ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୫୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୪୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ପୁରୀର ଶ୍ରୀମନ୍ଦିରର ୪ଟି ଦ୍ୱାରର ଉପରେ ରୁପାର ଛାଉଣୀ ହେବ । ମୁମ୍ବାଇର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦାନ କରିଥିବା ୧୩୪୫ କେଜି ରୁପା ପୁରୀରେ ପହଞ୍ଚିଛି । ଏ ସମସ୍ତ ରୁପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ୍ କୋଠରୀରେ ରଖାଯାଇଛି । ତେବେ ୪ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ପ୍ରାୟ ୨ ଟନ୍ ରୂପା ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ଶୁକ୍ରବାର ପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରେ ରଥକୁ ଆଜ୍ଞାମାଳ ବିଜେ କରାଯିବ । ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ ।

ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏବେ ବି ଚାଲିଛି ଗୁଳି ବିନିମୟ। ୮ ଘଣ୍ଟା ହେଲାଣି ଲଗାତାର ଭାବେ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି। ଏଥିରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଛି ।

ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ ଦିନ ଭିତରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଜି (ଶନିବାର) ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ଅନେକ ଜାଗାରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୧୧ ତାରିଖରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜ୍ୟରେ ଟିକା ଅଭାବ ପାଇଁ ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ । ତେବେ ରାଜ୍ୟରେ ଏବେ ମାତ୍ର ୫୯ହଜାର ୯୨୦ ଡୋଜ୍ କୋଭିସିଲ୍ ଡ ଟିକା ମହଜୁଦ ରହିଛି । ରାଜ୍ୟକୁ ଏକ ଲକ୍ଷ ଡୋଜ୍ ରୁ ଅଧିକ କୋଭାକ୍ସିନ୍ ଆସି ପହଞ୍ଚିଛି। ଏବେ ରାଜ୍ୟରେ ୩ଲକ୍ଷ ୯୩ହଜାର କୋଭାକ୍ସିନ୍ ଷ୍ଟକ୍ ରହିଛି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ୪୦୦ ମିଟର ଟ୍ରାକ ଥିବା ଏକ ଇଂଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି । ଏହା ସହ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ୍ କୋର୍ଟ ନିର୍ମାଣ ହେବ। ଯେଉଁଠି ଡେଭିସ୍ କପ୍ ଭଳି ଷ୍ଟାଣ୍ଡର୍ଡର ପ୍ରତିଯୋଗିତା ଖେଳାଯାଇପାରିବ । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ଇଭେଣ୍ଟ ହେଲେ ଆସୁଥିବା ଅତିଥିମାନଙ୍କ ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ ହେବ । ଏହାସହ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଏକ ସ୍ପୋର୍ଟ ହଷ୍ଟେଲ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମାଣ ହେବ : କ୍ରୀଡ଼ାମନ୍ତ୍ରୀ ତୁଷାରିକାନ୍ତି ବେହେରା ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୨୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୭ ଲକ୍ଷ ୯୫ ହଜାର ୭୧୬ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୭ ହଜାର ୧୪୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୩ ହଜାର ୫୩୮ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୫୫୦୩୩ ।

ରାଷ୍ଟ୍ରପତି ଜୋ ବାଇଡେନ୍ ଲସ୍ ଏଞ୍ଜେଲେସର ମେୟର ଏରିକ୍ ଗାର୍ସେଟିଙ୍କୁ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ମନୋନୀତ କରିଛନ୍ତି । ହ୍ୱାଇଟ ହାଉସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକୀୟ ସଂସଦର ଉଚ୍ଚ ଗୃହ ସିନେଟରୁ ଅନୁମୋଦନ ମିଳିବା ପରେ ୫୦ ବର୍ଷୀୟ ଗାର୍ସେଟି ଭାରତରେ ଉପସ୍ଥିତ ୟୁଏସ୍ ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସ୍ଥାନ ନେବେ ।

ଧ୍ୱନି ପ୍ରଦୂଷଣ ମାମଲାରେ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି (DPCC) ଜରିମାନା ରାଶି ସଂଶୋଧନ କରିବାକୁ ଘୋଷଣା କରିଛି। ନୂଆ ସଂଶୋଧନ ଅନୁଯାୟୀ, ଧ୍ୱନି ପ୍ରଦୂଷଣ କରୁଥିବା ଲୋକଙ୍କୁ ଯେକୌଣସି ମାଧ୍ୟମ ଏକ ଲକ୍ଷ ଟଙ୍କା ଯାଏଁ ଜରିମାନା ଲଗାଇବାକୁ ବ୍ୟବସ୍ଥା କରାଯାଇଛି। ଏହାସହ ଜେନେରେଟର ଧ୍ୱନି ପ୍ରଦୂଷଣକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦିଆଯାଇଛି । ଏହା ଛଡା ଧ୍ୱନି ପ୍ରଦୂଷଣ କରୁଥିବା ସାମଗ୍ରୀ ମଧ୍ୟ ଜବତ କରାଯିବ। ଜରିମାନା ସଂଶୋଧନର ଏହି ପ୍ରସ୍ତାବ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ଦ୍ୱାରା ସ୍ୱୀକୃତ କରାଯାଇଛି।

କ୍ଷୀର କମ୍ପାନୀ ମଦର ଡାୟରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଦିଲ୍ଲୀ ସମେତ ଅନ୍ୟ ସହରରେ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଏହି ନୂଆ ଦର ଆସନ୍ତାକାଲିଠୁ ଲାଗୁ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୟାବହ ଅଗ୍ନିକାଣ୍ଡରେ ଦୁଇ ପରିବାର ସର୍ବସ୍ୱାନ୍ତ

Sat Jul 10 , 2021
ଭୋଗରାଇ,(ଦିଲ୍ଲୀପ କୁମାର ପଣ୍ଡା) ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ କଚୁଆଡି ଗ୍ରାମ ପଞ୍ଚାୟତର କଚୁଆଡି ଗ୍ରାମର ପ୍ରଦୀପ ସାମଲ ଓ ରାଜେସ ସାମଲ ପୃଥକ ପୃଥକ ପରିବାରର ଭୋର ୪ଟା ସମୟରେ ହଠାତ୍ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କା ରଆସବାବପତ୍ର ସହିତ ସରକାରୀ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି | ପଛପଟେ ଥିବା ପଡୋଶୀ ଆସି ଏହି ଦୁଇ ପରିବାରର ଲୋକଙ୍କୁ ଡାକି ପଦାକୁ ବାହାର କରିବା […]

You May Like

Pin It on Pinterest