ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୭୨୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୯୦ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ପଜିଟିଭ ରହିଛନ୍ତି ।

ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ଆଜି(ମଙ୍ଗଳବାର) ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ପର୍ଯ୍ୟାୟ କ୍ରମେ ଏ ସବୁ ଗେଟ୍ ଖୋଲିବ । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି ।

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଜିଲ୍ଲା ଏବଂ ବିଭିନ୍ନ ଗାଁ ଗଣ୍ଡାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଅବସ୍ଥା ସଙ୍ଗୀନ ହୋଇପଡିଛି। କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଗାଁ ଭିତରେ ପାଣି ପଶିଲାଣି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଘରର କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଦେଇ ପ୍ରବାହିତ ପିଲା ସାଲକୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ଖଣ୍ଡିସାହିଠାରେ ଥିବା ଡ୍ୟାମ୍ ଉପରେ ମଙ୍ଗଳବାର ମଧ୍ୟ ୨/୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଡାକ ପାଲା, ଦାମିଙ୍ଗା ଆଦି ୨ଟି ଓ୍ବାର୍ଡ ଲୋକେ ଦୁଇ ଦିନ ହେଲା ବିଚ୍ଛିନ୍ନ ହୋଇଯାଇଛନ୍ତି ।

ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ଅଧିକ ବର୍ଷା ହେଲେ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଆବଶ୍ୟକସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି ଜିଲ୍ଲାପାଳ । ଜଳବନ୍ଦୀ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି । ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାର ଶୀଘ୍ର ମରାମତି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ରାଉରକେଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ୫୮୦.୮୨ କୋଟି ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

ଲଗାଣ ବର୍ଷାରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶ ପୀଠର ଅବସ୍ଥା ବେହାଲ ହୋଇପଡିଛି । ପୀଠର ଉପରିଭାଗରୁ ବର୍ଷା ପାଣି ମାଡ଼ି ଆସି ମନ୍ଦିର ବେଢା ଜଳମଗ୍ନ ହୋଇଯାଇଛି । ପାହାଚ ରାସ୍ତା ଓ ବାରବାଙ୍କ ରାସ୍ତାରେ ମାଡିଚାଲିଛି ବର୍ଷା ପାଣିର ସୁଅ । ଫଳରେ ଠାକୁରଙ୍କର ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି ।  

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୨ ଲକ୍ଷ ୮୯ ହଜାର ୫୭୯ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୩ ହଜାର ୨୧୩ରେ ପହଞ୍ଚିଛି। ଏବେ ଦେଶରେ ୩୬୨୨୦୭ ସକ୍ରିୟ ମାମଲା ରହିଥିବା ବେଳେ ୩୨୪୮୪୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଅପରାହ୍ନ ୩ ଟା ୪୫ ରେ ରାଷ୍ଟ୍ରପତି ଭବନ ଅଡିଟୋରିୟମରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବାର ଅଛି ।

 ସାରା ଦେଶରେ ଏପର୍ଯ୍ୟନ୍ତ ପାଖାପାଖି ୭୫ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି । ସୂଚନାନୁଯାୟୀ, ଆଇସିଏମଆର-ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଭୁବନେଶ୍ୱର) ଜାଣିବାକୁ ମିଳିଛି, ଯେ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଦୁଇ ତିନି ମାସ ପରେ କମିବାରେ ଲାଗିଛି ଆଣ୍ଟିବଡି ସ୍ତର । ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ର ମୋଟ ୬୧୪ ଅଂଶଗ୍ରହଣକାରୀଙ୍କ ସହ ଏକ ରିସର୍ଚ୍ଚ କରାଯାଇଥିଲା । ଆମେ ତାଙ୍କଠାରେ ଆଣ୍ଟିବଡି କ୍ରିଏଟ ହୋଇଥିଲା ।ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଯେ, ସେମାନଙ୍କ ଠାରେ କମୁଛି ରୋଗପ୍ରତିରୋଧକ ଶକ୍ତି । ଅଧ୍ୟୟନରୁ, ଜଣାପଡିଛି ଯେ, ଯେଉଁମାନେ ଦୁଇ ମାସ ପରେ କୋଭାକ୍ସିନର ଉଭୟ ଡୋଜ୍ ଟିକା ନେଇଥିଲେ, ହେଲେ ସେମାନଙ୍କଠାରେ ଆଣ୍ଟିବଡି କମିଥିଲା

ଇପିପିଏଫ ଖାତାଧାରୀଙ୍କ ପାଇଁ ଅସ୍ବସ୍ତିକର ଖବର । ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ବଢାଇ ଦିଆଯାଇଛି । ଏଣିକି କିଛି କର୍ମଚାରୀ ପିଏଫ ଖାତାର ୟୁଏଏନକୁ ୩୧ ଡିସେମ୍ବର ଯାଏଁ ଆଧାର ନମ୍ବର ସହ ଲିଙ୍କ କରିପାରିବେ । ସେହିପରି ବାକି କିଛି କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଡେଡ ଲାଇନ ରଖାଯାଇଛି ଏହି ସମୟ ମଧ୍ୟରେ ୟୁଏଏନ ସହ ଆଧାର ଲିଙ୍କ କରିବାକୁ ହେବ ।ଇପିଏଫଓ ମେମ୍ବରଙ୍କ ପାଇଁ ଇପିଏଫ ଆକାଉଣ୍ଟକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି ।

ସୋମବାର ଅପରାହ୍ନରେ ଲୋକପ୍ରିୟ ମାଲାୟାଲମ୍ ଅଭିନେତା ରିଜାବାୱଙ୍କର ଦେହାନ୍ତ ହୋଇଛି। ସେ ୫୫ ବର୍ଷ ବୟସରେ କୋଚିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସମୟରୁ ଅସୁସ୍ଥ ଥିଲେ ଏବଂ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଆମେରିକା ଗସ୍ତ ରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। କରୋନା ସଂକ୍ରମଣ ପାଇଁ ସବୁ ବୈଠକ ଭର୍ଚୁଆଲ ମୋଡରେ ହେଉଥିବା ବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ  ଯୋଗ ଦେବେ।

ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଯେ, ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ଆଫଗାନିସ୍ତାନବାସୀଙ୍କୁ ଆର୍ଥିକ ସହାୟତା ଦେବ ଆମେରିକା । ‘ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାର (ପ୍ରାୟ 470 କୋଟି) ମାନବିକ ସହାୟତା ଯୋଗାଇବାକୁ ଆମେରିକା ପ୍ରସ୍ତୁତ ଅଛି ବୋଲି ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନର ଅବସ୍ଥା ଖରାପ ରହିଛି । ଏଭଳି ପରିସ୍ଥିତିରେ ଆମେରିକା ୬୪ ମିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି । ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଆମେ ଅନୁରୋଧ କରୁଛୁ । ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ ନ୍ୟୁଜିଲ୍ୟାଣ୍ଡ, ଚୀନ୍, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଆଫଗାନିସ୍ତାନରେ ତାଲିବାନ ଦଖଲ କରିବାର ମାସେ ପରେ ସେଠାରେ ଜୀବନ ଦୁର୍ବିସହ ହେବାରେ ଲାଗିଲାଣି । କାରଣ ରୋଜଗାରର ଯାହା କିଛି ଥିଲା ସବୁକିଛି ସରିଆସିଲାଣି । ଫଳରେ ଲୋକେ ରାଜରାସ୍ତାକୁ ଆସିଲେଣି । ପରିବାର ଚଳାଇବା ଏବଂ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ରାସ୍ତାରେ ଘରୋଇ ଜିନିଷ ବିକ୍ରୟ କରିବାକୁ ବାଧ୍ୟ ହେଲେଣି । ପେଟକୁ ଦାନା ମୁଠାଏ ପାଇଁ ରାସ୍ତାରେ ବିକି ଦେଉଛନ୍ତି ଶଯ୍ୟା, ଗଦା, ତକିଆ, ଫ୍ରିଜ୍, ଟିଭି, ୱାଶିଂ ମେସିନ୍, ଏସି, କୁଲର୍ ଏବଂ ରୋଷେଇ ସାମଗ୍ରୀ ସହିତ ଦୈନିଦୀନ ଜିିନିଷ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦ ଜଣ ଷ୍ଟାର ପ୍ରଚାରକ ଙ୍କୁ ନେଇ ପିପିଲି ଉପ-ନିର୍ବାଚନ ମୈଦାନରେ ବିଜେପି...

Tue Sep 14 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୧୪/୦୯:ଭାରତୀୟ ଜନତା ପାର୍ଟି, ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ୨୦ ଜଣ ହେଭିୱେଟ୍‌ ନେତାଙ୍କୁ ନେଇ ପିପିଲି ରଣକ୍ଷେତ୍ରକୁ ଓଲ୍ହାଇବ ବିଜେପି। ବିଶେଷ କରି ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ।ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ପ୍ରଚାରକ ଲିଷ୍ଟରେ ସାମିଲ୍‌ ହୋଇଛନ୍ତି […]

You May Like

Pin It on Pinterest