ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୭୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୪୩୦୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି । ୨୯ ତାରିଖ ଯାଏଁ ଏହା ରାଜ୍ୟରେ ବର୍ଷା କରାଇବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି : ପାଣିପାଗ ବିଭାଗ ।
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ବରୀ ନିର୍ବାଚନ ମଣ୍ଡଳୀର ୩୪ ଓ ୩୬ ନମ୍ବର ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ ବିଜେପି କର୍ମୀ ଅନୁଷ୍ଠାନିକ ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।
ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡା ଟାଉନ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି। ଟାଉନ ସମେତ ସହର ଉପକଣ୍ଠ ରେ ଥିବା ୪ ଗୋଟି ପଂଚାୟତରେ ୧୪୪ ଧାରା ଲାଗୁ ହୋଇଛି। ଜିଲ୍ଲାପାଳ ଅମୃତ ୠତୁରାଜ ବାରିମୂଳ, ଗୁଲନଗର, କପାଳେଶ୍ୱର ଓ ଯମଧର ଗ୍ରାମପଞ୍ଚାୟତ ରେ ୧୪୪ ଧାରା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୦ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ସକାଳ ୭ ଟାରୁ ଦିନ ୧୧ ମଧ୍ୟରେ ଗ୍ରୋସରି ଓ ଆମିଷ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସେହିପରି ହୋଟେଲ ଓ ରେସ୍ତୋରାଁ ରୁ ଲୋକମାନେ ଖାଦ୍ୟ ପାର୍ଶଲ ନେଇ ପାରିବେ। କୌଣସି ଜାଗାରେ ୫ ଜଣରୁ ଅଧିକ ଲୋକ ମେଳି କରି ପାରିବେ ନାହିଁ। ସେହିପରି ଦିନ ୧୧ ଟା ପରେ ସହରରେ ଟ୍ରାଫିକ କଟକଣା କଡ଼ାକଡ଼ି କରାଯିବ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୩ ଲକ୍ଷ ୭୧ ହଜାର ୯୦୧ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୦ ହଜାର ୫୫୧ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୫ ଲକ୍ଷ ୪୩ ହଜାର ୫୫୧ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୮୨୧୨।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ରବିବାର) ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ । ୨୬ ତାରିଖରେ କାର୍ଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି ଅବସରରେ ସେ ଲଦାଖର ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ଆସନ୍ତା ୨୭ ତାରିଖରେ ଶ୍ରୀନଗରସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ର ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି ଯେ ଆମ ଶରୀର ପାଇଁ ଦୁଇଟି ଡୋଜ ଯଥେଷ୍ଟ ନୁହେଁ । ଦେଶରେ କରୋନାର ଯେଉଁ ସବୁ ନୂଆ ଭାରିଆଣ୍ଟ ବାହାରକୁ ଆସୁଛି ସେସବୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଡକ୍ଟର ଗୁଲେରିଆ କହିଛନ୍ତି ଯେ ଭବିଷ୍ୟତରେ କୋଭିଡ -19 ଭୂତାଣୁର ଅନେକ ପରିବର୍ତ୍ତନ ଘଟିବ ।
ଆଜି(ରବିବାର) ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାର ମୁନାନ୍ଦ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି।
ଟୋକିଓରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ସୁଟର ମନୁ ଭକର ଏବଂ ଯଶସ୍ୱିନୀ ସିଂ ଦେଶୱାଲ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ଆଗକୁ ବଢିପାରି ନାହାନ୍ତି । ସେହିପରି ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ଆଉଟ୍ ହୋଇଛନ୍ତି । ଏହା ସହ ଭାରତର ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ମଧ୍ୟ ଶେଷ ହୋଇଛି ।