ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୩୬୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୯୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୧୫୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଅପରାହ୍ଣରେ ତିନି ଠାକୁର ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ । ତେବେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ଉପରେ କଟକଣା ଲାଗିଛି ।

ରାଜ୍ୟରେ ବର୍ଷା ଅଭାବ କାରଣରୁ ୧୭ ଜିଲ୍ଲା ଶୁଖିଲା ପଡ଼ିଛି । ଭଦ୍ରକ ଜିଲ୍ଲାର ସବୁଠୁ ସଙ୍ଗୀନ ସ୍ଥିତି । ୬୦% ବର୍ଷା କମ୍‌ ରହିଛି ଭଦ୍ରକ ଜିଲ୍ଲାରେ । କେନ୍ଦୁଝର, ଗଜପତି ଓ ଯାଜପୁର ଜିଲ୍ଲାରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି । ଯେଉଁଥିପାଇଁ ଧାନ ଚାଷ କାମ ଆଗେଇ ପାରୁନି ।

ପାଣିପାଗ ପୂର୍ବାନୁମାନ : ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟ ବର୍ଷା ହୋଇପାରେ ଆସନ୍ତା ୪ ଦିନ ଭିତରେ ।

ରାଜ୍ୟରେ କରୋନା ଟିକାର ଅଭାବ କାରଣରୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ କରାଯିବ ନାହିଁ।

ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ସୋମବାରଠୁ ଆରମ୍ଭ ହୋଇଥିବା ବିଶ୍ୱକପ୍‌ ର ପ୍ରଥମ ମ୍ୟାଚ୍‌ରେ ପଦ୍ମିନୀ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ ।

 ଦେଶରେ ଗତ ୨୪ ଘଣ୍ଟା ୩୨୯୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୯ ଲକ୍ଷ ୭ ହଜାର ୨୮୨ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୦ ହଜାର ୭୮୪ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୬୩ହଜାର ୭୨୦ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୩୨୭୭୮।

କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ କମିଟି ରାଜନୀତିକ ବ୍ୟାପାରରେ (ସିପିପିଏ) କିଛି ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ୮ଟି କମିଟିରେ ଭୁପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ କେନ୍ଦ୍ରୀୟ ରାଜନୀତିକ ବ୍ୟାପାରରେ ସ୍ଥାନ ମିଳିଛି। ଏହାପୂର୍ବରୁ ଏହି କମିଟିରେ ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ଯେଉଁ ମନ୍ତ୍ରୀ ପଦରେ ରହିଛନ୍ତି ସେମାନେ ସିସିପିଏରେ ନଥିଲେ। ଏହା ବ୍ୟତୀତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେ ମଧ୍ୟ ପ୍ରଥମ ଥର ପାଇଁ ସିସିପିଏରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବେ । ସମ୍ପୃକ୍ତ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ।

ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ। ଖେଳାଳୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ।

ଆଜି ରାତ୍ରୀ ୧.୪୪ ମିନିଟ୍‌ ସମୟରେ ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହେଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ,ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୮ କୋଟି ୮୦ ଲକ୍ଷ ୩୦ ହଜାର ୭୦୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୦ ଲକ୍ଷ ୫୫ ହଜାର ୨୬୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୧୯ ଲକ୍ଷ ୭୪ ହଜାର ୫୮୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୦ ଲକ୍ଷ ୮୪୫ ଜଣ ଲୋକ ସକ୍ରିୟ ଅଛନ୍ତି ।

ସାରା ବିଶ୍ୱରେ ବିଗତ ୧୦ ସପ୍ତାହ ପରେ ମୃତ୍ୟୁ ସଂଖ୍ୟା ଉପର ମୁହାଁ ହୋଇଛି । କୋଭିଡ ବିପଦରୁ ସୁରକ୍ଷିତ ରହିବା ପାଇଁ ଅନେକ ଦେଶ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ମିଳିଥିବା ସୂଚନା ଅନୁସାରେ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ। ତେଣୁ ଧନୀ ଦେଶ ଗୁଡ଼ିକ ବୁଷ୍ଟର ଡୋଜ ନେବା ପରିବର୍ତ୍ତେ ସେହି ଟିକା ଅନ୍ୟ ଗରିବ ଦେଶକୁ ଦେବା ଦରକାର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ।

କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କୋରନାର ଏହି ଭାରିଆଣ୍ଟ ଚିନ୍ତା ବଢ଼ାଇଲାଣି  । ବିଶ୍ୱରେ ଏହା କ୍ଷୀପ୍ରଗତିରେ ମାଡ଼ି ଚାଲିଛି :ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମହାନିର୍ଦ୍ଦେଶକ ଟ୍ରେଡୋସ୍ ।

 ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଚେତାବନୀ ଦେଇ କହିଛି, ଜନସନ ଆଣ୍ଡ ଜନସନର କରୋନା ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ଜଟିଳତା ସୃଷ୍ଟି କରିପାରେ । ଏହି ଟିକା ଆଗକୁ କେତେ ପ୍ରାଣଘାତୀ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । କିନ୍ତୁ ବର୍ତ୍ତମାନ ଲୋକେ ଗୁଇଲେନ୍-ବାରେ ସିଣ୍ଡ୍ରୋମ ବା ପକ୍ଷାଘାତ ରୋଗର ଶିକାର ହେଉଥିବା ରିପୋର୍ଟରେ ଜଣାପଡିଛି ।

ଆଜି ଶେର ବାହାଦୂର ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । କେପି ଓଲିଙ୍କୁ ପଦରୁ ହଟାଇ ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇଥିଲେ ନେପାଳର ସର୍ବୋଚ୍ଚ ଅଦାଲତ ।  

ଇରାକର ରାଜଧାନୀ ବାଗଦାଦର ଅଲ ହୁସେନ୍ ଶିକ୍ଷାଦାନ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ହସ୍ପିଟାଲ୍ ର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏକ ସ୍କୁଟି ସହ ୧୦୦ ଲିଟର ଦେଶୀମଦ ଜବତ ଦୁଇ ଗିରଫ...

Tue Jul 13 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)ଦିନକୁ ଦିନ ଭଦ୍ରକରେ ଚୋରାମଦ ବିକ୍ରି ବଢ଼ିବାରେ ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ ୧୧ ଘଟିକା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ବଜାର ନିକଟରେ ଏକ ସ୍କୁଟି ରେ ଦୁଇଜଣ […]

You May Like

Pin It on Pinterest