ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୭୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୨୨୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୧୮୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି (ଗୁରୁବାର) ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ସମ୍ପାଦକ କରିବେ । କଳା, ଧଳା, ହିରୁତାଳ, ହିଙ୍ଗୁଳ ଆଦି ରଙ୍ଗରେ ମହାବାହୁଙ୍କ ଶ୍ରୀମୁଖ ସିଙ୍ଗାର କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି (ଶୁକ୍ରବାର) ସରୁଛି ଆଂଶିକ ଲକଡାଉନ୍ । ଆଜି (ଗୁରୁବାର) ରାଜ୍ୟ ସରକାର ଘୋଷଣା କରିପାରନ୍ତି ନୂଆ ଗାଇଡଲାଇନ୍ ।
ଏବେ ରାଜ୍ୟରେ ମାତ୍ର ୨ ଲକ୍ଷ ୬୨ ହଜାର ୬୦ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୩୨ ହଜାର ୫୩୦ ଡୋଜ୍ କୋଭାକ୍ସିନ୍ ମହଜୁଦ୍ ରହିଥିବା ବେଳେ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟକୁ ଆସିବ ଆଉ ପାଖାପାଖି ସାଢେ ୧୯ ଲକ୍ଷ ଟିକା । କୋଭିସିଲ୍ଡର ୧୫ ଲକ୍ଷ ୯୨ ହଜାର ୭୭୦ ଡୋଜ୍ ଆଉ କୋଭାକ୍ସିନ୍ର ୩ ଲକ୍ଷ ୪୬ ହଜାର ୧୧୦ ଡୋଜ୍ । ଅଧିକ ଡୋଜ୍ ଟିକା ଦେବାକୁ ପୁଣି ଦାବି କରିଛି ଓଡ଼ିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକରେ ସାମିଲ ହୋଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ଅଛି, ଯାହା ପ୍ରଭାବରେ ରାଜ୍ୟରେ ୧୭ରୁ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ଆଜି ରାଜ୍ୟରେ ହାଲୁକା ଖରା ଓ କାଁ ଭାଁ ବର୍ଷା ହେବ । ୨୦ରୁ ବର୍ଷା ବଢ଼ିବ । ୨୪ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ।
ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ । ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ଆଦି ୪ଟି ବାମ ଦଳ ପକ୍ଷରୁ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ୍ , ଡିଜେଲ୍ , ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଛନ୍ତି ବାମପନ୍ଥୀ ଦଳ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୮୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୯ ଲକ୍ଷ ୮୭ ହଜାର ୮୮୦ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୧ ହଜାର ୯୮୯ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୩୨୦୪୧।
ଆଜି ପୁଣି ପେଟ୍ରୋଲ୍-ଡିଜେଲ୍ ଦର ବୃଦ୍ଧି ପାଇଛି । ପେଟ୍ରୋଲ ପ୍ରତି ଲିଟର ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି । କିଛି ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ପ୍ରତିଲିଟର ପିଛା ୧୦୨ଟଙ୍କା ଥିବା ବେଳେ, ଡିଜେଲ୍ ଦର ୯୮ଟଙ୍କା ରହିଛି ।
ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତ କରିବେ । ସେଠାରେ ସେ ଜାପାନ ଏବଂ ଭାରତର ବନ୍ଧୁତ୍ବର ପ୍ରତୀକ ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର ‘ରୁଦ୍ରାକ୍ଷ’ର ଉଦଘାଟନ କରିବେ। ଏହା ପ୍ରାଚୀନ ସହର କାଶୀର ସାଂସ୍କୃତିକ ସମୃଦ୍ଧିର ଝଲକ ଦେଖାଇବ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ୧୫୦୦ କୋଟିରୁ ଅଧିକ ଟଙ୍କାର ଅନେକ ଯୋଜନାର ଲୋକାପର୍ଣ ଏବଂ ଶିଳାନ୍ୟାସ କରିବେ ।
ଆଜି ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଚୀନର ବିଦେଶ ମନ୍ତ୍ରୀ ଓକ୍ୱାଙ୍ଗ ୱିଙ୍କୁ ସାକ୍ଷାତ କରିଛନ୍ତି । ତାଜକିସ୍ତାନର ରାଜଧାନୀର ଦୁଶାମ୍ବେରେ ଦୁଇ ନେତା ପ୍ରାୟ ଏକ ଘଂଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଅବସରରେ ଭାରତ-ଚୀନ ସୀମାରେ ଜାରି ଉତ୍ତେଜନାକୁ ନେଇ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏବେ ଇଣ୍ଡୋନେସିଆରେ କରୋନା ସଂକ୍ରମଣ ଅତି ସାଂଘାତିକ ରୂପ ନେଇଛି। ଇଣ୍ଡୋନେସିଆ ରେ ଦୈନିକ ସଂକ୍ରମଣ ମାମଲା ଭାରତଠାରୁ ଅଧିକ ରହିଛି । ଦ୍ରୁତ ଗତିରେ ବ୍ୟାପୁଥିବା ଡେଲ୍ଟା ପ୍ରଜାତି ପାଇଁ ଇଣ୍ଡୋନେସିଆ ଏବେ ଏସିଆର ନୂଆ କରୋନାଏପିସେଣ୍ଟର ହୋଇଛି । ସର୍ବାଧିକ ସଂକ୍ରାମକ ଡେଲ୍ଟା ପ୍ରଜାତି ଏବେ ଦେଶର ମୁଖ୍ୟ ଆଇଲାଣ୍ଡ୍ ଜାଭା ଅତିକ୍ରମ କରି ଅନ୍ୟ ଅଂଚଳକୁ ବ୍ୟାପି ଯାଇଛି । ଇଣ୍ଡୋନେସିଆରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୋହଲି ଯାଇଛି । ଅକ୍ସିଜେନ ପାଇଁ ସବୁଠୁ ହାହାକାର ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଇସିୟୁ ବେଡ୍ ମିଳୁନଥିବାରୁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ସଙ୍କଟ ବଢ଼ିଯାଇଛି।



