ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୯୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୭୪୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୩୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ପବିତ୍ର ହେରାପଞ୍ଚମୀ । ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ । ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗିବେ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୪୯ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୦ ଲକ୍ଷ ୨୬ ହଜାର ୮୨୯ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୨ ହଜାର ୫୩୧ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୮୭୬ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୩୦୪୨୨।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡିଶା, ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ରାଜ୍ୟରେ କୋଭିଡ ସ୍ଥିତିର ସମିକ୍ଷା କରିବେ ।
ଆଜି (ଶୁକ୍ରବାର) ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଗାନ୍ଧୀନଗରରେ ଏକ ନୂଆ ରେଳ ଷ୍ଟେସନର ଉଦଘାଟନ କରିବେ । ଏହା ଦେଶର ପ୍ରଥମ ପୁନଃବିକଶିତ ରେଳଷ୍ଟେସନ ହେବ । ଏଠାରେ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା ମିଳିବ । ଏହି ଷ୍ଟେସନର ବିଲ୍ଡିଂର ଉପର ମହଲାରେ ଏକ ପଞ୍ଚ ତାରକା ହୋଟେଲର ମଧ୍ୟ ଶୁଭାରମ୍ଭ କରିବେ ମୋଦୀ । ଏହି ପଞ୍ଚତାରକା ହୋଟେଲ ୨୫୦ ଫୁଟ୍ ଉଚ୍ଚ ଅଟେ । ଏହା ୭୪୦୦ ବର୍ଗ ମିଟର ପରିବ୍ୟାପ୍ତ । ଏଥିରେ ୩୧୮ଟି କୋଠରୀ ରହିଛି । ଏଥିପାଇଁ ପ୍ରାୟ ୭୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ ବିଜେପି କାର୍ଯ୍ୟକାରୀ କମିଟିର ବୈଠକରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଧ୍ୟକ୍ଷତା କରିବେ । ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକର ଆୟୋଜନ ହେଉଛି ।
ମହାରାଷ୍ଟ୍ର ସରକାର ରାଜ୍ୟକୁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସରକାର କହିଛନ୍ତି ଯେ, ଯେଉଁମାନେ କୋଭିଡ-୧୯ର ଉଭୟ ଡୋଜ୍ ନେଇସାରିଛନ୍ତି, ଆରଟି-ପିସିଆର ରିପୋର୍ଟ ନଥିଲେ ବି ମହାରାଷ୍ଟ୍ରକୁ ଆସିପାରିବେ । କରୋନା ଟିକାରର ଉଭୟ ଡୋଜ ନେଇଥିବା ଲୋକଙ୍କୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ । ମହାରାଷ୍ଟ୍ର ଯିବାକୁ ଚାହୁଁଥିବା ଲୋକ କୋଭିଡ-୧୯ ଟିକାର ୨ ଡୋଜ ନେଇ ନଥିଲେ ୭୨ ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇପାରିବେ ।
ଶ୍ରୀନଗରସ୍ଥିତ ଦାନମର ଅଂଚଳରେ ଆଲମଦର କଲୋନିରେ ଆତଙ୍କବାଦୀମାନେ ଲୁଛି ରହିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଛି । କଶ୍ମୀର ଜୋନ ପୋଲିସ କହିଛି, ଯବାନମାନେ ଆତଙ୍କମାନଙ୍କ ଉପରେ ଏନକାଉଣ୍ଟର କରିଛନ୍ତି ।
ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ୍ରେ ଆଦାନପ୍ରଦାନ କରାଯାଉଥିବା ମେସେଜ୍ ବା ବାର୍ତ୍ତାର କୌଣସି ପ୍ରମାଣଗତ ମୂଲ୍ୟ ଅଦାଲତ ପାଇଁ ନାହିଁ। ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରାଯାଇ ପାରିବ ନାହିଁ । ବିଶେଷକରି ରାଜିନାମା ଅନୁଯାୟୀ ହୋଇଥିବା ଭାଗିଦାରୀ ବ୍ୟବସାୟ ପାଇଁ ଏହାର କୌଣସି ମୂଲ୍ୟ ନାହିଁ । ସୁପ୍ରିମ କୋର୍ଟର ପ୍ରଧାନ ବିଚାରାପତି ଏନ ଭି ରମଣା ଏବଂ ବିଚାରପତି ହୃଷୀକେଶ ରାୟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି, ହ୍ବାଟ୍ସଆପ୍ ମେସେଜ୍କୁ ଆମେ କୌଣସି ଗୁରୁତ୍ବ ଦେଉନାହୁଁ ।
ଦେଶରେ ଅଗଷ୍ଟ ଶେଷ ସୁଦ୍ଧା କରୋନାର ତୃତୀୟ ଲହର ଆସିଯିବ। ତେବେ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍ ରହିବ : ଆଇସିଏମ୍ଆର ଡାକ୍ତର ସମୀରଣ ପଣ୍ଡା ।
ଆଜି (ଶୁକ୍ରବାର)ଜମ୍ମୁ ଓ କଶ୍ମୀରର ଜମ୍ମୁ ଓ ସାମ୍ବା ଆଦି ଅଞ୍ଚଳରେ ଉଡ଼ୁଥିବା ୪ଟି ସଂଦିଗ୍ଧ ଡ୍ରୋନକୁ ସୁରକ୍ଷା ବାହିନୀ ପକ୍ଷରୁ ଠାବ କରାଯାଇଛି । ଗତକାଲି ଜମ୍ମୁ ବାୟୁସେନା ଘାଟି ଉପରେ ଉଡ଼ୁଥିବା ଏକ ଡ୍ରୋନକୁ ସୁରକ୍ଷାବାହିନୀ ଗୁଳିକରି ଖସାଇବା ଆଜି ଏହି ଘଟଣା ସୁରକ୍ଷାବାହିନୀର ଚିନ୍ତା ବଢାଇଦେଇଛି ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ସେବା ଜୁଲାଇ ୧୬ ଓ ୧୭ ତାରିଖରେ କିଛି ସମୟ ପାଇଁ ବନ୍ଦ ରହିବ । ବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାକୁ ନେଇ ଟୁଇଟ ଜରିଆରେ ନିଜର ଗ୍ରାହକମାନଙ୍କ ପାଇଁ ସୂଚନା ଦେଇଛି । ଏଥିରେ ଲେଖାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟିର ସମାଧାନ ପାଇଁ ଜୁଲାଇ ୧୬ ଓ ୧୭ ତାରିଖ ରାତି ୧୦ଟା ୪୫ରୁ ରାତି ୧ଟା ୧୫ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବନ୍ଦ ରହିବ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ମୋଟ ୧୮ କୋଟି ୯୬ ଲକ୍ଷ ୯୪ ହଜାର ୬୬୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୦ ଲକ୍ଷ ୮୨ ହଜାର ୫୬୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୩୧ ଲକ୍ଷ ୨୭ ହଜାର ୫୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୪ ଲକ୍ଷ ୮୪ ହଜାର ୫୪୧ ଜଣ ଲୋକ ସକ୍ରିୟ ଅଛନ୍ତି ।



