ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୦୮୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୩୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୦୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି(ମଙ୍ଗଳବାର)ଠୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଖୋଲିଛି । ତେବେ କୋରାନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ । ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ ।
ରାଜ୍ୟରେ ୩ ଦିନ ହେଲା ବର୍ଷାର ପରିମାଣ ଖୁବ୍ କମ୍ ରହିଛି। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ଜୁନ୍ ୧ ତରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ୍ ୪୬୧.୬ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧% ନିଅଣ୍ଟିଆ ବର୍ଷା ହୋଇଛି। ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ରହିଛି। ସେଗୁଡ଼ିକ ହେଲା ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୫୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୭ ଲକ୍ଷ ୨୬ହଜାର ୫୦୭ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୮ ଲକ୍ଷ୯୬ ହଜାର ୩୫୪ରେ ପହଁଚିଥିବା ବେଳେ ଏବେ ଦେଶରେ ୪୨୫୧୯୫ଟି ସକ୍ରିୟ ମାମଲା ରହିଛି ।
ଆଜି ଦିନ ୧୨ଟାରେ ବାହାରିବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ।
ଆଜି ସକାଳ ପ୍ରାୟ ୬.୨୭ରେ ପୋର୍ଟ ବ୍ଲେୟାର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିଲା ।
ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠୁ ୫-୨ ହାରିଛି । ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବିଶ୍ୱ ଚମ୍ପିଆନ୍ ବେଲଜିୟମ୍ ଦଳ ଭାରତକୁ ମାତ୍ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରେବଶ କରିଛି । ଅପରପକ୍ଷରେ ଏବେ ଭାରତୀୟ ମହିଳା ହକି ଦଳ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ୧-୦ରେ ହରାଇବାର ଐତିହାସିକ ସଫଳତା ସହ ପ୍ରଥମ ଥର ସେମିଫାଇନାଲ୍ରେ ପ୍ରବେଶ କରିଛି।
ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ରସିଦ ଇରାନୀ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୯୫ ଲକ୍ଷ ୫୨ ହଜାର ୧୪୯ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୪୭ ହଜାର ୯୪୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟ ୨୨ ହଜାର ୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୨ ଲକ୍ଷ୮୨ ହଜାର ୨୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ଏବେ ଏସିଆର କୋଭିଡ୍ର ଆଉ ଏକ ହଟ୍ସ୍ପଟ ପାଲଟିଛି ଇଣ୍ଡୋନେସିଆ । ଏଠାରେ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷରେ ପହଞ୍ଚିଛି । ଇଣ୍ଡୋନେସିଆରେ ମୋଟ୍ ସଂକ୍ରମଣ ମାମଲା ୩,୪୪୦,୩୯୬ ଥିବାବେଳେ ୯୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଅଷ୍ଟ୍ରେଲିଆରେ ଡେଲ୍ଟା ପ୍ରଜାତି ଭୟଙ୍କର ସ୍ଥିତି ଆଣିଛି। ଅଷ୍ଟ୍ରେଲିଆର ତୃତୀୟ ବୃହତ୍ତମ ସହର ତଥା କ୍ବିନ୍ସଲାଣ୍ଡ୍ ରାଜଧାନୀ ବ୍ରିସବେନ୍ ଏବଂ ସିଡ଼୍ନିରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି। ବ୍ରିସବେନ୍ରେ ଲକ୍ଡାଉନ୍ ଅବଧି ବଢ଼ିଥିବାବେଳେ ସିଡ଼ନିରେ କରୋନା ନିୟମାବଳିର ସଠିକ୍ ପାଳନ ପାଇଁ ସୈନ୍ୟ ମୁତୟନ ହୋଇଛନ୍ତି।
ଚୀନର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ପ୍ରବଳ ବର୍ଷା ହୋଇଥିବା କାରଣରୁ ଗତ କିଛି ଦିନ ହେବ ମଧ୍ୟ-ଚୀନର ହେନାନ୍ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିଛି । ହେନାନର ରାଜଧାନୀ ଝାଙ୍ଗଜୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଲେ ଏଠାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୪୭ ଜଣ ଏବେବି ନିଖୋଜ ଅଛନ୍ତି । ଏଠାକେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି । ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଜିନଜିଆଙ୍ଗ୍ ସହରରେ ୭ ଜଣ ପ୍ରାଣ ହରାଇବା ବେଳେ ୩ ଜଣ ନିଖୋଜ ଅଛନ୍ତି ।