
ବାସ୍ତବବ୍ୟୁରୋ: ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଫେରାର,ପତ୍ତା ପାଉନି ପୋଲିସ ।ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପୋଲିସ ଚଢଉ କରି ଫେରିଲେ ଖାଲି ହାତରେ ।ବିଜୁ ଜନତା ଦଳରୁ ଗତକାଲି ନିଲମ୍ବିତ ହେବାପରେ ଫେରାର ଅଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରି ବିଜେପି ନେତାଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା । ବିଜେଡି ସୁପ୍ରିମୋ ବାହୁବଳୀଙ୍କୁ ଦଳରୁଗତକାଲି(ବୁଧବାର) ନିଲମ୍ବିତ କରିଥିଲେ ।
ନିଲମ୍ବିତ ହେବା ପରଠାରୁ ବାବୁ ଜଗଦେବଙ୍କର ଗିରଫ ଭୟ ଘାରିଛି,ବାହୁବଳୀ ବିଧାୟକଙ୍କ ବାହୁ ସାଥ ଦେଲାନି । ସେ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କର ସରକାରୀ କ୍ବାର୍ଟୀରରେ ଚଢଉ କରି ନିରାଶରେ ଫେରିଛି । ହେଲେ ବିଧାୟକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରିରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ,ବିଜେପି ନେତାଙ୍କୁ ମାଡ ମାରିଥିବା ଘଟଣାରେ,ମୁଖ୍ୟ କାର୍ପଟଦାର ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସିଧାସଳଖ ସଂପୃକ୍ତି ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ ମାରିଥିଲେ। ଏ ନେଇ ଜଗଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକଙ୍କ ମାଡ ମରାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ନିରଞ୍ଜନଙ୍କୁ ମାଡ ମରା ନେଇ ବିଜେପି, ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିବା ଅନୁମାନ କରାଯାଉଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଦବଂଗ ଗିରି ନୂଆ ନୁହେଁ,ଏ ନେଇ ଅତୀତରେ ଅନେକ ଥର ବିବାଦର ଘେରକୁ ଆସିଛନ୍ତି । ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।