ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୨୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୪୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୫୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ । ୨୧ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହିତ ୨୩ରୁ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍ ।
ଆଜି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ର ବୈଠକ । ଲୋକସେବା ଭବନରେ ସଂଧ୍ୟା ସମୟରେ ବସିବ କ୍ୟାବିନେଟ ବୈଠକ । ଏହି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚୁଆଲ ମୋଡରେ ଯୋଗ ଦେବେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।
ଆଜି ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହେବ । ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଆଜି ତିନିରଥକୁ ଦକ୍ଷିଣ ମୋଡ଼ କରାଯିବାର ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ରଥଟଣା ଆରମ୍ଭ ହେବ ।
ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳ ପ୍ରବାହ କମିଥିବା ରୁ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୬.୬୨ ଫୁଟ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୦୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୦ ଲକ୍ଷ ୬୪ ହଜାର ୯୦୮ ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୩ ହଜାର ୯୧ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୨ ଲକ୍ଷ ୨୭ ହଜାର ୭୯୨ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୨୪୦୨୫।
ଆଜିଠୁ ଖୋଲିବ କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର । କରୋନା ହେତୁ ଅନେକ ମାସ ଧରି ବନ୍ଦ ହୋଇରହିଥିଲା । ପୁଣି ଥରେ ମାସିକ ପୂଜା ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସାବରିମାଲା ପ୍ରଶାସନ କହିଛି ଯେ ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ମାସିକ ପୂଜାପାଠ ପାଇଁ ମନ୍ଦିର ଖୋଲାଯିବ ।
କେଉଁ ପରିସ୍ଥିତିରେ କରୋନା ର ତୃତୀୟ ଲହର କିଭଳି ଆକାର ଧାରଣ କରିବ ସେ ଉପରେ ଭିନ୍ନ ଭିନ୍ନ ସମ୍ଭାବନା ରହିଛି । ଯଦି ତୃତୀୟ ଲହର ଆସେ ତାହେଲେ ତାହା ଏକାଧିକ ରୂପ ନେଇପାରେ। ଯଦି ସମସ୍ତ ପ୍ରକାର କଟକଣାକୁ ଉଠାଇ ନିଆଯାଏ ଏବଂ ଭୂତାଣୁର ଗୋଟିଏ ପ୍ରଜାତି ପ୍ରତିରୋଧକତାକୁ ଭେଦ କରିପାରେ ତାହେଲେ ତୃତୀୟ ଲହର ଦ୍ବିତୀୟ ଲହରଠାରୁ ବଡ଼ ହେବ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ-ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।
ଦେଶର ଚାଷୀଙ୍କ ଲାଗି କେନ୍ଦ୍ର ସରକାର ଡିଜିଟାଲ ପ୍ଲାଟଫର୍ମ ‘କିଷାନ ସାରଥୀ’କୁ ଶୁଭାରମ୍ଭ କରିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ‘କିଷନ ସାରଥୀ’କୁ ଶୁଭାରମ୍ଭ କରିଛନ୍ତି । ଏହି ଡିଜିଟାଲ ପ୍ଲାଟଫର୍ମ ଚାଷୀଙ୍କୁ ଫସଲ ଏବଂ ବାକି ଜିନିଷ ପ୍ରତି ସୂଚନା ଦିଆଯିବ । ଏଥି ସହିତ ଏହାରି ସାହାଯ୍ୟରେ ଚାଷୀଙ୍କ ଫସଲ ଏବଂ ପନିପରିବାକୁ ବ୍ୟବସ୍ଥିତ ଭାବେ ବିକ୍ରି କରାଯିବ । ଏହାରି ମାଧ୍ୟମରେ ଚାଷୀଙ୍କ ଭଲ ଫସଲ ଉତ୍ପାଦନ, ଭିତ୍ତିଭୂମି ସଂପର୍କରେ ଅନେକ ତଥ୍ୟ ହାସଲ କରିହେବ । ଏଥି ସହିତ ଚାଷର ନୂତନ ଜ୍ଞାନ କୌଶଳ ସଂପର୍କରେ ସୂଚନା ପାଇପାରିବେ ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୨ ଲକ୍ଷ ୫୭ ହଜାର ୧୬୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୦ ଲକ୍ଷ ୯୧ ହଜାର ୨୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୩୪ ଲକ୍ଷ ୭୧ ହଜାର ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୬ ଲକ୍ଷ ୯୪ ହଜାର ୪୧୦ ଜଣ ଲୋକ ସକ୍ରିୟ ଅଛନ୍ତି ।
ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ତଳିଆ ଅଂଚଳ ଜଳାର୍ଣ୍ଣବ ହୋଇଛି । କିଛି ସ୍ଥାନରେ ବନ୍ୟା ଦେଖାଯାଇଛି । ବନ୍ୟାରେ ୧୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଜର୍ମାନୀର ରିନେଲ୍ଡ-ପଲାଟିନେଟ ରାଜ୍ୟରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୧୨ ଜଣ ସିନଜିଙ୍ଗରେ ଦିବ୍ୟାଙ୍ଗ ଆଶ୍ରୟ କେନ୍ଦ୍ରରୁ ଥିଲେ । ପଡେଶଶୀ ଉତ୍ତର ରିନେ-ୱେଷ୍ଟଫାଲିଆ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୩ରେ ପହଂଚିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।
ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ବି ଟିମ୍ ଏବଂ ଜୁଡୋ ଖେଳାଳିଙ୍କ ମଧ୍ୟରେ କିଛି ଖେଳାଳି ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବ୍ରିଟେନରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ରେକର୍ଡ ୫୧,୮୭୦ ନୂତନ କେସ୍ ରିପୋର୍ଟ ହୋଇଛି । କରୋନା ଯୋଗୁଁ ୪୯ ଜଣଙ୍କର ମୃତ୍ୟୁ ହୋଇଛି ।