଥମେ ପେରୁରେ ଦେଖାଯିବା ପରେ ଏବେ ସୁଦ୍ଧା ୩୦ଟି ଦେଶରେ ଦେଖା ଦେଇ ସାରିଲାଣି।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୮ କୋଟି ୫୮ ଲକ୍ଷ ୭ ହଜାର ୮୭୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୦ ଲକ୍ଷ ୧୬ ହଜାର ୯୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୬୭ ହଜାର ୩୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୭ ଲକ୍ଷ ୨୩ ହଜାର ୫୯୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ଘରେ ତିନୋଟି ରକେଟ୍ ମାଡ ହୋଇଛି । ଏହି ଆକ୍ରମଣ ସମ୍ପର୍କରେ ଇରାକର ସେନା ସୂଚନା ଦେଇଛି । ସୁଚନାନୁଯାୟୀ, ବାଗଦାଦର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରକେଟ୍ ମାଡ ହୋଇଛି । ଯେଉଁଠିକି ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠା ଅଛି ।
ୟୁରୋପର ଏକ ଛୋଟ ଦେଶ ମୋଣ୍ଟେନେଗ୍ରୋ ଡ୍ରାଗନ ଜାଲରେ ଫସିଯାଇଛି । ସୁଚନାନୁଯାୟୀ, ମୋଣ୍ଟେନେଗ୍ରେ ବେଲ୍ଟ ଆଣ୍ଡ ରୋଡ ପ୍ରକଳ୍ପ ମାଧ୍ୟମରେ ଚୀନ ଠାରୁ ଋଣ ନେଇଥିଲା । ଏହି ଟଙ୍କାରେ ଏକ ବଡ଼ ସଡ଼କ ନିର୍ମାଣ କରିଥିଲା । କିନ୍ତୁ ଜାତୀୟ ରାଜପଥ ନିର୍ମାଣ ହୋଇପାରିଲା ନାହିଁ । ଅନ୍ୟପଟରେ ଋଣ ରାଶି ଫେରାଇବାର ସ୍ଥିତିରେ ମଧ୍ୟ ନାହିଁ । ଚୀନ ପୂରା ଋଣ ଫେରସ୍ତ କରିବା ପାଇଁ ମୋଣ୍ଟେନେଗ୍ରୋ ଉପରେ ଚାପ ପ୍ରୟୋଗ କରୁଛି । ଯଦି ମୋଣ୍ଟେନେଗ୍ରୋ ଋଣ ନଫେରାଉଛି, ଦେବାଳିଆ ହୋଇଯିବ ଏବଂ ଚୀନ ଏହାର ଜମି ଉପରେ ନିୟନ୍ତ୍ରଣ କରିପାରେ ।



