ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୫୦୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୯୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି(ଶୁକ୍ରବାର) ଶ୍ରୀ ଗଣେଶ ଚତୁର୍ଥୀ । କରୋନା କଟକଣା ପାଇଁ ଏଥର ମଧ୍ୟ ଗଣେଶ ପୂଜା ଫିକା । କେବଳ ବିଦ୍ଧି ରକ୍ଷାପାଇଁ ବିଘ୍ନ ବିନାଶକଙ୍କୁ ଆରାଧନା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । କେଉଁଠାରେ ବି ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ ।
ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ସେଥିପାଇଁ ଆଜିଠୁ ଲଗାତାର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବେ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ ଚାଲିଛି।
ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୧୯ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।
ଆଜି ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ଭାଷାରେ ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଗଣପତି ବାପ୍ପା ମୋର୍ୟା! ଗଣେଶ ଚତୁର୍ଥୀର ଶୁଭ ଅବସରରେ ଦେଶବାସୀଙ୍କ ପ୍ରତି ହାର୍ଦ୍ଦିକ ଶୁଭକାମନା। କୋଭିଡ୍-୧୯ ବିରୋଧରେ ଆମେ ଚଳାଇଥିବା ଉଦ୍ୟମକୁ ବିଘ୍ନହର୍ତା ଗଣେଶ ସଫଳ କରନ୍ତୁ ଏବଂ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ କୋଭିଡ୍-ଅନୁକୂଳ ଆଚରଣ ସହ ଏହି ଉତ୍ସବ ପାଳନ କରିବା । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଗଣେଶ ଚତୁର୍ଥୀ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୁସ୍ବାସ୍ଥ୍ୟ ଆଣୁ। ଗଣପତି ବାପ୍ପା ମୋର୍ୟା!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୨ ତାରିଖରେ ଆମେରିକା ଗସ୍ତ କରିପାରନ୍ତି । ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିପାରିନ୍ତି । ଏହା ବ୍ୟତୀତ ସେପ୍ଟେମ୍ବର ୨୫ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ମଧ୍ୟ ଗସ୍ତ କରିପାରନ୍ତି । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଥମ ଥର ମୁହାଁମୁହିଁ ଚର୍ଚ୍ଚା ହେବ । ଭାରତ ଏବଂ ଆମେରିକାର ବିକାଶ ନେଇ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଅଛି ।
ସେପ୍ଟେମ୍ବର ୩୦ ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଟିଏମସି ମୁଖ୍ୟ ତଥା ସିଏମ ମମତା ବାନାର୍ଜୀ ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ଏଠାରେ ମମତା ପୂର୍ବରୁ ଦୁଇଥର ଭବାନୀପୁରରୁ ନିର୍ବାଚନରେ ଜିତିଛନ୍ତି ।
ଗୁରମୀତ ସିଂହ ହେବେ ଉତ୍ତରାଖଣ୍ଡର ନୂଆ ରାଜ୍ୟପାଳ । ଗତ ୮ତାରିଖରେ ପଦରୁ ଇସ୍ତଫା ଦେଇଥିଲେ ବେବୀ ରାନୀ ମୌର୍ଯ୍ୟ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ନାଗାଲାଣ୍ଡରେ ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରୀୟ ଭବନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ଲେଫ୍ଟନାଣ୍ଟ ଜେନେରାଲ ଗୁରୁମିତ ସିଂ (ଅବସରପ୍ରାପ୍ତ) ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୩୯ ଲକ୍ଷ ୮୦ ହଜାର ୧୮୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୬ ଲକ୍ଷ ୧୯ ହଜାର ୬୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୦ କୋଟି ୫ ଲକ୍ଷ ୬୦ ହଜାର ୬୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୭ ଲକ୍ଷ ୯୯ ହଜାର ୮୯୨ଜଣ ଲୋକ ସକ୍ରିୟ ଅଛନ୍ତି ।
ବିଦେଶ ନାଗରିକମାନେ ଆଫଗାନିସ୍ତାନ ଛାଡ଼ିବା ପାଇଁ ତାଲିବାନ ସରକାର ଅନୁମତି ଦେଇଛି । ତାଲିବାନ ସରକାର ଅନୁମତି ଦେବାପରେ ସେମାନଙ୍କ ବିମାନ କାବୁଲ ବିମାନବନ୍ଦରରୁ ଉଡ଼ିବ। ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜଲ୍ମେ ଖଲିଜାଦଙ୍କ କଥାରେ ତାଲିବାନ ସରକାର ଏଥିପାଇଁ ରାଜି ହୋଇଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସମସ୍ତ ଯାତ୍ରୀଙ୍କ ନିକଟରେ ବୋର୍ଡିଂ ପାସ୍ ଏବଂ ଟିକେଟ୍ ଅଛି । ଆଜି ଗୋଟିଏ ବିମାନ ଉଡ଼ିବ ଏବଂ ଆସନ୍ତାକାଲି ଆଉ ଏକ ବିମାନ ଉଡ଼ିବ। ଅନ୍ୟପକ୍ଷେ କତାର, ତୁର୍କୀ, ଏବଂ ୟୁଏଇର ସହଯୋଗ ଦ୍ବାରା ଆସନ୍ତା ୩ ଦିନ ମଧ୍ୟରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିବ ।
ଆଜି UN ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ପରାମର୍ଶ ଦେଇଛନ୍ତି କି, ଆଫଗାନବାସୀଙ୍କ ନିରାପତ୍ତା ପାଇଁ ତାଲିବାନ ସହ କଥାବାର୍ତ୍ତା ଜରୁରୀ । ସେ ତାଲିବାନ ସରକାରଙ୍କ ସହ ଆଲୋଚନା ପାଇଁ ବିଭିନ୍ନ ଦେଶକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ମିଳିତ ଜାତିସଂଘ (UNSC) ରେ ହୋଇଥିବା ଆଲୋଚନା ସମୟରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୁର୍ତ୍ତୀ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଟିଏସ ତିରୁମୁର୍ତ୍ତୀ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଏବେ ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ରହିଛି । ପଡୋଶୀ ଦେଶ ଏବଂ ସେମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏହା ସିଧାସଳଖ ଚିନ୍ତାର ବିଷୟ ।