ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୫୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୩୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩୦୪୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ । ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ।
ଆଜି (ସୋମବାର) ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍ । ଏହି ସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି ।
ଆଜି(ସୋମବାର)ଠୁ ସାରା ରାଜ୍ୟରେ ଗଡିବ ବସ୍ । ନିଖିଳ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିନେଇଥିବାରୁ ଆଜିଠୁ ବସ୍ ଚଳାଳଚ ସ୍ବାଭାବିକ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ତେବେ ରାଜଧାନୀରେ ଆଜିଠୁ ପୁଣି ଆରମ୍ଭ ହେବ “ମୋ ବସ” ସେବା । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ୍ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି ।
ଚଳିତ ମାସ ଶେଷ ସୁଦ୍ଧା ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାମାନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ) ନଗଦ ପୁରସ୍କାର ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜଣେ ଆଥଲେଟ୍ ଯଦି ସ୍ୱର୍ଣ୍ଣ ପଦକ ବିଜୟୀ ହୁଅନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସେହିଭଳି ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଥିବାବେଳେ ବ୍ରୋଞ୍ଜ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ମିଳିବ। ଜୁଲାଇ ୨୩ ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଶାର ପ୍ରାୟ ୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ଏବଂ ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ଖେଳାଳିଙ୍କୁ ପ୍ରୋତ୍ସାହନ ତଥା ଉନ୍ନତି କରିବା ପାଇଁ ପୁରସ୍କାର ଘୋଷଣା କରାଯାଇଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୧ ଲକ୍ଷ ୪୪ ହଜାର ୨୨୯ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୩ ଲକ୍ଷ ୮ ହଜାର ୪୫୬ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୨୧୬୬୫ ।
ଆଜି(ସୋମବାର)ଠୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ଉଭୟ ଲୋକସଭା ଓ ରାଜ୍ୟସଭା ସକାଳ ୧୦ରୁ ସଂଧ୍ୟା ୬ଟା ଯାଏଁ କାର୍ଯ୍ୟ କରିବ।
ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ । ଏହାସହ ୪ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରଦେଶ କଂଗ୍ରେସ ସଭାପତି ହେବେ ନବଜୋତ ସିଂ ସିଦ୍ଧୁ ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୧୧ ଲକ୍ଷ ୯୪ ହଜାର ୬୭୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୫ ହଜାର ୩୫୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୪୧ ଲକ୍ଷ ୪୭ ହଜାର ୮୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୯ ଲକ୍ଷ ୪୧ ହଜାର ୫୦୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ଇଂଲଣ୍ଡରେ କରୋନା କଟକଣାକୁ ସଂପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । ମାତ୍ର କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍, ଅର୍ଥମନ୍ତ୍ରୀ ଋଷି ସୁନକ ରବିବାର ସଂଗରୋଧରେ ଅଛନ୍ତି ।
ଜର୍ମାନୀରେ ପ୍ରବଳ ବର୍ଷା ପରେ ବନ୍ୟା ପାଇଁ ଜର୍ମାନର ବର୍ଚଟେସଗେଡେନ୍ ସହରର ରାସ୍ତାଘାଟ ପୂରା ଜଳମଗ୍ନ ହୋଇପଡିଛି । ବନ୍ୟା ହେତୁ ଘର ସବୁ ବୁଡି ରହିଛି । ଏପରିକି ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିବା ସହ କାଦୁରେ ପରିପୂର୍ଣ୍ଣ ହୋଇଛି । ବନ୍ୟା ଓ ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟ ୧୫୬ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କୋଲନର ଦକ୍ଷିଣରେ ସବୁଠାରୁ ଅଧିକ ପ୍ରଭାବିତ ଅହରୱିଲର୍ ଅଞ୍ଚଳରେ ପ୍ରାୟ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି ।