ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୪୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୦୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ରାଜ୍ୟରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି।

କଳାହାଣ୍ଡିରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପୋଷାକ କିଣାରେ ବ୍ୟାପକ ଫିକ୍ସି ଅଭିଯୋଗ । ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ତଦନ୍ତ ନିର୍ଦ୍ଦେଶ । କଲମପୁର ବ୍ଲକରେ ବଣ୍ଟନ ପୋଷାକ ନିମ୍ନ ମାନର ଦର୍ଶାଇ ଚୟନ କମିଟି ପ୍ରତ୍ୟେକ ସ୍କୁଲରେ ଯାଂଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ଆଜି ପ୍ରଥମ ବୈଠକ । ଆଜି ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ହେରିଟେଜ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଓ ଗତ ରଥଯାତ୍ରାର ସମୀକ୍ଷା ନେଇ ଆଲୋଚନା କରାଯିବ ।

ମାଚ୍ଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ । ହାଇଭୋଲଟେଜ୍ କାରଣରୁ ଜଳ ବିଦ୍ୟୁତ୍ ପ୍ରକଳ୍ପର ୫ଟି ଟର୍ବାଇନ୍ ରୁ ୪ଟି ଟର୍ବାଇନ୍ ସଟଡାଉନ୍ ହୋଇଯାଇଥିଲା । ହେଲେ ଗୋଟିଏ ଟର୍ବାଇନ୍ ସଟଡାଉନ ହୋଇନପାରିବାରୁ ଏଥିରେ ନିଆଁ ଲାଗିଯାଇଥିଲା ।ଏହି ସମୟରେ ସେଠାରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ନିଆଁ ଲିଭାଇବାକୁ ଉଦ୍ୟମ କରି ଆହତ ମଧ୍ୟ ହୋଇଥିଲେ ।ଏଭଳି ଦୁର୍ଘଟଣା ପରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା । ପରେ ଜଳ ବିଦ୍ୟୁତ୍ ପ୍ରକଳ୍ପର ଟେକନିସିଆନ୍ ମରାମତି କରିବା ପରେ ପୁଣି ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇଥିଲା ।

ଆଜି(ଗୁରୁବାର) ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍‌ । ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଅପରପକ୍ଷେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.  ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୫ ଲକ୍ଷ ୫୮ହଜାର ୫୩୦ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୬ ହଜାର ୩୬୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୭ ଲକ୍ଷ ୮୮ହଜାର ୪୪୦ରେ ପହଁଚିଥିବା ବେଳେ ୩୩୩୭୨୫ଟି ସକ୍ରିୟ ମାମଲା ରହିଛି ।

ଆଜିଠୁ ୪ର୍ଥ ପର୍ଯ୍ୟାୟ ସର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ମାସ ୨୬,୨୭,୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ପରୀକ୍ଷା ହେବ । ଦେଶର ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ପାଖାପାଖି ୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଆଜିଠାରୁ ସମଗ୍ର ଦେଶରେ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଇ-ଶ୍ରମ ପୋର୍ଟାଲରେ ଶ୍ରମିକମାନେ ନିଜେ ପଞ୍ଜିକରଣ କରାଇ ପାରିବେ।ପଞ୍ଜିକରଣରେ ଟ୍ରକ ଡ୍ରାଇଭର, ଦୁଗ୍ଧଜାତ ସାମଗ୍ରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକ, କୃଷି କାର୍ଯ୍ୟରେ ସାମିଲ ଥିବା ଶ୍ରମିକ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସାମିଲ ହୋଇପାରିବେ।ପଞ୍ଜିକୃତ ଶ୍ରମିକମାନଙ୍କୁ ଇ-ଶ୍ରମିକ କାର୍ଡ (ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର) ମିଳିବ ଯାହାଦ୍ବାରା ଜଣେ ଶ୍ରମିକ ଯେକୌଣସି ରାଜ୍ୟରୁ ସାମାଜିକ ସୁରକ୍ଷା ଲାଭ ପାଇ ପାରିବେ।

ସେପ୍ଟେମ୍ବର ୧ ତାରିଖ ଠାରୁ ୪ର୍ଥ ଏବଂ ୫ମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନେଇ ହରିୟାଣା ସରକାର ନିଷ୍ପତି ନେଇଛନ୍ତି ।ହରିୟାଣାରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ତେଣୁ ସମସ୍ତ ପ୍ରକାର କରୋନା ପ୍ରଟୋକଲ କୁ ମାନି ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ହୋଇଛି ।ଛାତ୍ରଛାତ୍ରୀ, ଶକ୍ଷକ ଓ ଅଣଶିକ୍ଷକଙ୍କୁ ହାତରେ ଗ୍ଲୋଭ୍‌ସ, ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ।

ଆଫଗାନିସ୍ତାନରେ ପରିସ୍ଥିତି ନେଇ କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । କଣ ରହିବ ସରକାରଙ୍କ ଆଭିମୁଖ୍ୟ, ଲୋକ ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ କରାଯାଇଛି । ସେନେଇ ବିସ୍ତୃତ ଭାବେ ଆଲୋଚନା ହେବେ । ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ସମସ୍ତ ସୂଚନା ଦେବେ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି  ୪୬ ଲକ୍ଷ ୮୦ ହଜାର ୧୫୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୭୫ ହଜାର ୧୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୨୦ ଲକ୍ଷ ୨୦ ହଜାର ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୧ ଲକ୍ଷ ୮୪ ହଜାର ୫୧୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସେନା ଆଜି(ଗୁରୁବାର)ଠାରୁ ପ୍ରଶାନ୍ତ ମହାସାଗରରେ ମିଳିତ ସମରାଭ୍ୟାସ କରିବେ । ମାଲାବର ୨୧ ନାମରେ ଏହି ସମରାଭ୍ୟାସ ଅଗଷ୍ଟ ୨୬ରୁ ଅଗଷ୍ଟ ୨୯ ଯାଏଁ ଚାଲିବ । ଯେଉଁଥିରେ କ୍ୱାଡିଲାଟ୍ରଲ ଡାଏଲର ବା ସମସ୍ତ ଚାରୋଟି ଦେଶ ସାମିଲ ହେବେ । ଏହି ୪ ଦେଶ ଗତବର୍ଷ ପ୍ରଥମ ଥର ପାଇଁ ମିଳିତ ଯୁଦ୍ଧାଭ୍ୟାସ କରିଥିଲେ । ତେବେ ମାଲାବର ୨୧ ନୌସନ୍ୟ ଅଭ୍ୟାସର ୨୫ ତମ ସଂସ୍କରଣ ହେବ ।

ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଓ ଅନ୍ୟ ବିଦେଶୀ ସେନା କାବୁଲ ଛାଡ଼ିବା ପାଇଁ ତାଲିବାନୀମାନେ ପୁଣି ଥରେ ଚେତାଇ ଦେଇଛି। ଅଗଷ୍ଟ ୩୧ କୁ ‘ରେଡ୍‌ ଲାଇନ୍‌’ ଭାବେ ଆମେରିକା ଗ୍ରହଣ କରିବା ଉଚିତ ବୋଲି ତାଲିବାନ ପ୍ରବକ୍ତା ଧମକାଇବା ପରେ ଏବେ କାବୁଲରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ତେବେ କୌଣସି ଆଫଗାନ ନାଗରିକ ଦେଶ ଛାଡ଼ିପାରିବେ ନାହିଁ ଏବଂ ସେମାନଙ୍କୁ କଠୋର ଯାଞ୍ଚ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଜି ତାଲିବାନ କହିଛି।

ଏବେ ‘ହମିଦ୍‌ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନ ଯିବା ଲାଗି କାବୁଲ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଥିବା କଥା ବିଳମ୍ବିତ ବୁଧବାରେ ଦୂତାବାସ ଜାରି କରିଥିବା ‘ସିକ୍ୟୁରିଟି ଆଲର୍ଟ’ରୁ ଜଣାପଡ଼ିଛି।ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଯେଉଁ ନାଗରିକମାନେ ସେ ବିମାନ ବନ୍ଦରର ‘ଆବି ଗେଟ୍‌’, ‘ଇଷ୍ଟ୍‌ ଗେଟ୍‌’ ଏବଂ ‘ନର୍ଥ ଗେଟ୍‌’ରେ ଅପେକ୍ଷା କରିଛନ୍ତି, ନିରାପତ୍ତା ଦୃଷ୍ଟିରୁ ସେମାନେ ତୁରନ୍ତ ଫେରି ଆସନ୍ତୁ ।

ତାଲିବାନୀଙ୍କଠାରୁ ଲୋକେ ଜୀବନ ବଞ୍ଚାଇବାକୁ ବିମାନବନ୍ଦରରେ ଭିଡ ଜମାଇଛନ୍ତି ଆଫଗାନ ନାଗରିକ । ତେବେ ଏହି ସ୍ଥିତିର ଫାଇଦା ବି ତାଲିବାନ ମାନେ ଉଠାଉଛନ୍ତି । ବିମାନବନ୍ଦରରେ ଏବେ ସବୁ କିଛି ମହଙ୍ଗା । ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ସେଠାରେ ଆକାଶଛୁଆଁ ମୂଲ୍ୟରେ ଉପଲବ୍ଧ । ସାମାନ୍ୟ ପାଣି ବୋତଲର ଦାମ ୩୦୦୦ ଟଙ୍କା ଥିବାବେଳେ ଭାତ ପ୍ଲେଟର ମୂଲ୍ୟ ୭,୫୦୦ ଟଙ୍କା । ଫଳରେ କାବୁଲ ବିମାନବନ୍ଦରରେ ଥିବା ଲୋକଙ୍କ ପାଇଁ ଏହା ଦୁର୍ଦ୍ଦଶା ପାଲଟିଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଅଂଚଳରେ,ପାଣିପାଇଁ ଚାଷୀଙ୍କ ହାହାକାର...

Thu Aug 26 , 2021
ବାସ୍ତବବ୍ୟୁରୋ:(ଢେଙ୍କାନାଳ)ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଅଂଚଳରେ,ଚାଷୀଙ୍କ ହାହାକାର |ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଚାଷୀକୁଳ ଆଜି ହତାଶ |କହିବାର ତାତ୍ପର୍ଯ୍ୟ ପାଣି ପାଇଁ କାଳିଆପାଣି ପଂଚାୟତରେ, ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି,କାଳିଆପାଣି ପଂଚାୟତ ସହ,କଂସ,ଚିଙ୍ଗୁଡ଼ିପାଳ,ରାହାଷୋଳ ପଞ୍ଚଯାତ ର ଚାଷୀ ମଧ୍ୟ କାଳିଆପାଣି ମାଇନ୍ସ ପାଇଁ ଅସୁବିଧାର ସମୁଖୀନ ହେଉଥିବା ପରିଲକ୍ଷିତ ହେଉଛି | ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାଇ,ଚାଷପାଇଁ ଏମାନେ କେବଳ ବର୍ଷାଜଳ ଉପରେ […]

You May Like

Pin It on Pinterest