ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୫୬୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୯୯୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୯୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି(ଶନିବାର) ଢେଙ୍କାନାଳ ଜିଲ୍ଲାର ସଦାଶିବପୁର ଠାରେ କମନ୍ ୟୁଜର୍ ଫାସିଲିଟିର ଭୂମି ପୂଜନ କରିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ।ସେହିପରି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେସ୍ୱର ତେଲି, ସ୍ଥାନୀୟ ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଗଞ୍ଜାମରେ ଚତୁର୍ଥ ପର୍ଯ୍ୟାୟରେ ଆରମ୍ଭ ହେବ ଆଉ ୧୦ଟି ସ୍କୁଲର ସ୍ମାର୍ଟ କ୍ଲାସ୍ । ଗଞ୍ଜାମ ହିଞ୍ଜିଳି ଓ ଶେରଗଡ ବ୍ଳକ୍ ଅଞ୍ଚଳରୁ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଦୁଇଟି ବ୍ଲକର ୧୦ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି(ଶନିବାର) ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ସମ୍ଭାବନା ଅଛି : ପାଣିପାଗ ବିଭାଗ । ଆଜି (ଶନିବାର) ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।

ଆଜି (ଶନିବାର) ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଶନି, ରବି ସପ୍ତାହାନ୍ତ ଲକ ଡାଉନ ସାଙ୍ଗକୁ ସୋମବାର ଜନ୍ମାଷ୍ଟମୀ ତିଥିରେ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିସାରିଛି । ଏହି କାରଣରୁ ଦୂରଦୂରାନ୍ତର ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରକୁ ନ ଆସିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬୭୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୬ ଲକ୍ଷ ୪୯ ହଜାର ୯୪୭ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୭ ହଜାର ୩୭୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୮ ଲକ୍ଷ ୫୨ହଜାର ୮୦୨ରେ ପହଁଚିଥିବା ବେଳେ ୩୫୯୭୭୫ଟି ସକ୍ରିୟ ମାମଲା ରହିଛି ।

 କରୋନା ମୁକାବିଲା ପାଇଁ ଭାରତର ଉଦ୍ୟମ ଜାରି ରହିଛି । ଗତ ଜାନୁଆରୀ ୧୬ ତାରିଖ ଠାରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ଟିକାକରଣ କ୍ଷେତ୍ରରେ ରେକର୍ଡ ହାସଲ କରିଛି । ଗତକାଲି ଗୋଟିଏ ଦିନରେ କୋଟିଏରୁ ଅଧିକ ଲୋକ କୋଭିଡ ଟିକା ନେଇଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୬୧ ଲକ୍ଷ ୫୬ ହଜାର ୪୨୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୯୭ ହଜାର ୬୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୩୧ ଲକ୍ଷ ୪୧ ହଜାର ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୫ ଲକ୍ଷ ୧୭ ହଜାର ୩୧୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଭାବିନା ପଟେଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ଟେବୁଲ ଟେନିସର ଫାଇନାଲରେ ପ୍ରବେଶ କରି ଏବେ ସେ ସ୍ୱର୍ଣ୍ଣ ପଦକ ପାଇବା ଆଶାରେ ଅଛନ୍ତି ।

ଗୁରୁବାର ହୋଇଥିବା କାବୁଲ ଏୟାରପୋର୍ଟ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ମୃତକଙ୍କ ଭିତରେ ଅଛନ୍ତି ୧୩ ଆମେରିକୀୟ କମାଣ୍ଡୋ। ପ୍ରାଣ ହରାଇଥିବା ୯୫ ଆଫଗାନୀଙ୍କ ଭିତରେ ଅଛନ୍ତି ୨୮ଜଣ ତାଲିବାନ ଆତଙ୍କୀ। ଏହି ତାଲିବାନ ଆତଙ୍କୀମାନେ ବିମାନବନ୍ଦର ବାହାରେ ଜଗିଥିଲେ।ବିସ୍ଫୋରଣରେ ଅଧିକାଂଶ ମହିଳା ଏବଂ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି।

ଗୁରୁବାର ଆଫଗାନିସ୍ତାନର କାବୁଲରେ ବିସ୍ଫୋରଣ ପରେ ଆଜି (ଶନିବାର) ସକାଳୁ ଆମେରିକା ପକ୍ଷରୁ କାବୁଲ ବିସ୍ଫୋରଣରେ ସାମିଲ ଥିବା ଆଇସଏସ୍‌ ଆତଙ୍କୀ ସଂଗଠନର ଆଡ୍ଡା ଉପରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରାଯାଇଛି । ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିବା ଆଇଏସ୍‌ର ଜଣେ ଆତଙ୍କୀ ନିହତ ହୋଇଛି। ଆହୁରି ଅନେକ ସ୍ଥାନରେ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ କରିଥିଲେ ହେଁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ । ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏହି ସମୟରେ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରାଣ ହରାଇଛି। କୌଣସି ସାଧାରଣ ଲୋକଙ୍କ କ୍ଷତି ହୋଇନାହିଁ ।

 କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେଠି ଫସି ରହିଥିବା ନାଗରିକଙ୍କ ପାଇଁ ଆମେରିକା ଜାରି କରିଛି ଏକ ନୂଆ ପରାମର୍ଶ । ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିମାନବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛି । କାରଣ ପୁଣିଥରେ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା ଦେଖାଦେଇଛି ।ଏବେ ଆମେରିକାର ଦୂତାବାସ ସେମାନଙ୍କର ନାଗରିକମାନଙ୍କୁ କାବୁଲ ବିମାନବନ୍ଦରକୁ ନଯିବାକୁ ବାରଣ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡିର ମିଶ୍ରଣ ପର୍ବ ଓ ସାଙ୍ଗଠାନିକ ବୈଠକ...

Sat Aug 28 , 2021
ଜଳେଶ୍ୱର(ନବୀନ ସାହୁ) ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜଳେଶ୍ବର ବ୍ଲକ ମାକିଡ଼ିଆ ପଂଚାୟତର ଉତ୍ତର ଗୋପାଳ ପ୍ରସାଦ ଗାଁରେ ଆଜିବିଜେଡିର ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି।ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସଂଗଠନ ସେତିକି ଦୃଢ ହେଉଛି ବିଜେଡିର ମନ ବଳ ସହିତ ହାତ ମୁଠା ଟାଣ ହେଉଛି। ଏଥିରେ ଆଦର୍ଶ ଗାଁ ଭାବେ ପରିଚିତ ଲାଭ କରିଥିବା ଉତ୍ତର ଗୋପାଳପ୍ରସାଦ ଗାଁର ସମସ୍ତେ ଏକତ୍ରୀତ […]

You May Like

Pin It on Pinterest