
ସୁବର୍ଣପୁର (ଶାନ୍ତନୁ ପଣ୍ଡା): ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା (ଦୁଷ୍କର୍ମ ) ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସହରର ଗୋକରନେଶ୍ୱର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭେନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ନିଶା ଫାଙ୍କିବା ପରେ ଯୁବତୀଙ୍କ ବୟାନକୁ ଆଧାର କରି ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ସହରର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଯୁବତୀ ଜଣକ ଜିଲ୍ଲାର ସୁବଲୟା ଅଂଚଳର ଓ ସେ ବିରମହରାଜପୁର ସ୍ୱଧାର ଗୃହରେ ଆଶ୍ରୟ ନେଇଥିବା ବେଳେ ଅନେକ ସମୟରେ ସେଠାରୁ ବାହାରି ଆସୁଥିବା ଜଣାପଡ଼ିଛି।ଯୁବତୀ ଜଣକ ସମ୍ବଲପୁର ଯାଉଥିବା ବେଳେ ଯୁବତୀଙ୍କୁ ବାଟରୁ ଫେରେଇ ଆଣି ନିଶାଶକ୍ତ କରି ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଅତ୍ୟଧିକ ନିଶା ହୋଇ ଯିବାରୁ ଯୁବତୀ ଜଣକ ଘରୁ ପଦାକୁ ବାହାରି ଆସି ହଙ୍ଗାମା କରିଥିଲେ।ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଯୁବତୀକୁ ଉଦ୍ଧାର କରିଥିଲେ।ଅଭିଯୁକ୍ତ ଦୁଇ ଯୁବକ ତା ସହିତ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।ପୋଲିସ ପ୍ରିଭେନସନ ଅଫ ଇମମୋରାଲ ଟ୍ରାଫିକିଂ ଆକ୍ଟ ଓ ଭାରତୀୟ ପିଙ୍ଗଳ ଆଇନ 370(2) ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଦୁଇ ଜଣ ସହରର ସ୍ବେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ ବିଭାଗର ଜଣେ ଯନ୍ତ୍ରୀ ଶଶୀକାନ୍ତ ସେଠୀ ବୋଲି ପୋଲିସ ସୂଚନା ଦେଇଛି।