ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଓଡ଼ିଆ ପୁଅ ତଥା ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ମୁର୍ମୁଙ୍କୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି | ମୟୁରଭଞ୍ଜର ବେତନଟିରେ ଜନ୍ମଗ୍ରହଣ କରିଥିବା ଗିରିଶ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା | ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ଚନ୍ଦ୍ର ମୁର୍ମୁ ତାଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।

କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଆତ୍ମପ୍ରକାଶ କରିବାକୁ ଯାଉଥିଲାବେଳେ ଏହାର ୬ ଦିନ ପୂର୍ବରୁ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୭୭ ବ୍ୟାଚର ତ୍ରିପୁରା କ୍ୟାଡର ଆଇଏଏସ୍ ଅଫିସର ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ ପ୍ରତିରକ୍ଷା ସଚିବ ଓ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ କାର୍ଯ୍ୟ କରିଥିଲେ। ସେ ତ୍ରିପୁରାର ମୁଖ୍ୟ ସଚିବ ମଧ୍ୟ ଥିଲେ। ବର୍ତ୍ତମାନ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ଗୋଆ ବଦଳି କରାଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ସେହିପରି ଭାଜପାର କେରଳ ସଭାପତି ଥିବା ପି.ଏସ୍. ଶ୍ରୀଧରନ ପିଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।