ରାଜ୍ୟରେ ଗତ ୨୪ ଘଣ୍ଟା ୬୮୧ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୦୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୫୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।
ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ , ୬ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ୬ ଓ ୭ ଏହି ଦୁଇଦିନ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଅନ୍ଧାରୁଆରେ ୨୫ ଏକର ଜମିରେ ପ୍ରତିଷ୍ଠା ହେବ iconic ଆଦର୍ଶ ବିଦ୍ୟାଳୟ । ପ୍ରତିଷ୍ଠା ହେବାକୁ ଥିବା ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷାଦାନ କରାଯିବ । ଆସନ୍ତା କାଲି ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ । ୧୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏଡି ବିଦ୍ୟାଳୟରେ ଶ୍ରେଣୀ ଏକାଦଶ ଓ ଦ୍ୱାଦଶ ପିଲା ପାଠ ପଢ଼ିବେ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୬୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୯ ଲକ୍ଷ ୪୫ ହଜାର ୯୦୭ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୦ ହଜାର ୨୨୫ରେ ପହଞ୍ଚିଛି। ଏବେ ଦେଶରେ ୪୦୫୬୮୧ ସକ୍ରିୟ ମାମଲା ରହିଥିବା ବେଳେ ୩୨୧୦୦୦୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶର ୧୨ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ନିମନ୍ତେ ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ତିନି ସଦସ୍ୟବିଶିଷ୍ଟ ‘ସୁପ୍ରିମ୍ କୋର୍ଟ କଲିଜିୟମ୍’ ୬୮ଜଣଙ୍କ ନାମ ସୁପାରିସ କରିଛି। ଏଥିରେ ଥିବା ଅନ୍ୟ ଦୁଇଜଣ ବିଚାରପତି ହେଉଛନ୍ତି, ୟୁ. ୟୁ. ଲଳିତ ଏବଂ ଏ. ଏମ୍. ଖାନ୍ୱିଲ୍କର୍। ଆହ୍ଲାବାଦ, ରାଜସ୍ଥାନ, କାଲ୍କାଟା, ଝାଡ଼ଖଣ୍ଡ, ଜମ୍ମୁ ଓ କଶ୍ମୀର, ମାଡ୍ରାସ୍, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଏବଂ ହରିୟାଣା, କେରଳ, ଛତିଶଗଡ଼ ଏବଂ ଆସାମ ହାଇକୋର୍ଟରେ ଉପରୋକ୍ତ ବିଚାରପତିମାନେ ନିଯୁକ୍ତ ହେବେ।
ଆସନ୍ତା ୧୦ ତାରିଖରେ ଭାରତର ପ୍ରଥମ ଉପଗ୍ରହ ଏବଂ ଆଣବିକ କ୍ଷେପଣାସ୍ତ୍ର ଟ୍ରାକିଂ ଜାହାଜ ‘ଆଇଏନଏସ ଧ୍ରୁବ’ ଲଞ୍ଚିଂ ଆରମ୍ଭ ହେବ। ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଜାତୀୟ ବୈଷୟିକ ଗବେଷଣା ସଂଗଠନ (ଏନ୍ଟିଆର୍ଓ) ସହଯୋଗରେ ହିନ୍ଦୁସ୍ତାନ ସିପୟାର୍ଡ ଉକ୍ତ ଜାହାଜ ନିର୍ମାଣ କରିଛି। ସମୁଦ୍ର ଶଯ୍ୟାର ଗବେଷଣା ଏବଂ ଶତ୍ରୁପକ୍ଷର ବୁଡ଼ାଜାହାଜକୁ ଚିହ୍ନଟ କରିବାରେ ମଧ୍ୟ ଏହି ଜାହାଜ ସକ୍ଷମ ହେବ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୫ ଲକ୍ଷ ୭୭ ହଜାର ୭୩୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୬୬ ହଜାର ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୯ କୋଟି ୭୦ ଲକ୍ଷ ୭୬ ହଜାର ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୯ ଲକ୍ଷ ୩୫ ହଜାର ୬୨୩ଜଣ ଲୋକ ସକ୍ରିୟ ଅଛନ୍ତି ।
ଆସନ୍ତା ନଭେମ୍ବର ମାସରେ ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଘଲ ସୂଚନା ଦେଇଛନ୍ତି। ୩ ଦିନିଆ ଆମେରିକା ଗସ୍ତରେ ଯାଇ ସେଠାରେ ହର୍ଷବର୍ଦ୍ଧନ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି।
ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ଏକ ଯୁଗ୍ମ ସାମରିକ ବାହିନୀ ପଂଜଶୀରରେ ତାଲିବାନ ବିରୋଧରେ ସଂଘର୍ଷ କରୁଛନ୍ତି । ଉଭୟ ତାଲିବାନ ଏବଂ ପଂଜଶୀର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଅହମଦ ମସୋଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ନେତୃତ୍ବରେ ଉକ୍ତ ଅଞ୍ଚଳରେ ବିଦ୍ରୋହ ଜାରି ରହିଛି। ପଂଜଶୀରରେ ତାଲିବାନ ବିରୋଧରେ ଲଢ଼ୁଥିବା ଏହି ବିଦ୍ରୋହୀ ଗୋଷ୍ଠୀର ନାମ ଏନ୍ଆରଏଫ୍ (ଜାତୀୟ ବିଦ୍ରୋହୀ ବାହିନୀ)।
ଆଫଗାନିସ୍ତାନର ୨୫୦ ମହିଳା ବିଚାରପତିଙ୍କ ଜୀବନ ପ୍ରତି ବିପଦ ଅଛି। ତାଲିବାନ କ୍ଷମତାକୁ ଆସିବାପରେ ହଜାର ହଜାର କଏଦୀଙ୍କୁ ମୁକ୍ତ କରିଦେଇଛି। ଏବେ ଏହି କଏଦୀମାନେ ମହିଳା ବିଚାରପତିଙ୍କ ପାଇଁ ବିପଦ ହୋଇଛନ୍ତି। କିଛି ମହିଳା ବିଚାରପତି ଗତ ୨ ସପ୍ତାହ ମଧ୍ୟରେ ଦେଶ ଛାଡ଼ିଦେଇଥିବା ବେଳେ ଅନ୍ୟ ବିଚାରପତିମାନେ ଦେଶ ଛାଡ଼ିବାପାଇଁ ଅପେକ୍ଷା କରି ରହିଛନ୍ତି। ବିଚାର ବିଭାଗରେ କାମ କରୁଥିବା ମହିଳାମାନେ ଏବେ ତାଲିବାନୀଙ୍କ ହାଇ ପ୍ରୋଫାଇଲ୍ ଟାର୍ଗେଟ୍ରେ ଅଛନ୍ତି। ଗତ ଜାନୁଆରିରେ ସୁପ୍ରିମ୍କୋର୍ଟର ୨ ମହିଳା ବିଚାରପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି।



