ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୩୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୭୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୮୦ ଜଣ ଛୁଆ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍‌ ଶହେ ଡେଇଁଛି, ଯାହାକି ଚିନ୍ତାର ବିଷୟ । 

ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ । ଏହି ୪ଘଣ୍ଟା ମଧ୍ୟରେ ଦ୍ବିତୀୟ ‌ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।

ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର । ବାବା ଚନ୍ଦନେଶ୍ଵରଙ୍କୁ ଏବେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।କରୋନା କଟକଣା ମଧ୍ୟରେ ସମସ୍ତ ଗାଇଡଲାଇନ୍ ଅନୁପାଳନ କରି ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ମାତ୍ର ମନ୍ଦିର ଭିତରକୁ ଭୋଗ ନେଇ ପାରିବେ ନାହିଁ । ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବେ। କୋଭିଡ ଗାଇଡଲାଇନ୍ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଶନିବାର ମନ୍ଦିର ବନ୍ଦ ରହିବ। ସକାଳ ୬ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ।

ଆଜିଠୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଏଥିସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଉଣା ଅଧିକ ବର୍ଷା ଜାରି ରହିବ।ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରେ ଥିବା ବ୍ରିଟିସ୍‌ ଅମଳର ଓଡ଼ିଶାର ପ୍ରଥମ ଜଳଭଣ୍ଡାର ଭଞ୍ଜନଗର ରସଲକୋଣ୍ଡା ଘାଇ ଏ ବର୍ଷ ବର୍ଷାଭାବ ରୁ ଶୁଖିଯାଇଥିବାରୁ ଏହା ଭିତରୁ ୧୨୭ ବର୍ଷ ତଳେ ନିର୍ମିତ ଛେଦାଭୂମି ଗ୍ରାମର ଶ୍ରୀ ବିଶ୍ବନାଥ ସ୍ବାମୀ ତଥା ମହାଦେବଙ୍କ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଆଉ ଆଜି ଏହି ଐତିହାସିକ ମନ୍ଦିରର ଉପର ଭାଗ ଦେଖିବାକୁ ମିଳିଛି। ଯାହାକି ବର୍ଷାଭାବ ଓ ମରୁଡ଼ିର ଉତ୍କଟ ରୂପ ପ୍ରତିଫଳିତ କରୁଛି।

ଜାତୀୟ ଶିକ୍ଷା ନୀତିର ପ୍ରଥମ ବର୍ଷ ପୂର୍ତ୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏନ୍‌ସିଇଆରଟି ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ୪ଟି ନୂଆ ଉପକ୍ରମକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ବିଜେନ୍ଦ୍ର କୁମାର ଲୋକାର୍ପିତ କରିଛନ୍ତି।ଏହି ଲୋକାର୍ପଣ ଉତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ଏବଂ ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ । ଶିକ୍ଷା କେବଳ ଡିଗ୍ରି ପାଇବା ପାଇଁ ଏକ ପ୍ରତିଯୋଗିତା ନୁହେଁ । ଶିକ୍ଷା ହେଉଛି ଜ୍ଞାନ ମାଧ୍ୟମରେ ଚରିତ୍ର ନିର୍ମାଣ ଏବଂ ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ ।

୫ ଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର (ଆରଏସଏସ) ସରସଂଘଚାଳକ ମୋହନ ଭାଗବତ । ଏହି ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଭାଗବତ ୨୬ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବା କାର୍ଯ୍ୟସୂଚୀ ରହିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୬୪୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୫,୧୨,୩୬୬ ଓ ମୃତ୍ୟୁସଂଖ୍ୟା ୪,୩୫,୭୫୮ରେ ପହଞ୍ଚିଛି।ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୬୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୧୭,୫୪,୨୮୧ରେ ପହଞ୍ଚିଛି।

ଅଗଷ୍ଟ ୨୬ ରୁ ୨୯ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ଗୋରଖପୁର ଏବଂ ଅଯୋଧ୍ୟା ସହର ଗସ୍ତରେ ଯିବା ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି। ଅଗଷ୍ଟ ୨୯ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ରେଳ ଯୋଗେ ଲକ୍ଷ୍ନୌରୁ ଅଯୋଧ୍ୟା ଯାଇ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ପୂଜାପାଠ କରିବେ। ଅଯୋଧ୍ୟାରେ ‘ତୁଳସୀ ସ୍ମାରକ ଭବନ’ ଏବଂ ‘ନଗର ବସ୍‌ଷ୍ଟାଣ୍ଡ୍‌’ର ବିକାଶ ଏବଂ ‘ଅଯୋଧ୍ୟା ଧାମ’ର ନବିକରଣ/ନିର୍ମାଣ କାର୍ଯ୍ୟ ସମେତ ଯୋଗୀ ଆଦିତ୍ୟନାଥ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାରଙ୍କର କେତେକ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିବେ।

ଗତକାଲି(ମଙ୍ଗଳବାର) ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇ ଦିଲ୍ଲୀରେ ପହଞ୍ଚିଥିବା ୮୭ଜଣଙ୍କ ମଧ୍ୟରୁ ୧୬ଜଣ କରୋନାଭାଇରସ୍‌ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଉକ୍ତ ୭୮ଜଣଙ୍କୁ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି। ପଜିଟିଭ୍ ହୋଇଥିବା ୧୬ଜଣ ଆଫଗାନିସ୍ତାନ ଫେରନ୍ତା ହେଉଛନ୍ତି ଲକ୍ଷଣବିହୀନ ରୋଗୀ। ସେମାନଙ୍କ ଶରୀରରେ ଭୂତାଣୁ ସଂକ୍ରମିତ ହୋଇଥିବାର କୌଣସି ଉପସର୍ଗ ଦେଖିବାକୁ ମିଳିନାହିଁ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୩୯ ଲକ୍ଷ ୩୧ ହଜାର ୬୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୬୩ ହଜାର ୫୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୧୪ ଲକ୍ଷ ୩୨ ହଜାର ୬୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୦ ଲକ୍ଷ ୩୪ ହଜାର ୮୬୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ବିରୋଧରେ ପୂରା ବିଶ୍ୱ ଏକାଠି ହୋଇଛି । ସେହିପରି ଆଜି ବିଶ୍ୱ ବ୍ୟାଙ୍କ ଆଫଗାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଇ ଦେଇଛି। ଆଫଗାନର ସ୍ଥିତି ଖରାପ ଥିବାରୁ ବିଶ୍ୱବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ବିଶ୍ୱ ବ୍ୟାଙ୍କର ମୁଖପାତ୍ର କହିଛନ୍ତି, ଆଫଗାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ତାଲିବାନ ସେଠାରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାର ସବୁଠାରୁ ଅଧିକ ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆଫଗାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଉଛୁ।

ତାଲିବାନ ଭୟ ରେ ଦେଶ ଛାଡୁଥିବା ଆଫଗାନବାସୀମାନେ ବିମାନ ବନ୍ଦରରେ ଗହଳି ଜମାଇଛନ୍ତି । ସ୍ଥାନାନ୍ତରଣକାରୀ ବିମାନ ଆରୋହଣ ନିମନ୍ତେ କାବୁଲ ବିମାନ ବନ୍ଦରକୁ ଯାଉଥିବା ଆଫଗାନ ନାଗରିକମାନଙ୍କୁ ଅଟକାଇବେ ବୋଲି ତାଲିବ୍‌ମାନେ କହଛନ୍ତିି । କିନ୍ତୁ, ବିଦେଶୀ ନାଗରିକମାନେ ବିମାନ ବନ୍ଦର ଅଭିମୁଖେ ଯାଇ ପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ତାଲିବାନ୍‌ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି।ସେ କହିଛନ୍ତି, ବିମାନ ବନ୍ଦରକୁ ଯାଉଥିବା ସମସ୍ତ ରାସ୍ତାକୁ ଅବରୋଧ କରାଯାଇଛି। ଆଫଗାନମାନେ ସେ ବାଟେ ବିମାନ ବନ୍ଦରକୁ ଯାଇ ପାରିବେ ନାହିଁ, କିନ୍ତୁ, ବିମାନ ବନ୍ଦରକୁ ପଡ଼ିଥିବା ସେ ରାସ୍ତାରେ ବିଦେଶୀ ନାଗରିକମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟରେ ୮୮୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ୧୩୧ ଜଣ...

Wed Aug 25 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ୧୩୧ ଜଣ ସଂକ୍ରମିତ । ଗୋଟିଏ ଦିନ ବ୍ୟବଧାନରେ ୫୧ ଜଣ ପିଲାଙ୍କ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଅର୍ଥାତ ଗତକାଲି ଟୋଟାଲ ସଂକ୍ରାମିତଙ୍କ ମଧ୍ୟରେ ୮୦ ଜଣ ୧୮ ବର୍ଷରୁ କମ ରୋଗୀ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍‌ ଶହେ ଏକତିରିଶ, ଯାହାକି ସମସ୍ତଙ୍କ […]

You May Like

Pin It on Pinterest