ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୮୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୩୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ବିଏମସି ଜାରି କରିଥିବା କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ପଡିବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ । ଗର୍ଭଗୃହରେ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି ।ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।
ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଇଲିଜିବେଲିଟି ଟେଷ୍ଟ ବା ଓଏସ୍ ଏସ୍ ଟିଇଟି ପରୀକ୍ଷା । ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ପରୀକ୍ଷା ଉପରେ ତୀକ୍ଷଣ ନଜର ରଖିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ, ଡିଇଓଙ୍କୁ କୁହାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ।
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ବାତିଲ କରି ମରୁଡି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦାବି କରିଛି କଂଗ୍ରେସ । ବିରୋଧୀ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଆଗକୁ ଆସି ନାରାବାଜି କରିଥିଲେ । ଯାହାଫଳରେ ବାଚସ୍ପତି ଗୃହକୁ ୧୨ଟା ୩୪ ଯାଏଁ ମୁଲତବୀ ରଖିଥିଲେ ।
ପୁରୀ ଶ୍ରୀମନ୍ଦିର ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ । ଆସନ୍ତା ୧୦ ତାରିଖରେ ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୯୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ ଲକ୍ଷ ୧୦ ହଜାର ୮୪୫ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୦ ରେ ପହଞ୍ଚିଛି । ଏବେ ଦେଶରେ ୩୭୮୧୮୧ ସକ୍ରିୟ ମାମଲା ରହିଥିବା ବେଳେ ୩,୧୯,୯୩,୬୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜିଠାରୁ ଅଣ-ରିହାତି ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର୍ପିଛା ୨୫ଟଙ୍କା ମହଙ୍ଗା ହୋଇଛି। ଏଥିସହ ‘କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର୍ ଦର ମଧ୍ୟ ସିଲିଣ୍ଡର୍ପିଛା ୭୫ଟଙ୍କା ବୃଦ୍ଧି ପାଇଛି। ଅଗଷ୍ଟ ୧୭ ତାରିଖରେ ଅଣ-ରିହାତି ‘ଏଲ୍ପିଜି ସିଲିଣ୍ଡର୍’ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ରନ୍ଧନ ଗ୍ୟାସ୍ ଦର କ୍ରମାଗତ ୩ ମାସ ହେବ ବୃଦ୍ଧି ପାଇ ସମୁଦାୟ ଟ. ୭୫ଟଙ୍କା ମହଙ୍ଗା ହେଲାଣି।
ଆଜି ଶ୍ରୀଲା ଭକ୍ତିବନ୍ଦ ସ୍ୱାମୀ ପ୍ରଭାସଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମରଣୀୟ ମୁଦ୍ରା ପ୍ରକାଶ କରିବେ । ପିଏମ ମୋଦୀ ୧୨୫ ଟଙ୍କିଆ ଏକ ସ୍ମରଣୀୟ ମୁଦ୍ରା ଉନ୍ମୋଚନ କରିବେ । ତେବେ ଭର୍ଚୁଆଲରେ ମାଧ୍ୟମରେ ଏହି ସମାବେଶକୁ ଅପରାହ୍ନ ୪.୩୦ରେ ସମ୍ବୋଧନ କରିବେ ।ସ୍ୱାମୀ ପ୍ରଭାସ ଅନ୍ତର୍ଜାତୀୟ ସୋସାଇଟି ଫର କୃଷ୍ଣ ଚେତନା (ISKCON) ପ୍ରତିଷ୍ଠା କରିଥିଲେ ଯାହା ସାଧାରଣତ ” ହରେ କୃଷ୍ଣ ଆନ୍ଦୋଳନ “ଭାବରେ ଜଣାଶୁଣା ।
ସେପ୍ଟେମ୍ବର ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୫ ପଇସା ଲେଖାଏ କମିଛି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୮୪ ଲକ୍ଷ ୬୬ ହଜାର ୧୮୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୩୨ ହଜାର ୨୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୫୩ ଲକ୍ଷ ୮ ହଜାର ୬୨୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୬ ଲକ୍ଷ ୨୫ ହଜାର ୩୪୫ଜଣ ଲୋକ ସକ୍ରିୟ ଅଛନ୍ତି ।
ତାଲିବାନ ସହିତ ଦୀର୍ଘ ୨୦ ବର୍ଷର ଲମ୍ବା ଲଢ଼େଇ ପରେ ଆମେରିକା ଗତରାତିରେ ସବୁ ପ୍ରକ୍ରିୟା ଶେଷ କରି ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ କରିଛି। କାବୁଲ ଏୟାରପୋର୍ଟ ଆମେରିକା ସେନା ନିୟନ୍ତ୍ରଣରୁ ମୁକ୍ତ ହେବାପରେ ତାଲିବାନ ଆନୁଷ୍ଠାନିକ ଭାବେ ପୂର୍ଣ୍ଣ ସ୍ବାଧୀନତା ଘୋଷଣା କରିଛି। ଗତରାତିରେ ଆମେରିକାର ଶେଷ ସୈନିକଙ୍କ ବିଦାୟ ପରେ ତାଲିବାନମାନେ ବିମାନ ବନ୍ଦରରେ ଉତ୍ସବ ମନାଇଥିଲେ। ଖୁସିରେ ଆତ୍ମହରା ହୋଇ ସେମାନେ ଗୁଳି ଫୁଟାଇବା ସହ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା। ଆଜି ସକାଳେ ତାଲିବାନର ଶୀର୍ଷ ନେତାମାନେ ବିମାନବନ୍ଦର ରନ୍ୱେରେ ସମବେତ ହୋଇ ପରସ୍ପରକୁ ବିଜୟ ଅଭିନନ୍ଦନ ଜଣାଇଥିଲେ ଏବଂ ତାଲିବାନୀ ଯୋଦ୍ଧାଙ୍କୁ ଉଦ୍ବୋଧନ ଦେଇଥିଲେ।
ତୋଫାନ୍ ‘ଇଡା’କୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିଲୋମିଟର ବେଗରେ ପବନ ଆସି ଉଡ଼ାଇ ନେଇଛି ଶତାଧିକ ଘର । ହରିକେନ୍ ଇଡା ପାଇଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଲ୍ୟୁସିଆନା ସହର ହରିକେନ ଇଡାରେ ବେଶୀ ପ୍ରଭାବିତ ହୋଇଛି । ତୋଫାନର ବେଗ ଏପରି ରହିଛି ଯେ, ବଡ଼ ବଡ଼ ଗଛ ବି ଉପୁଡି ଯାଉଥିବା ଦେଖିବାକୁ ମିଳିଛି । ବିଜୁଳି ଖୁଣ୍ଟ ଉପୁଡିଯିବା ସହ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ମୋବାଇଲ୍ ନେଟୱର୍କ ମଧ୍ୟ ନାହିଁ ।
‘ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍’ରୁ (ସିଭିଏନ୍୭୨) ଉଡ଼ାଣ ଆରମ୍ଭ କରିଥିବା ଯୁକ୍ତରାଷ୍ଟ୍ର ସେନାର ଗୋଟାଏ ‘ଏମ୍ଏଚ୍-୬୦ଏସ୍’ ହେଲିକପ୍ଟର୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ସାନ୍ ଡିଏଗୋ ନିକଟବର୍ତ୍ତୀ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା କଥା ବିବୃତି ଦେଇ ଆମେରିକୀୟ ନୌସେନା କହିଛି। ହେଲିକପ୍ଟର୍ ଆରୋହୀମାନଙ୍କୁ ଖୋଜି ପାଇବା ଲାଗି ସାନ୍ ଡିଏଗୋ ଉପକୂଳ ମଧ୍ୟସ୍ଥ ସମୁଦ୍ରରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
ଆଫଗାନିସ୍ତାନରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ତାଲିବାନ ପଞ୍ଜଶିର ଘାଟି ଉପରେ ଆକ୍ରମଣ କରିଛନ୍ତି । ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜଶିର ଘାଟିର ଏକ ଅଞ୍ଚଳରେ ଆକ୍ରମଣ କରିଛି । କିନ୍ତୁ ପଞ୍ଜଶିର ଘାଟିର ତାଲିବାନ ବିରୋଧୀ ତାଲିବାନର ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନଥିଲେ ।ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ସେନା ତାଲିବାନର ଆକ୍ରମଣକୁ ବିଫଳ କରିଦେଇଛନ୍ତି । ପଞ୍ଜିଶିର ଘାଟିରେ ଏବେ ଉଭୟ ପଟରୁ ଗୁଳିବିନିମୟ ଜାରି ରହିଛି । ଆତଙ୍କବାଦୀମାନେ ପଞ୍ଜଶିର ଘାଟିକୁ ଚାରିଆଡୁ ଘେରି ରହିଛନ୍ତି । ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ରଖିଛନ୍ତି ।



