ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୩୫୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୫୯୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୋମବାରଠୁ ଅର୍ଥାତ ୧୬ତାରିଖରୁ ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ । ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଗର ଭକ୍ତଙ୍କ ଦର୍ଶନ ଚାଲିବ । ପାଖାପାଖି ୪୫ ହଜାର ପରିବାରଙ୍କ ଦର୍ଶନ ପାଇଁ ପୌରସଂସ୍ଥା ଘର ଘର ବୁଲି ସ୍ୱଚ୍ଛସାଥୀଙ୍କ ଜରିଆରେ ଟୋକନ ବାଣ୍ଟିଛି । ଦର୍ଶନ ସୂଚୀ ମୁତାବକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିବେ ସହରବାସୀ । ଦେଉଳ ଭିତରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରତିହାରୀ ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଛି ।
ଆଜି ଦିନ ଗୋଟାଏ ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) କାର୍ଯ୍ୟାଳୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି । www.orissaresults.nic.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ଫଳ ଉପଲବ୍ଧ ହେବ। ଉକ୍ତ ଦୁଇଟି ବିଭାଗର ମୋଟ ୨ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ।
ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି (ଅଗଷ୍ଟ ୧୫) ଓ ୧୬ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୧ ଲକ୍ଷ ୫୬ହଜାର ୪୯୩ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୦ ହଜାର ୭୩୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୮ହଜାର ୮୮ରେ ପହଁଚିଥିବା ବେଳେ ୩୮୭୬୭୩ଟି ସକ୍ରିୟ ମାମଲା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା: ଏଣିକି ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ହେବ । ସାରା ଦେଶବାସୀଙ୍କୁ ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ସେ କହିଛନ୍ତି ଯେ ଏହି ଦିନ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଆମ ଭଉଣୀ ଏବଂ ଭାଇଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ତାଙ୍କ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟରେ ‘ବିଭାଜନ ବିଭିଷୀକା ସ୍ମୃତି ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ରର ତିନୋଟି ନୂଆ କୃଷି ଆଇନ ବିରୋଧରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏହାର ଭିତରେ ଆସନ୍ତାକାଲି ଦେଶ ପାଳିବ ୭୫ ତମ ସ୍ୱାଧିନତା ଦିବସ । ତେବେ କାଲି ‘ଟ୍ରାକ୍ଟର ପ୍ୟାରେଡ୍’ରେ ସାମିଲ ହେବେ ମହିଳା କୃଷକ । ପ୍ରାୟ ୫୦୦୦ ଗାଡି ଏବଂ୨୦,୦୦୦ କୃଷକ ଅଂଶଗ୍ରହଣ କରିବେ ବୋଲି ଜଣେ କୃଷକ କହିଛନ୍ତି । ଦିଲ୍ଲୀ ଏବଂ ଏହାର ଆଖପାଖ ସୀମାରେ ପ୍ରାୟ ୮ ମାସ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନେ ସ୍ୱାଧୀନତା ଦିବସ ପାଇଁ ଆନ୍ଦୋଳନର ରୂପରେଖ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସକୁ ‘କୃଷକ-ମଜଦୁର ଆଜାଦି ସାଙ୍ଗମ ଦିବସ’ ଭାବରେ ପାଳନ କରିବାକୁ କୃଷକମାନେ ନିଷ୍ପତ୍ତି ନେଇଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୬୮ ଲକ୍ଷ ୭୮ ହଜାର ୯୬୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୫୭ ହଜାର ୨୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୫୫ ଲକ୍ଷ ୩୬ ହଜାର ୨୩୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୯ ଲକ୍ଷ ୮୫ ହଜାର ୪୪୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ ହାଉସ ଅଫ ରିପ୍ରେଜନଟେଟିଭ ବା ପ୍ରତିନିଧି ସଭାରେ ଆଗତ କରାଯାଇଛି। ଗାନ୍ଧିଜୀ ସାରା ଜୀବନ ଶାନ୍ତି ଓ ଅହିଂସା ଉପରେ କାମ କରୁଥିବାରୁ ତାଙ୍କୁ ଆମେରିକା ସର୍ବୋଚ୍ଚ ବେସାମରିକ ସମ୍ମାନ Congressional Gold Medalରେ ସମ୍ମାନିତ କରିବାକୁ ନ୍ୟୁୟର୍କର କଂଗ୍ରେସ ସଦସ୍ୟ କାରୋଲିନ ବି ମେଲୋନି ପ୍ରସ୍ତାବ ରଖିଛନ୍ତି।
ଆଫଗାନିସ୍ତାନରେ ମାଡ଼ି ଚାଲିଥିବା ତାଲିବାନ ସଂଗଠନ ଏବେ ଭାରତକୁ ଧମକ ଦେଇଛି। ଭାରତକୁ ଧମକ ଦେବା ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତାଲିବାନ ମୁଖପାତ୍ର ଶୋହିଲ ଶାହୀନ ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରେ ଭାରତ ପକ୍ଷରୁ ସାଲମା ଡ୍ୟାମ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହା ନିଶ୍ଚୟ ଏକ ଭଲ ପକ୍ଷେପ। କିନ୍ତୁ ଭାରତ ଯଦି ଆଫଗାନିସ୍ତାନରେ କୌଣସି ସାମରିକ ଭୂମିକା ନିର୍ବାହ କରିବ, ତା’ହେଲେ ଏହା ଆଦୌ ଠିକ୍ ହେବନାହିଁ ବୋଲି ତାଲିବାନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ତାଲିବାନ ଆଫଗାନିସ୍ତାନର ପ୍ରଦେଶକୁ ଦଖଲ କରିବା ସହ ସେହି ପ୍ରଦେଶରେ ରହୁଥିବା ମହିଳା ଏବଂ ବାଳିକାଙ୍କ ଅଧିକାରକୁ କବଜା କରି ରଖିଛି। ଏବେ ଏହି ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଅତି ଭୟଙ୍କର ବୋଲି କହିଛନ୍ତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍।
ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଶୁକ୍ରବାର ଆଫଗାନକୁ ୩୦୦୦ ସୈନ୍ୟଙ୍କୁ ପଠାଇଛି । ଆମେରିକୀୟ ଯବାନମାନେ କାବୁଲରେ ପହଁଚି ସାରିଛନ୍ତି । ସେଠାରେ ଥିବା ଆମେରିକାର ଦୂତାବାସରୁ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରିବାରେ ଯବାନମାନେ ସାହାଯ୍ୟ କରିବେ । ଆମେରିକାର ଅଧିକାରୀ ଏବଂ କର୍ମଚାରୀଙ୍କ ନିରାପଦ ସ୍ଥାନାନ୍ତର ମଧ୍ୟରେ ତାଲିବାନ ଦେଶର ବହୁ ଅଂଶ ଦଖଲ କରିସାରିଛି।