ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୬୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୯୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ଦାନା ବାନ୍ଧିଛି । ଏହା ପ୍ରଭାବରେ ରାଜ୍ୟରେ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ଅନୁମାନ କରାଯାଉଛି କି ଆଜି(ମଙ୍ଗଳବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ୧୨ଟି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ : ପାଣିପାଗ ବିଭାଗ ।
ଇସ୍କନ ସଂସ୍ଥାଦ୍ୱାରା ପ୍ରତିଷ୍ଠିତ ମନ୍ଦିରମାନଙ୍କରେ ଶ୍ରୀଜଗନ୍ନାଥ ବିଗ୍ରହଙ୍କୁ ନେଇ ବିନା ତିଥିରେ ବର୍ଷର ଯେ କୌଣସି ସମୟରେ ଆୟୋଜନ କରୁଥିବା ରଥଯାତ୍ରା ବିରୋଧରେ ସ୍ବର ଉତ୍ତୋଳନ ହେବା ଫଳରେ ଇସ୍କନ କର୍ତ୍ତୃପକ୍ଷ ଅଦିନରେ ରଥଯାତ୍ରା କରିବେ ନାହିଁ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଇସ୍କନ କର୍ତ୍ତୃପକ୍ଷ ଭାରତବର୍ଷର ବିଭିନ୍ନ ପ୍ରଦେଶରେ ମନ୍ଦିର ସ୍ଥାପନ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦାରୁବିଗ୍ରହ ପ୍ରତିଷ୍ଠା କରି ବର୍ଷସାରା ବିଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ମାତ୍ର ରଥଯାତ୍ରା କ୍ଷେତ୍ରରେ ଯେକୌଣସି ଦିନ ଠାକୁରମାନଙ୍କୁ ରଥରେ ବସାଇ ସହର ପରିକ୍ରମା କରୁଥିବାରୁ ଏ ବାବଦରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବହୁବର୍ଷ ପୂର୍ବେ ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ସେମାନେ ଟାଳଟୁଳ ନୀତି ଅବଲମ୍ବନ କରି ଅଦିନରେ ରଥଯାତ୍ରା ଚାଲୁ ରଖିଥିଲେ।
ଲଗାଣ ବର୍ଷାରେ ବୁଡିଲା ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ପୋଲ । ଜିଲ୍ଲାରେ ଗତ ଦୁଇ ଦିନ ଧରି ଜାରି ରହିଛି ବର୍ଷା । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲ ଉପରେ ତିନି ରୁ ଚାରି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବା ବେଳେ ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୧୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୨ ଲକ୍ଷ ୫୦ହଜାର ୬୭୯ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୪ ଲକ୍ଷ ୪୮ହଜାର ୭୫୪ରେ ପହଁଚିଥିବା ବେଳେ ୩୬୯୮୪୬ଟି ସକ୍ରିୟ ମାମଲା ରହିଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୮୬ ଲକ୍ଷ ୩୮ ହଜାର ୨୫୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୮୨ ହଜାର ୮୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୭୦ ଲକ୍ଷ ୩୬ ହଜାର ୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୨ ଲକ୍ଷ ୧୯ ହଜାର ୩୨୬ ଜଣ ଲୋକ ସକ୍ରିୟ ଅଛନ୍ତି ।
ତାଲିବାନମାନେ କାବୁଲ ଦଖଲ କରିନେବା ପରେ ବିଭିନ୍ନ ଦେଶ ଆଫଗାନିସ୍ତାନରେ ଥିବା ନିଜର କୂଟନୀତିଜ୍ଞ, ଅନ୍ୟ କର୍ମଚାରୀ ଓ ଲୋକମାନଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ଉଦ୍ଗ୍ରୀବ ହୋଇପଡ଼ିଛନ୍ତି। ବହୁ ଆଫଗାନିସ୍ତାନବାସୀ ମଧ୍ୟ ତାଲିବାନ ଶାସନରେ ନିଜକୁ ସୁରକ୍ଷିତ ନ ମଣି ଦେଶ ଛାଡ଼ିବାକୁ ଚେଷ୍ଟାରେ ଅଛନ୍ତି। ଏହି ଅବସରରେ ଆମେରିକା ସମେତ ୬୫ଟି ଦେଶ ଆଫଗାନିସ୍ତାନ ଛାଡ଼ି ଯିବାକୁ ଚାହୁଁଥିବା ବିଦେଶୀମାନଙ୍କୁ ବାଧା ନ ଦେବାକୁ ତାଗିଦ କରିଛନ୍ତି। ସେମାନଙ୍କୁ ଯେପରି କୌଣସି ପ୍ରକାର ନିର୍ଯାତନା ଦିଆ ନ ଯାଏ ଏବଂ ଜଣେ ଲୋକର ବି ଯେପରି ମୃତ୍ୟୁ ନ ଘଟେ ସେଥି ପ୍ରତି ଦୃଷ୍ଟି ଦେବା ଲାଗି ଆମେରିକାର ବୈଦେଶିକ ବିଭାଗ ଏକ ଯୁଗ୍ମ ବିବୃତି ଜାରି କରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏ ବାବଦରେ ଟୁଇଟ କରିଛନ୍ତି।
ଆଫଗାନିସ୍ତାନରେ ଲାହଗିରହିଥିବା ଉତ୍ତେଜନା ମଧ୍ୟରେ ଅନୁଭୂତ ହୋଇଛି ଭୂକମ୍ପ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦର ୮୩ କିଲୋମିଟର ଦକ୍ଷିଣ ପୂର୍ବରେ ଅବସ୍ଥିତ । ଆଜି (ମଙ୍ଗଳବାର) ସକାଳ ୬.୦୮ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନି କି କାହାର କିଛି କ୍ଷୟକ୍ଷତି ହୋଇନି ।
ଉଜବେକିସ୍ତାନରେ ଆଫଗାନିସ୍ତାନ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ଆଫଗାନିସ୍ତାନର ଏକ ସାମରିକ ବିମାନ ଜେଟ ୧୬ ଅଗଷ୍ଟ ଅର୍ଥାତ୍ ସୋମବାର ସୀମା ପାର ହେଉଥିବାବେଳେ ଉଜବେକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜେଟର ପାଇଲଟ ସୁରକ୍ଷିତ ଥିବା ସୂଚନା ରହିଛି । ପଳାୟନ କରୁଥିବା ଆଫଗାନିସ୍ତାନ ସୈନିକଙ୍କୁ ନେଇ ଏକ ବିମାନ ପଡୋଶୀ ଦେଶର ଆକାଶ ସୀମାକୁ ଯିବା ପରେ ଉଜବେକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଆଟାକା କରାଯାଇଥିଲା ।
ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଛନ୍ତି।
ଆଫଗାନିସ୍ତାନରେ ସଂକଟ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଜି(ମଙ୍ଗଳବାର) ଆମେରିକୀୟ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ତାଲିବାନର ନିୟନ୍ତ୍ରଣ ଏବଂ ଆଫଗାନିସ୍ତାନରେ ବିଗିଡ଼ିଥିବା ଅବସ୍ଥାକୁ ନେଇ ବାଇଡେନ ଅଶରଫ ଗନି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଆଫାଗାନିସ୍ତାନକୁ କଠିନ ସମୟରେ ଛାଡ଼ି ଦେଇ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି । ତାଙ୍କୁ ପ୍ରଶ୍ନ ପଚରାଯିବା ଦରକାର ଯେ, ବିନା ଲଢ଼େଇ କରି ଆଫଗାନିସ୍ତାନ ଛାଡ଼ି କାହିଁକି ପଳାୟନ କଲେ । ରାଷ୍ଟ୍ରପତି ଜୋ ବାଇଡେନ ନିଜର ସମ୍ବୋଧନରେ କହିଛନ୍ତି, ଆଫଗାନିସ୍ତାନରେ ପରିସ୍ଥିତି ଆକସ୍ମିକ ଭାବେ ବଦଳିବା ଏବଂ ସେଠାରେ ସ୍ଥିତି ଗମ୍ଭୀର ହୋଇଛି । ଆମେରିକା ସେନାକୁ ଫେରାଇ ଆଣିବା ନିଷ୍ପତ୍ତିକୁ ସଠିକ କହିଛନ୍ତି । ସେ କହିଛନ୍ତି ଯେ, ଆମର ସେନା ଲଗାତାର ଲଢ଼ିବ ନାହିଁ । ମୁଁ ଏହି ପ୍ରସଙ୍ଗକୁ ନେଇ ସ୍ପଷ୍ଟ ଯେ, ଆମର ବିଦେଶୀ ନୀତି ମାନବାଧିକାର ଉପରେ କେନ୍ଦ୍ରୀତ ।
୧୩୦ ସିଟ୍ କ୍ଷମତା ଥିବା କାର୍ଗୋ ବିମାନରେ ବସିଲେ ୬ଶହରୁ ଅଧିକ। ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କାବୁଲରୁ କତାର ଯାଇଥିବା ଏକ ଆମେରିକୀୟ କାର୍ଗୋ ବିମାନ ଭିତରେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।ତାଲିବାନୀ ଶାସନରୁ ବର୍ତ୍ତିବା ପାଇଁ ଚାଲିଛି ସଂଘର୍ଷ। ଯିଏ ଯେମିତି ପାରୁଛି ସେହି ଉପାୟରେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛି। ତାଲିବାନଙ୍କ କବଳରୁ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି ଲୋକେ। ଏଥିପାଇଁ କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ ଜମୁଛି।