ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୪୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୭୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୭୫ତମ ସ୍ଵାଧିନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାଧିନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଦେଶର ଏକତା ଓ ଅଖଣ୍ଡତାକୁ ସମସ୍ତେ ବଜାୟ ରଖିବା ଉଚିତ । ଏହାସହ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି ।
୭୫ତମ ସ୍ଵାଧିନତା ଦିବସ ଅବସରରେ ଭୁବନେଶ୍ଵର ପ୍ରଦର୍ସନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ସହିଦ ହୋଇଥିବା ଅମର ଯବାନ ଏବଂ କରୋନା ଲଢେଇରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟର ଗତି ଓଡ଼ିଶା ଅଭିମୁଖେ ରହିଥିବାରୁ ୧୫ରୁ ୧୭ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହୁଛି । ୧୬ ଓ ୧୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି : ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷକରି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୧ ଲକ୍ଷ ୯୨ହଜାର ୫୭୬ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୧ ହଜାର ୨୨୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୩ ଲକ୍ଷ ୭୬ହଜାର ୧୫ରେ ପହଁଚିଥିବା ବେଳେ ୩୮୫୩୩୬ଟି ସକ୍ରିୟ ମାମଲା ରହିଛି ।
ସମଗ୍ର ଦେଶ ପାଳନ କରୁଛି ୭୫ତମ ସ୍ଵାଧିନତା ଦିବସ । ସ୍ଵାଧିନତା ଦିବସ ଅବସରରେ ଦେଶ ପାଳନ କରୁଛି “ଆଜାଦି କା ଅମୃତ ମହୋତ୍ସବ”। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାପରେ ଐତିହାସିକ ଲାଲକିଲ୍ଲାରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି।
ସ୍ଵାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଉଦବୋଧନରେ ସମାରୋହରେ ଉପସ୍ଥିତ ଥିବା ଅଲମ୍ପିକ୍ ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି। ଟୋକିଓ ଅଲମ୍ପିକ୍ସରେ ସଫଳତା ଯୁବ ପିଢିଙ୍କୁ ପ୍ରେରିତ କରିବ ବୋଲି ମୋଦି କହିଛନ୍ତି। ଏହି ସମୟରେ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।ସମାଜରେ ଯେପରି କେହି ବିକାଶରୁ ବଞ୍ଚିତ ନହୁଅନ୍ତୁ ତାହା ଆମର ଉଦ୍ଦେଶ୍ୟ। ଏଥିପାଇଁ ମେଡିକାଲ ଶିକ୍ଷାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି। ପିଏମ୍ କିଷାନ ଯୋଜନାରେ ୧୦ କୋଟି ଚାଷୀଙ୍କୁ ଦେଢ ଲକ୍ଷ କୋଟି ମିଳିଛି। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି। ଗାଁ ଜମିର ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି।
କେନ୍ଦ୍ର ଏବଂ ଗୁଜରାଟ ସରକାର ଅହମଦାବାଦରେ ଥିବା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମର ପୁନଃନିର୍ମାଣ ଲାଗି ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଏହି ଆଶ୍ରମକୁ ଧ୍ବଂସ କରିଦେବ। ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଗଲାଣି । ସୂଚନାନୁଯାୟୀ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଗାନ୍ଧୀ ଆଶ୍ରମ ମେମୋରିଆଲ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ପୁନଃନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକର ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ।
ସମୁଦ୍ର ପତନରୁ ୧୪ ହଜାରରୁ ୧୭ ହଜାର ଫୁଟ ଉପରେ ଉଡ଼ିଲା ତ୍ରିରଙ୍ଗା। ‘ଭାରତ ମାତା କି ଜୟ’ ସ୍ଲୋଗାନରେ ଗୁଞ୍ଜରିତ ହେଲା ଆକାଶ ମାର୍ଗ। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଘାଟିରୁ। ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ ଉଚ୍ଚ ଘାଟି ଉପରେ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଞ୍ଚଳ । ସେହିପରି ପାଙ୍ଗଗଙ୍ଗ ହ୍ରଦ ଲଦାଖ ସୀମାରେ ମଧ୍ୟ ଯବାନମାନେ ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୭୪ ଲକ୍ଷ ୭୩ ହଜାର ୬୬୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୬୬ ହଜାର ୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୫୯ ଲକ୍ଷ ୭୬ ହଜାର ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୧ ଲକ୍ଷ ୩୦ ହଜାର ୯୧୬ ଜଣ ଲୋକ ସକ୍ରିୟ ଅଛନ୍ତି ।
ଗତକାଲି (ଅଗଷ୍ଟ ୧୪) ଦକ୍ଷିଣ-ପଶ୍ଚିମ ହାଇତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଯୋଗୁଁ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି । ଶକ୍ତିଶାଳୀ ଭୂକମ୍ପରେ ହଜାର ହଜାର ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି । ପେଟିଟ ସହର ଠାରୁ ୮ କିଲୋମିଟର ଦୂର ଏବଂ ପୋର୍ଟ-ଓ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି ।
ତୁର୍କୀର ଏକ ସହରରେ ରୁଷ୍ର ଅଗ୍ନି ନିର୍ବାପକ ଯୁଦ୍ଧବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ୮ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ସୂଚନାନୁଯାୟୀ, ରୁଷ୍ର ବି-୨୦୦ ବିମାନଟି ଆଠ ଜଣ ବିମାନ କର୍ମଚାରୀଙ୍କୁ ନେଇ ତୁର୍କୀ ଅଭିମୁଖେ ଉଡ଼ାଣ ଭରିଥିଲେ । କିନ୍ତୁ ବିମାନଟି ତୁର୍କୀର ଦକ୍ଷିଣପ୍ରାନ୍ତରେ ଥିବା ଆଡାନା ସହର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା ।
ପାକିସ୍ତାନର କରାଚିରେ ଭୟଙ୍କର ବିସ୍ଫୋରଣ। ଏକ ଟ୍ରକ୍କୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳା ଏବଂ ଶିଶୁଙ୍କ ସମେତ ଏହି ଟ୍ରକ୍ରେ ପ୍ରାୟ ୨୦ ଜଣ ଯାତ୍ରୀ ଯତ୍ରା କରୁଥିଲେ। ଏକ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ କରାଚିର ବାଲିଡ୍ୟା ସହରରେ ଏହି ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନର ହାତ ରହିଛି ତାହା ଏଯାଏଁ ଜଣାପଡିନାହିଁ ।