ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୯୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୯୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଗଣେଶ ପୂଜା ପାଇଁ ଆସିଲା ବିଏମସିର ଗାଇଡଲାଇନ୍ । କୋଭିଡ-୧୯ ପ୍ରୋଟୋକଲ ମାନି ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି । ମଣ୍ଡପରେ ପୂଜା କରିବା ପାଇଁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ । କିନ୍ତୁ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ଓ ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କଟକଣା ମାନିବେ ।

ସେପ୍ଟେମ୍ବର ମାସରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ରହିବ। ତେବେ ଉତ୍ତର, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ‌ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେଭଳି ବର୍ଷା ହେବ ନାହିଁ। କଟକ, ପୁରୀ, ଗଞ୍ଜାମ, ଖୋର୍ଧା, ଗଜପତି, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ସ୍ବାଭାବିକଠାରୁ ୪୦% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସେପ୍ଟେମ୍ବର ୩ରୁ ୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

 ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା । ଏଥିନିମନ୍ତେ ଆସନ୍ତାକାଲିଠାରୁ ଆବେଦନ କରିହେବ । ଅଗଷ୍ଟ ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ । ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେବେ । ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭୦୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ ଲକ୍ଷ ୫୭ ହଜାର ୯୩୭ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୯ ହଜାର ୫୨୯ରେ ପହଞ୍ଚିଛି। ଏବେ ଦେଶରେ ୩୮୯୫୮୩ ସକ୍ରିୟ ମାମଲା ରହିଛି । ସେହିପରି ୩୨୦୨୮୮୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆସାମର ଓରାଙ୍ଗ୍‌ରେ ଥିବା ‘ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁ ଉଠାଇ ଦେଇ ତାହାକୁ ‘ଓରାଙ୍ଗ୍‌ ଜାତୀୟ ଉଦ୍ୟାନ’ ଭାବେ ପୁନର୍ନାମିତ କରିବା ଲାଗି ଆସାମ କ୍ୟାବିନେଟ୍‌ରେ ପ୍ରସ୍ତାବନା ପାରିତ ହୋଇଛି। ଏହା ହେଉଛି ସର୍ବାଧିକ ମହାବଳ ବାଘ ଥିବା ଦେଶର ଅନ୍ୟତମ ଉଦ୍ୟାନ ।

ସମ୍ବାଦପତ୍ର ‘ପାୟନିୟର୍‌’ର ସମ୍ପାଦକ ଥିବା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଡକ୍ଟର୍‌ ଚନ୍ଦନ ମିତ୍ରଙ୍କର ଗତରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।

ବିଗ୍‌ ବସ୍‌-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ସୂଚନାନୁଯାୟୀ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେତ ସକାଳ ପ୍ରର୍ୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍‌ଘାତ ହୋଇଥିବା କହିଥିଲେ। ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ।

ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଗିଲାନୀଙ୍କ ପରଲୋକ । ବୁଧବାର ରାତି ୧୦.୩୦ ରେ ଗୀଲାନୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗୀଲାନୀ କିଡନୀ ରୋଗରେ ପୀଡିତ ଥିଲେ। ଏହା ବ୍ୟତୀତ ସେ ବାର୍ଦ୍ଧକ୍ୟ ସହ ଜଡିତ ଅନ୍ୟାନ୍ୟ ରୋଗ ସହ ମଧ୍ୟ ଲଢେଇ କରୁଥିଲେ।

ଇନଷ୍ଟାଷ୍ଟ୍‌ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଜୁନ୍‌ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି। କମ୍ପାନି ଉପରୋକ୍ତ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ୩୦ ଲକ୍ଷ ୨୭ ହଜାର ଆକାଉଣ୍ଟକୁ ରଦ୍ଦ କରିଛି। ଉକ୍ତ ଅବଧିରେ କମ୍ପାନି ୫୯୪ଟି ଅଭିଯୋଗ ପାଇଛି ବୋଲି କହିଛି। ସ୍ବୟଂକ୍ରିୟ ମେସେଜ୍‌ର ଅଣସ୍ବୀକୃତ ବ୍ୟବହାର ସମେତ ଅନ୍ୟାନ୍ୟ ଅଭିଯୋଗରେ କମ୍ପାନି ଉକ୍ତ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଛି। ୫୯୪ଟି ଅଭିଯୋଗ ମଧ୍ୟରୁ ୭୪ଟି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନିଆଯାଇଛି।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୯୨ ଲକ୍ଷ ୨୩ ହଜାର ୪୪୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୪୩ ହଜାର ୫୬୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୫୯ ଲକ୍ଷ ୯୭ ହଜାର ୧୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୬ ଲକ୍ଷ ୮୨ ହଜାର ୭୦୧ଜଣ ଲୋକ ସକ୍ରିୟ ଅଛନ୍ତି ।

ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଥିବା ବେଳେ ଏହାମଧ୍ୟରେ କୋଭିଡ-୧୯ର ନୂଆ ରୂପ ସାମ୍ନାକୁ ଆସିଛି । ଏହା ହେଉଛି ବି ୧.୬୨୧ ବା ‘ମୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓର କହିବାନୁସାରେ, ନୂଆ ଭାରିଆଣ୍ଟ୍ ବାବଦରେ ଅଧିକ ଗବେଷଣା ଜାରି ରହିଛି । ଏହା ଅଧିକ କ୍ଷୀପ୍ରରେ ବ୍ୟାପୁଛି । ଡବଲ୍ୟୁଏଚଓ ଆହୁରି ମଧ୍ୟ କହିଛି ଯେ, ନୂଆ ଭାରିଆଣ୍ଟ ଭାକସିନ୍ ର ପ୍ରଭାବକୁ ଅକାମି କରିଦେଇପାରେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେସଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏବେ ‘ମୁ’ ଭାରିଆଣ୍ଟ୍ କଲମ୍ବିଆରେ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାର କିଛି ଦେଶ ସହ ୟୁରୋପର କିଛି ସ୍ଥାନରେ ମଧ୍ୟ ନୂଆ ଭାରିଆଣ୍ଟ ଠାବ ହୋଇଛି ।

ଆଫଗାନିସ୍ତାନାରେ ଯୁକ୍ତ ରାଷ୍ଟ୍ର ଆମେରିକାର ସମ୍ପୃକ୍ତିକୁ ନେଇ ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତୀବ୍ରା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ଆମେରିକା ଦୀର୍ଘ ୨୦ ବର୍ଷ ଧରି ସୈନ୍ୟ ମୁତୟନ କରି ସେଠାରୁ ‘ଶୂନ୍‌’ ପାଇଛି। । ସମାଜର ରାଜନୈତିକ ସଙ୍ଗଠନ ସମେତ ବ୍ୟାପକ କ୍ଷେତ୍ରରେ ଆମେରିକୀୟ ରୀତିନୀତି ଓ ଜୀବନଯାପନର ମାନ ପ୍ରବର୍ତ୍ତନ ଲାଗି ୨୦ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ବାହିନୀ ସେଠାରେ ବସବାସ କରୁଥିବା ଜନତାଙ୍କୁ ‘ସଭ୍ୟ’ କରାଇବା ଲାଗି ଉଦ୍ୟମ କରୁଥିଲା । ସେସବୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଉଭୟଙ୍କ ପାଇଁ ଫଳାଫଳ ହେଲା ଅତ୍ୟନ୍ତ ବିୟୋଗାନ୍ତ, ଅତ୍ୟନ୍ତ କ୍ଷତିକାରକ। ଅଧିକ କ୍ଷତିକାରକ ହେଲା ଆଫଗାନିସ୍ତାନରେ ବାସ କରୁଥିବା ଜନସାଧାରଣଙ୍କ ପାଇଁ। ନକାରତ୍ମକ ନ ହେଲେ ବି, ଫଳାଫଳ ହେଲା ‘ଶୂନ୍‌’। ଜୋର ଜବରଦସ୍ତ କୌଣସି ଜିନିଷ ପ୍ରଚଳନ କରାଇବା ଅସମ୍ଭବ। ଯଦି କିଏ କାହା ପାଇଁ କିଛି କରିବାକୁ ଚାହୁଛନ୍ତି, ତେବେ ସେହି ଲୋକଙ୍କୁ ଇତିହାସ, ସଂସ୍କୃତି ଓ ଜୀବନ ଦର୍ଶନ ଉପରେ ବ୍ୟାପକ ଦୃଷ୍ଟି ଦେବାକୁ ପଡିବ। ସେମାନଙ୍କ ପରମ୍ପରା ଏବଂ ପ୍ରଥାକୁ ସମ୍ମାନ ଦେବାକୁ ପଡିବ ବୋଲି ପୁଟିନ କହିଛନ୍ତି।

ଆମେରିକୀୟ ସେନା ଆଫଗାନିସ୍ତାନ ଛାଡିବା ପୂର୍ବରୁ ବିମାନବନ୍ଦରରେ ଥିବା ନିଜର ଯୁଦ୍ଧବିମାନ ଅନ୍ୟ ଯୁଦ୍ଧ ସାମଗ୍ରୀକୁ ଅକାମି କରିଦେଇଛନ୍ତି । ଏହା ଯେପରି ତାଲିବାନଙ୍କ ହାତରେ ନପଡେ ସେଥିପାଇଁ ସରଞ୍ଜାମ ଓ ବାହାନ ଗୁଡିକୁ ଅକାମି କରିଦିଆଯାଇଛି । ଆମେରିକା ସୈନ୍ୟ ଯିବା ପରେ ତାଲିବାନ ଆତଙ୍କବାଦୀମାନେ କାବୁଲ ବିମାନବନ୍ଦରରେ ପ୍ରବେଶ କରିଥିଲେ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ତାଲିବାନୀମାନେ ବିମାନବନ୍ଦରରେ ଆମେରିକାର ଚିନୁକ୍ ହେଲିକପ୍ଟରକୁ ଦେଖୁଛନ୍ତି । ଏଏଫପି ଖବର ସରବରାହ ସଂସ୍ଥା ଅନୁସାରେ, ଆମେରିକା ସେନା ଛାଡିଥିବା ବିପୁଳ ସଂଖ୍ୟାର ଏୟାରକ୍ରାଫ୍ଟ, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବାହାନ ଓ ରକେଟ ଡିଫେନ୍ସ ସିଷ୍ଟମକୁ ଅକାମି କରିଦିଆଯାଇଛି । ଏହାକୁ ଆଉ କେହି ବ୍ୟବହାର କରିପାରିବେ ନାହିଁ ।

ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ତାଲିବାନ୍ ସୂଚନା ଦେଇଛି। ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ।ସେ ଆହୁରି ମଧ୍ୟ କହିଛନ୍ତି, ଘୋଷଣା କରାଯିବାକୁ ଥିବା ଇସ୍‌ଲାମୀୟ ସରକାର ହେବ ଜନତାଙ୍କ ପାଇଁ ଗୋଟାଏ ଆଦର୍ଶ ସରକାର। ଉକ୍ତ ସରକାରରେ ‘ବିଶ୍ବସ୍ତ କମାଣ୍ଡର୍‌’ଙ୍କ (ଅଖୁନ୍ଦଜାଦା) ଉପସ୍ଥିତି ସମ୍ବନ୍ଧରେ ସନ୍ଦେହ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀ ବିଧାନସଭାରେ ଗୁପ୍ତ ସୁଡଙ୍ଗ ଠାବ...

Fri Sep 3 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଦିଲ୍ଲୀ ବିଧାନସଭାରେ ଏକ ଗୁପ୍ତ ସୁଡଙ୍ଗ ।ଏହି ସୁଢ଼ଙ୍ଗ ବିଧାନସଭାରୁ ଲାଲକିଲାକୁ ସଂଯୋଗ କରାଯାଇଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ANIକୁ ସାକ୍ଷାତକାର ଦେଇ ଏ କଥା କହିଛନ୍ତି ।ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନଙ୍କ ଦୃଷ୍ଟି ଆଢୁଆଳରେ ଶାସନ ଚଳାଇବାକୁ ବ୍ରିଟିଶମାନେ ଏହି ସୁଡଙ୍ଗକୁ ବ୍ୟବହାର କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ମୁଁ ୧୯୯୩ ରେ ଜଣେ […]

You May Like

Pin It on Pinterest