
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ବର୍ଷାରେ ବେହାଲ ଭୁବନେଶ୍ୱର,ଭାଙ୍ଗିଛି ୬୩ ବର୍ଷର ରେକର୍ଡ।ଏହି ବର୍ଷାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁତୁ ମେ ମେ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଘେରିଛନ୍ତି ରାଜ୍ୟ ସରକାରଙ୍କୁ ।ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ?ରାଜନୈତିକ ଅଭିସନ୍ଧି ନୁହେଁ, ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି।ମୋ’ ପରି ସବୁ ଭୁବନେଶ୍ୱରବାସୀଙ୍କର ପଚାରିବାର ଅଧିକାର ଅଛି। ଏହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ।
ସେ କହିଛନ୍ତି-“ଆଜି ମୁଁ ଭୁବନେଶ୍ୱରରେ ବହୁ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ଦେଖିଛି। ସେମାନଙ୍କ ଶୋଇବା ଘରେ ଓ ରୋଷେଇ ଘରେ ପଶିଛି ନର୍ଦ୍ଦମା ପାଣି। ସେମାନେ ରୋଷେଇ କରି ଖାଇପାରି ନାହାନ୍ତି। ଲୋକମାନେ ବହୁ ଅସୁବିଧାରେ ରହିଛନ୍ତି। ନର୍ଦ୍ଦମା ପାଣି ଉଛୁଳି ରାସ୍ତାରେ ପ୍ରବାହିତ ହେଉଛି। କୌଣସି ନର୍ଦ୍ଦମାରେ ପାଣି ଯାଇପାରୁ ନାହିଁ। କାରଣ ଡ୍ରେନେଜ ବ୍ୟବସ୍ଥା ଠିକ୍ ଭାବେ ତିଆରି ହୋଇନାହିଁ। ଯେଉଁଥିପାଇଁ ଘରେ ନର୍ଦ୍ଦମା ପାଣି ପଶୁଛି। ଏପରି ସମୟରେ ଶାସକ ଦଳର ନେତା ଓ ପ୍ରଶାସକମାନେ ଲୋକଙ୍କ ପାଖରେ ଠିଆ ହେବା କଥା। ମାତ୍ର ସେମାନଙ୍କର ଦେଖାନାହିଁ। ଲୋକଙ୍କ ଘରେ କାହିଁକି ପାଣି ପଶିଲା? ଏହାର ଉତ୍ତର ସରକାର ଦିଅନ୍ତୁ। ବର୍ତ୍ତମାନ ଆରୋପ ଓ ପ୍ରତ୍ୟାରୋପ କରିବାର ସମୟ ନୁହେଁ। ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ଲୋକଙ୍କର ସମସ୍ୟା ସମାଧାନ କରାଯାଉ।”