ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୨୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୯୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୫୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୨୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମାଲକାନଗିରିରେ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟାଯିବ । ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ ଲକ୍ଷ୍ୟ ରଖାଯାଇଛି ।
ଆସନ୍ତା ୨୩ ତାରିଖରୁ ଖୋଲିବ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଏଥିସହ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକ ଭକ୍ତମାନଙ୍କ ପାଇଁ ଖୋଲାଯିବ । ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକରେ କୋଭିଡ୍ କଟକଣା ବଳବତ୍ତର ରହିବ ।
ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ରିପୋର୍ଟ ଆମର ହସ୍ତଗତ ହୋଇନି । ରିପୋର୍ଟ ମିଳିବା ପରେ ଏନେଇ ତର୍ଜମା କରାଯିବ । ସେପଟେ ସ୍କୁଲ ଖୋଲିବା ନେଇ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ଦାବି କରିଛନ୍ତି । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ବିଭାଗକୁ ଆୟୋଗ ସୁପାରିଶ କରିଥିବା ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ କବି ଅଜିତ କୁମାର ସେଠୀ ୨୦୨୧ ଜାତୀୟ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚୟନ କରାଯାଇଛି । ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ ସେଥିରୁ ଓଡିଶାର ଦୁଇ ଜଣ ରହିଛନ୍ତି । ଭଦ୍ରକ ଜିଲ୍ଲାର ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ଅଜିତ କୁମାର ସେଠୀ ନାମ ଏହି ତାଲିକାରେ ରହିଛି ।
ଅଗଷ୍ଟ ୨୭ ତାରିଖରେ ବସିବ ସର୍ବଦଳୀୟ ବୈଠକ । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । ଚଳିତ ବିଧାନସଭା ମୌସୁମୀ ଅଧିବେଶନ ମଧ୍ୟ କରୋନା କଟକଣାକୁ ମାନି ଗୃହ ପରିଚାଳିତ ହେବ । ସୂଚନା ଅନୁସାରେ, ଷୋଡଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୯ ତାରିଖ ଯାଏଁ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଛି । ୫ ତାରିଖରେ ରବିବାର ପଡୁଥିବାରୁ ସେହି ଦିନ ଛୁଟି ରହିବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୬୩ ଲକ୍ଷ ୬୦୫ରେ ଓ ମୃତ୍ୟୁସଂଖ୍ୟା ୪,୩୩,୫୮୯ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୬୩,୬୦୫ । ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୫,୬୧,୬୩୫ରେ ପହଞ୍ଚିଛି।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୧୨୭ ତମ ସାମ୍ବିଧାନିକ ସଂଶୋଧନ ବିଲକୁ ରାଜ୍ୟମାନଙ୍କୁ OBC ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କଠାରୁ ଅନୁମତି ପାଇବା ପରେ ଏହି ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହେଇଛି । ସୂଚନାନୁଯାୟୀ, ମୌସୁମୀ ଅଧିବେଶନ ଶେଷ ହେବାର ଠିକ୍ ପୂର୍ବରୁ ଏହି ବିଲ୍ ଲୋକସଭା ପରେ ରାଜ୍ୟସଭା ଦ୍ୱାରା ଅନୁମୋଦିତ ହୋଇଥିଲା ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଜୀଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି’। ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ସଭାପତି ତଥା ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାହୁଲ ଗାନ୍ଧୀ ବୀର ଭୂମିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
କରୋନା ପ୍ରକୋପ କମିଥିବାରୁ ମଧ୍ୟପ୍ରଦେଶରେ ଦୀର୍ଘ ୧୮ ମାସ ପରେ ସିନେମା ହଲ ଖୋଲିଛି ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୨୧ କୋଟି ୭ ଲକ୍ଷ ୮୪ ହଜାର ୬୮୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୧୬ ହଜାର ୮୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୮୭ ଲକ୍ଷ ୨୩ ହଜାର ୩୪୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୬ ଲକ୍ଷ ୪୫ ହଜାର ୨୪୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଫଗାନିସ୍ତାନରେ ଫସି ରହିଥିବା ୪୦୦-୪୫୦ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ତ୍ବରାନ୍ବିତ କଲା ଭାରତ। ଏନେଇ ଭାରତ ଆମେରିକା ସହିତ ନିରନ୍ତର ଯୋଗାଯୋଗରେ ରହିଥିବା ଜଣାପଡ଼ିଛି।
ତାଲିବାନ କ୍ଷମତାକୁ ଆସିବା ପରେ ଦେଶରେ ଶାନ୍ତି ବଜାୟ ରହିବ ବୋଲି ଦାବି କରିଥିଲେ ମଧ୍ୟ ଏବେ ସେ ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଥିବା ଜଣାପଡ଼ିଛି। ବର୍ଷ ବର୍ଷ ଧରି ଆମେରିକୀୟ ସେନାକୁ ସାହାଯ୍ୟ କରିଆସୁଥିବା କମାଣ୍ଡରମାନଙ୍କୁ ତାଲିବାନମାନେ ଖୋଜିଖୋଜି ହତ୍ୟା କରୁଥିବା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ନୌସେନା ସର୍ଜେଣ୍ଟ ରୟାନ୍ ରୋଜର୍ସ କହିଛନ୍ତି ଯେ, ତାଲିବାନମାନେ ଆମେରିକୀୟ ସେନାକୁ ସାହାଯ୍ୟ କରିଥିବା ୩ଜଣ କମାଣ୍ଡରଙ୍କୁ ଖୋଜି ସେମାନଙ୍କୁ ଫାଶିରେ ଝୁଲାଇ ଦେଇଛନ୍ତି। ତାଲିବାନମାନେ ଘରକୁ ଘରକୁ ବୁଲି ଆମେରିକା ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସେମାନଙ୍କର କିଛି ଯୋଜନା ରହିଛି ବୋଲି କହି ସେମାନଙ୍କୁ ଘରୁ ଉଠାଇ ଆଣୁଛନ୍ତି। ଏହା ପରେ ସେମାନଙ୍କୁ ହତ୍ୟା କରୁଥିବା କହିଛନ୍ତି ନୌସେନା ସର୍ଜେଣ୍ଟ ରୟାନ୍ ରୋଜର୍ସ।
ତାଲିବାନୀମାନେ ଅଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଲୋକମାନେ ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ଚାଲିଯାଉଛନ୍ତି , ଯାହାର ଅନେକ ଦୃଶ୍ୟ ସାମ୍ନାକୁ ଆସିସାରିଛି। ଗତ ୧୬ ତାରିଖରେ ତାଲିବାନ ଭୟରେ ଦେଶଛାଡ଼ିବାକୁ ବିମାନବନ୍ଦରରେ ଲୋକେ ଭିଡ଼ ଜମାଇଥିଲେ । ଏହାରି ଭିତରେ ବିମାନ ଚକାରେ ଓହଳି ଅନ୍ୟ ଦେଶକୁ ଯିବାକୁ ଚେଷ୍ଟା କରୁଥିବା ଦୁଇଜଣ ଆଫଗାନବାସୀ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା ଦୁଇଜଣଙ୍କ ମଧ୍ୟରେ ଆଫଗାନର ଜାତୀୟ ଫୁଟବଲ ଦଳର ଖେଳାଳି ଜାକି ଅନୱାରୀ ମଧ୍ୟ ସାମିଲ ଥିଲେ ବୋଲି ଜଣାପଡ଼ିଛି ।
ଆଫଗାନିସ୍ତାନକୁ କବ୍ଜା କରିବା ପରେ ରକ୍ତରେ ଖେଳୁଛନ୍ତି ତାଲିବାନ୍ । ମନଇଛା ଯାବାକୁ ପାରୁଛନ୍ତି ଗୁଳି କରି ଦେଉଛନ୍ତି । ଆମେରିକା ଇଣ୍ଟେଲିଜେନ୍ସ ପାଇଁ କାମ କରୁଥିବା ଲୋକଙ୍କୁ ସେମାନେ ଖୋଜିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । କାନ୍ଧାର ଏବଂ ହେରାତ୍ରେ ବନ୍ଦ ରହିଥିବା ବାଣିଜ୍ୟିକ ଦୂତାବାସ ଭିତରକୁ ବୁଧବାର ତାଲିବାନ୍ ମାନେ ତାଲା ଭାଙ୍ଗି ପ୍ରବେଶ କରିଥିବା ଜଣାପଡ଼ିଛି । କାବୁଲ୍ରୁ ମିଳିଥିବା ରିପୋର୍ଟରୁ ଦୂତାବାସ ଭିତରେ ସେମାନେ ଆଲ୍ମିରା ଭାଙ୍ଗି ସେଥିରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜ-ପତ୍ର ଖୋଜିଥିବା ଜଣାପଡ଼ିଛି । ଅଫିସ୍ ପରିସରରେ ଥିବା କାର୍ଗୁଡ଼ିକୁ ମଧ୍ୟ ସେମାନେ ଉଠାଇ ନେଇଯାଇଛନ୍ତି ।
ରକ୍ତମୁଖା ତାଲିବାନ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ସାମ୍ୱାଦିକ । ତାଲିବାନମାନେ ଘରକୁ ଘର ବୁଲି ଖୋଜି ବୁଲୁଛନ୍ତି ଜର୍ମାନୀରେ କାମ କରୁଥିବା ସାମ୍ବାଦିକଙ୍କ ତାଲିକା । ଜଣଙ୍କ ପରେ ଜଣେ ତାଲିବାନମାନଙ୍କ ଶିକାର ହେବାରେ ଲାଗିଛନ୍ତି । ହେଲେ ଏବେ ତାଲିବାନମାନେ ସେମାଙ୍କର ସମ୍ପର୍କୀୟଙ୍କୁ ବି ଛାଡିନାହାଁନ୍ତି ।ଜଣେ DW ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ତାଲିବାନ ମାନେ ହମଲା କରିଛନ୍ତି । ଅର୍ଥାତ ତାଲିବାନଙ୍କ ଗୁଳି ଜଣଙ୍କ ମୃତ୍ୟୁ ହେବ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଅନ୍ୟ ସମ୍ପର୍କୀୟମାନେ ଶେଷ ମୁହୂର୍ତ୍ତରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କର ଦୋଷ ହେଲେ ଏତିକି ଯେ, ଏମାନେ ସମସ୍ତେ ସାମ୍ୱାଦିକଙ୍କ ସମ୍ପର୍କୀୟ ।