ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ‘କ୍ରେଡାଇ ଭୁବନେଶ୍ୱର ହୋମ୍ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍ ଫେୟାର’ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଟ୍ରେଡ୍ ଫେୟାରକୁ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ରିୟଲ-ଇଷ୍ଟେଟ୍ ଡେଭଲପର୍ସ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶିତ କରୁଥିବାବେଳେ ଏ ସମ୍ବନ୍ଧିତ ବିଭିନ୍ନ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ୍ ପ୍ରମୁଖ ଭାଗ ନେଇଛନ୍ତି।
ଚଳିତବର୍ଷ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍ ଫେୟାରକୁ ୟୁସିସିଆଇ ସହଯୋଗିତାରେ ଆୟୋଜନ କରାଯାଉଥିବାବେଳେ ସହଯୋଗୀ ଦେଶଭାବେ ବାଂଲାଦେଶ ଓ ଥାଇଲାଣ୍ଡ, ଫୋକସ୍ ରାଷ୍ଟ୍ର ଭାବେ ଆଫଗାନିସ୍ତାନ ଏବଂ ତୁର୍କୀ ରହିଛନ୍ତି। ଓଡ଼ିଶା ଏଥର ଆୟୋଜକ ରାଜ୍ୟ ହୋଇଥିବାବେଳେ କର୍ନାଟକ ଓ ପଶ୍ଚିମବଙ୍ଗ ସହଯୋଗୀ ରାଜ୍ୟ ଏବଂ ତାମିଲନାଡ଼ୁ ଓ ମହାରାଷ୍ଟ୍ର ଫୋକସ୍ ରାଜ୍ୟ ରହିଛନ୍ତି। ମୋଟ ୫୦୦ ଷ୍ଟଲ୍ରେ ୭ ଦେଶ ଓ ଭାରତର ୧୦ ରାଜ୍ୟ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ, ଦୁବାଇ, ମାଲେସିଆ, ଭାରତ ଏବଂ ଥାଇଲାଣ୍ଡ ଭଳି ଦେଶ ଏଥର ଫେୟାରରେ ଯୋଗ ଦେଇଛନ୍ତି। ସେହିଭଳି କର୍ନାଟକ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଆଦି ରାଜ୍ୟର କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି। ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଦ୍ରବ୍ୟ ଏଠାରେ ମିଳୁଛି।

ଚଳିତବର୍ଷ ଟ୍ରେଡ୍ ଫେୟାରରେ ସୁଲଭ ହାଉସିଂ ଏବଂ ରେଡି ଟୁ ମୁଭ୍ ପ୍ରକଳ୍ପ ପ୍ରଦର୍ଶନ ହେଉଥିବା କ୍ରେଡାଇ ଭୁବନେଶ୍ୱର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ନାଲ୍କୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ୟୁସିସିଆଇ ସଭାପତି ରମେଶ ମହାପାତ୍ର, ଆୟୋଜନ କମିଟି ଅଧ୍ୟକ୍ଷ ପ୍ରକାଶ ଶାହା, ଜିଏସ୍ ମାର୍କେଟିଂ ଆସୋସିଏଟସ୍ ସିଇଓ ସୁପର୍ଣ୍ଣା ଦତ୍ତ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଟ୍ରେଡ୍ ଫେୟାର ଖୋଲା ରହୁଥିବାବେଳେ ପ୍ରବେଶ ଶୁଳ୍କ ୨୦ଟଙ୍କା ରହିଛି।



