
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା,ଭୁବନେଶ୍ୱର) ଗତ ଏପ୍ରିଲ ୧୦ ତାରିଖରେ କମିଶନରେଟ୍ ପୁଲିସ ଆଖିରୁ ନିଦ ହଜାଇ ହଜାଇ ଦେଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ପୁଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ ଗୁଳିରେ ନିହତ ।କେନ୍ଦ୍ରାପଡାରେ ଜଣେ ରିକ୍ସା ଚାଳକରୁ ପରେ ଟପ୍ ଗ୍ୟାଙ୍ଗଷ୍ଟରର ପାଲଟିଥିବା ହାଇଦରର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି । ଆଜି ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ସୁରକ୍ଷା ଦାୟିତ୍ୱରେ ଥିଲେ ଜଣେ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ଗୋଟିଏ ସେକ୍ସନ ସଶସ୍ତ୍ର ବଳ। ସମୟ ଅପରାହ୍ଣ ୩ଟା ୨୦ମିନିଟ୍ । ହାଇଦରକୁ ନେଇ ଯାଉଥିବା ଭ୍ୟାନ୍ ଠିକ୍ ବାଲେଶ୍ୱର ସିମୁଳିଆ ନିକଟରେ ପହଞ୍ଚିବା ପରେ ପରିସ୍ରା ଯିବାର ବାହାନା କରିଥିଲା ହାଇଦର ।
ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଗାଡ଼ିରୁ ଓହ୍ଲାଇବା ବେଳେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା ହାଇଦର । ସୁରକ୍ଷାକର୍ମୀ ତାକୁ ବାରମ୍ବାର ଚେତାବନୀ ଦେଇଥିଲେ ମଧ୍ୟ, ମାନିନଥିଲା ହାଇଦର। ତେଣୁ ବାଧ୍ୟ ହୋଇ ପୁଲିସ ଗୁଳି କରିଥିଲା ।ପୁଲିସର ଓ୍ୱାର୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିଥିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା ।ପୁଲିସ କମିଶନରଙ୍କ କହିବାନୁଯାୟୀ ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା । ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇପଡ଼ିବାରୁ ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ରିକ୍ସା, ଟ୍ରେକର ଓ ଟ୍ରକ ଚଳାଇ ଜୀବିକା ନିର୍ବାହ କରୁଥିବା ହାଇଦର ଅପରାଧ ଜଗତର ଦିନେ ବାଦଶାହା ବନିଯିବ କିଏ ଜାଣିଥିଲା । ୮୦ ଦଶକରେ ଯେତେବେଳେ କେନ୍ଦ୍ରାପଡ଼ା ମେଡିକାଲରେ ଶବ ପୋଷ୍ଟମର୍ଟମ ପାଇଁ ବ୍ୟବସ୍ଥା ନଥିଲା ହାଇଦର ଶବ ବାହକଭାବେ ମଧ୍ୟ କାମ କରି ପଇସା ରୋଜଗାର କରିଛି। କେନ୍ଦ୍ରାପଡ଼ାରୁ କଟକ ପର୍ଯ୍ୟନ୍ତ ଦୀର୍ଘ ୬୦ କିମି ନିଜ ଟ୍ରଲିରେ ଡେଡ୍ ବଡି ବୋହି ବ୍ୟବଚ୍ଛେଦ ପାଇଁ ଆଣୁଥିଲା। ତେବେ ସେଇ ୧୯୮୦ ବେଳକୁ ସେ ଅପରାଧ ଜଗତକୁ ପ୍ରବେଶ ସହ କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଭାବେ କାମ କଲା। ପରେ ଟିଟୋ, ସୁଲେମାନ ଓ ହାଇଦର ମିଳିମିଶି ଚଳାଇଥିଲେ ଅପରାଧ ସାମ୍ରାଜ୍ୟ । ପରେ ଟିଟୋ ଓ ହାଇଦର ମଧ୍ୟରେ ଫାଟ ସହ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗ୍ୟାଙ୍ଗଓ୍ୱାର । ୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର । ଆଜି ଶବ ବାହାକରୁ ଅପରାଧ ଜଗତର ବାଦଶାହା ପୋଲିସ ଗୁଳିରେ ଶବ ହୋଇଯାଇଛି ।