ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୨୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୮୭୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୨୦୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜଧାନୀରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି।
ଦୀର୍ଘଦିନ ପରେ ଖୋଲିଲା ଯଜପୁର ମାଆ ବିରଜାଙ୍କ ମନ୍ଦିର । କୋଭିଡ଼ର ଗାଇଡ଼ ଲାଇନ ମାନି ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବେ । ମା ଙ୍କ ବେଢା ପରିକ୍ରମା ନକରି କେବଳ ମାଙ୍କୁ ଦର୍ଶନ କରି ଫେରିବେ । ସକାଳ ୬ ଟାରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ ।
ଆଜି(ବୁଧବାର) ରେଙ୍ଗାଳି ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛଡାଯିବ ।
କଟକ-ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଖୁବ୍ଶୀଘ୍ର ଆରମ୍ଭ ହେବ ସେରୋସର୍ଭେ। ନିକଟରେ କେନ୍ଦ୍ର ସରକାର ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର ପରାମର୍ଶରେ ରାଜ୍ୟମାନଙ୍କୁ ସେରୋସର୍ଭେ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା । ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ମଧ୍ୟ ଖୋଲିଛି । କୋଭିଡ କଟକଣାକୁ ନେଇ ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ମାସ୍କ, ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଥିବା ବେଳେ ଭକ୍ତଙ୍କୁ ଫୁଲ ଓ ପ୍ରସାଦ ମନା ।
ଦିନିକିଆ ବଲାଂଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପରେ ପହଞ୍ଚିବେ । ସେଥରୁ ବାହାରି ପ୍ରଥମେ ଦେଓଗାଁ ପଂଚାୟତ ହାଇସ୍କୁଲ ପରିଦର୍ଶନ କରିବେ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୭ ଲକ୍ଷ ୬୯ହଜାର ୧୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୫ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୦୯ ଲକ୍ଷ ୩୩ ହଜାର ୦୯୯ରେ ପହଁଚିଥିବା ବେଳେ ୪୧୦୩୫୩ ଟି ସକ୍ରିୟ ମାମଲା ରହିଛି ।
ଆଜି ଟୋକିଓ ଅଲିମ୍ପିକ୍ସରେ ଆସାମର ବକ୍ସର ଲଭଲୀନା ବୋରଗୋହେନଙ୍କ ସେମିଫାଇନାଲ ବକ୍ସିଂ ମ୍ୟାଚ୍ ଦେଖିବା ପାଇଁ ବିଧାନସଭାର କାର୍ଯ୍ୟକାଳ ୩୦ ମିନିଟ ଯାଏଁ ସ୍ଥଗିତ ରହିବ । ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ ।
ଟୋକିଓ ଅଲିମ୍ପିକ୍ସର ଦ୍ବାଦଶ ଦିବସରେ ପୁରୁଷ ବର୍ଗ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା । ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏ ର ଶୀର୍ଷରେ ରହିବା ସହତି ଜାଭେଲିନ୍ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ । ସେପଟେ ଭାରତର କୁସ୍ତି ଖେଳାଳି ଦୀପକ ପୁନିଆ ପୁରୁଷମାନଙ୍କ ୮୬ କିଲୋଗ୍ରାମ୍ ‘ଫ୍ରିଷ୍ଟାଇଲ୍ କୁସ୍ତି ପ୍ରତିଯୋଗିତା’ରେ ଚୀନ୍ର ଜୁସେନ୍ ଲିନ୍ଙ୍କୁ ୬-୩ରେ ପରାସ୍ତ କରି ସେମି-ଫାଇନାଲ୍କୁ ପ୍ରବେଶ କରିଛନ୍ତି । ସେହିପରି, ପୁରୁଷ ୫୭ କେଜି ‘ଫ୍ରିଷ୍ଟାଇଲ୍ କୁସ୍ତି ପ୍ରତିଯୋଗିତା’ରେ ଏସିଆନ୍ ଚାମ୍ପିଅନ୍ସିପ୍ସ୍ ସ୍ବର୍ଣ୍ଣପଦକ ବିଜେତା ଭାରତର ରବି କୁମାର ଦହିୟା ମଧ୍ୟ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୨ ଲକ୍ଷ ୧୭ ହଜାର ୩୬୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୫୮ ହଜାର ୨୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୪ ଲକ୍ଷ ୯୫ ହଜାର ୭୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୪ ଲକ୍ଷ ୬୩ ହଜାର ୪୪୭ ଜଣ ଲୋକ ସକ୍ରିୟ ଅଛନ୍ତି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ ଖେଳାଯିବ । ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ ।
ଆଫଗାନିସ୍ତାନରେ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଲଗାତାର ସ୍ଥିତି ଖରାପ ଆଡ଼କୁ ଗତି କରୁଛି । ଆଫଗାନିସ୍ତାନ ଏହାରି ମଧ୍ୟରେ ଭାରତକୁ ସହାୟତା ମାଗିଛି । ମଙ୍ଗଳବାର ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ ହନୀଫ ଅତମାର ନିଜର ଭାରତୀୟ ସମକକ୍ଷ ଏସ୍ ଜୟଶଙ୍କରଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି । ସେ ଜୟଶଙ୍କରଙ୍କ ଠାରୁ ନିଜ ଦେଶରେ ତାଲିବାନ ଦ୍ୱାରା କରାଯାଉଥିବା ହିଂସା ଏବଂ ମାନବାଧିକାରୀ ଉଲ୍ଲଂଘନ ଘଟଣାକୁ ରୋକିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିବା ଆଶଙ୍କା ଉପରେ ଆଲୋଚନା କରିଛନ୍ତି ।
ଆର୍ଥିକ ଅନଟନରେ ଥିବା ରାଷ୍ଟ୍ର ପାକିସ୍ତାନ ତା’ର ପାଣ୍ଠି ବୃଦ୍ଧି ପାଇଁ ଇସ୍ଲାମାବାଦର ‘ରେଡ୍ ଜୋନ୍’ରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କର ସରକାରୀ ବାସଭବନକୁ ଭଡ଼ା ଦେବା ପାଇଁ ‘ପାକିସ୍ତାନୀ ଫେଡେରାଲ୍ କ୍ୟାବିନେଟ୍’ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛି । ସାଂସ୍କୃତିକ, ଫେସନ୍, ଶିକ୍ଷା ସମ୍ବନ୍ଧୀୟ ଏବଂ ସେହି ପ୍ରକାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ା ଦିଆଯିବ ।