
ଭୁବନେଶ୍ୱର(ବାସ୍ତବବ୍ୟୁରୋ)କରୋନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କରୋନା ର ତୃତୀୟ ଲହରକୁ ନେଇ ସମସ୍ତଙ୍କୁୂ ସତର୍କ କରାଇଛନ୍ତି। କୋଭିଡ୍ ନିୟମ ନମାନିଲେ ରାଜ୍ୟରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ କି , ଆମେରିକାଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ତିଥିରେ । ତେଣୁ ସମ୍ଭାବ୍ୟ ତୃତୀୟ ଲହରଠାରୁ ନିରାପଦ ରହିବାକୁ ହେଲେ, କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ।
ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ। କୋଭିଡ୍ ଗାଇଡଲାଇନ ପାଳନ କରିବା ହେଉଛି କୋଭିଡ୍ ବିରୁଦ୍ଧରେ ଲଢ଼େଇର ସବୁଠୁ ବଡ଼ ଅସ୍ତ୍ର। ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। କୋଭିଡ୍ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇବା ସହ ସ୍ୱତନ୍ତ୍ର ଟିମ୍ ଗଠନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟମିତ ଭାବେ ଅଚାନକ ଯାଂଚ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ,ହାଟବଜାର, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରଭୁତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ପ୍ରଶାସନ ଦୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହାଇରିସ୍କ ରେ ଥିବା ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଓ ପୁଲିସଙ୍କ ନିୟମିତ ଭାବେ ଟେଷ୍ଟିଂ ଜାରି ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତିଯେ,ଆଗକୁ ପାର୍ବଣ ଋତୁ ଆସୁଛି, ସବୁ ଲୋକେ ଯେପରି ଦୁଇଟି ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ ହେବା ଜରୁରୀ ।କେରଳରେ ଓନାମ ପର୍ବ ପାଳନ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପାର୍ବଣ ସମୟରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।ନତୁବା ସାମୁହିକ ସ୍ୱାର୍ଥ ଦୃଷ୍ଟିରେ ରାଜ୍ୟ ସରକାର ପୁଣିଥରେ ଲକଡାଉନ୍ ପାଇଁ ବାଧ୍ୟ ହେବେ ।
ଏହି ବୈଠକରେ ମୁଖ୍ୟସଚିବ, ପୁଲିସ ଡିଜି, ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।