ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୨କୁ ବୃଦ୍ଧି ପାଇଛି ।   ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୯୬ ଜଣ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୮୯୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୪୮୪୫ଜଣ ସୁସ୍ଥ ହୋଇଛନ୍ତି ।

ଲାଗାତାର ଭାବେ ତହସିଲ୍ ଅଫିସ୍ ରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହାକୁ ସିଲ୍ କରିଦିଆଯାଇଛି । ଏହାସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ୍ ହୋଇଛି । ଏଠାରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ପଦକ୍ଷେପ ନିଆଯାଇଛି ।ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅଫିସକୁ ସିଲ୍ କରିଛି ବିଏମ୍‌ସି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ ।

ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି । ଆଜି (ଶୁକ୍ରବାର) ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି।

ମୁଣ୍ଡଳୀ ନିକଟରେ ବଢିଛି ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ସେପଟେ ନରାଜ ନିକଟରେ କାଠଯୋଡିର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ନରାଜରେ ସେକେଣ୍ଡ ପ୍ରତି ୨ ଲକ୍ଷ ୯୫ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । 

ଆଜି (ଶୁକ୍ରବାର) ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ।  ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ । ସଙ୍ଘ ଅଭିଯୋଗ କରିଛି ଯେ, ହେମଗିରୀ ବ୍ଳକ ଅଞ୍ଚଳରେ ଥିବା  ମହାନଦୀ କୋଲ ଫିଲ୍ଡ  ଲିମଟେଡ଼ ଖଣିରୁ କୋଇଲା ପରିବହନରେ ଟ୍ରକ ମାଲିକମାନଙ୍କୁ  ପରିବହନ  ସଂସ୍ଥା ସରକାରୀ ଧାର୍ଯ୍ୟ କରିଥିବା ଭଢ଼ା ଦେଉ ନାହାଁନ୍ତି। ସେହିପରି କୋଇଲା ପରିବହନ କରୁଥିବା ଟ୍ରକକୁ ଦିଆଯାଉଥିବା  ଚାଲାଣରେ ଦର ଉଲ୍ଲେଖ କରାଯାଉନଥିବା, କୋଇଲା ଲୋଡ଼ ପାଇଁ ଟ୍ରକ ମାନଙ୍କୁ ଟୋକନ ଠିକ ସେ ମିଳୁନଥିବା ଓ  ଟୋଲ ଗେଟ୍ ପଇସା ଟ୍ରକ ମାଲିକ ହାତରୁ ଦେଇଥିବା ସଙ୍ଘ ଅଭିଯୋଗ କରିଛି ।

ଆସନ୍ତା ୧୮ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୦/୨୧ ଯାଏଁ ବର୍ଷା କରାଇବ । ଅଧିକ ବର୍ଷା ହେବ ଉତ୍ତର ଓଡ଼ିଶାରେ । ଏବେ ଯାଇଥିବା ଲଘୁଚାପ ବର୍ଷାଠାରୁ ସମ୍ଭାବ୍ୟ ବର୍ଷା ପରିମାଣ କମ୍‌ ରହିବ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪,୪୦୩ କରୋନା ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୨୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୩,୮୧,୭୨୮ ଓ ମୃତ୍ୟୁସଂଖ୍ୟା ୪,୪୪,୨୪୮ରେ ପହଞ୍ଚିଛି।ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୫୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୫,୯୮,୪୨୪ରେ ପହଞ୍ଚିଛି।

 ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜି ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ସୋଶିଆଲ୍ ମିଡିଆରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କ ଛବି ରହିଛି। ଇଂରାଜୀରେ ‘ହାପି ବାର୍ଥଡେ’ ମୋଦିଜୀ’ ଲେଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଟ୍ୱିଟ୍ କରି ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ଲେଖିଛନ୍ତି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ସେ ସୁସ୍ଥ ରୁହନ୍ତି ଓ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶସେବାରେ ଲିପ୍ତ ରୁହନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱରେ ପାଇଥିବା ଉପହାରଗୁଡ଼ିକ ନିଲାମ କରାଯାଇଥାଏ । ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାର ଏବଂ ସ୍ମୃତିର ଏକ ଇ-ନିଲାମର ଆୟୋଜନ କରିବେ ।ଇ-ନିଲାମରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ମିଶନକୁ ଦିଆଯିବ । ଏହି ସ୍ମାରକପତ୍ରରେ ପଦକ ବିଜେତା ଅଲିମ୍ପିଆନ୍ ଏବଂ ପାରାଲିମ୍ପିଆନ୍, ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି, ଚାରଧାମ, ରୁଦ୍ରକ ସମ୍ମିଳନୀ କେନ୍ଦ୍ର, ମଡେଲ୍, ମୂର୍ତ୍ତି, ଚିତ୍ର, ଅଙ୍ଗଭ୍ରଷ୍ଟ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଆଜିଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 18 , 2021
 ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୯୬୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୭୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୫୫୬୪ଜଣ ସୁସ୍ଥ ହୋଇଛନ୍ତି ।   ଉପରମୁଣ୍ଡରୁ […]

You May Like

Pin It on Pinterest