ଆଜିର ଖାସ୍ ଖବର….

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୮ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୦୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୭୪୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୩୮୩୩ଜଣ ସୁସ୍ଥ ହୋଇଛନ୍ତି । 

ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟ ହାଇୱେରେ ଏକ ଏଲ୍‌ପିଜି ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଛି। ରାସ୍ତା ଉପରେ ଟ୍ରକଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗାନ୍ଧି ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୀ ବେଳାଭୂମିର ବାଲିରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଗାନ୍ଧି ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମାନସ ସାହୁ । 

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ସିଟ୍ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଖାଲିଥିବା ସିଟ୍ ସମ୍ବନ୍ଧରେ ଅକ୍ଟୋବର ୪ରୁ ୬ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବ । ୮ ତାରିଖ ଅପରାହ୍ନ ୫ଟାରେ ଖାଲି ଥିବା ସିଟ୍ ର ଚୂଡାନ୍ତ ତାଲିକା ସାମ୍ସ ୱେବସାଇଟ୍‌, ଶିକ୍ଷାନୁଷ୍ଠାନର ଇ-ସ୍ପେସ୍‌ରେ ତଥ୍ୟ ଦାଖଲ ସହ ଶିକ୍ଷାନୁଷ୍ଠାନ ନୋଟିସ୍ ବୋର୍ଡରେ ତଥ୍ୟ ପ୍ରଦର୍ଶିତ ହେବ । 

ଗାନ୍ଧୀ ଜୟନ୍ତୀ ଅବସରରେ ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନେକ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ରେଢାଖୋଲକୁ ଟ୍ରେନ୍ ଯୋଗେ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବେ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪୩୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୭ ଲକ୍ଷ ୯୧ ହଜାର ୬୧ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୮ ହଜାର ୫୭୩ରେ ପହଞ୍ଚିଛି । ଏବେ ଦେଶରେ ୨୭୩୮୮୯ ସକ୍ରିୟ ମାମଲା ରହିଥିବା ବେଳେ ୩୩୦୬୮୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।

ଆଜି (ଶନିବାର) ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ। ୧୯୦୪ ଅକ୍ଟୋବର ୨ତାରିଖରେ ଉତ୍ତରପ୍ରଦେଶର ମୋଗଲସରାଇ ରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ।

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ସେହିଭଳି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ଜୟନ୍ତୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଜୀଙ୍କୁ ଶତ-ଶତ ପ୍ରଣାମ। ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।

 ଉତ୍ତରାଖଣ୍ଡର ବାଗେଶ୍ୱର ଠାରେ ଥିବା ସୁଉଚ୍ଚ ତ୍ରିଶୂଲ ପର୍ବତ ଉପରୁ ଚଢ଼ୁଥିବା ନୌସେନାର ଗୋଟିଏ ଟିମ୍‌ ହଠାତ୍‌ ବରଫ ସ୍ଖଳନର ସମ୍ମୁଖୀନ ହୋଇଛି। କିଛି କର୍ମଚାରୀ ବରଫ ଅତଡ଼ା ଧସିବା ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବେ ବେଳ ୫ ଜଣ ନିଖୋଜ ହୋଇ ଯାଇଛନ୍ତି। ନୌସେନାର ନିଖୋଜ ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜତ କରାଯାଇଛି। ତେବେ ଏଯାଏ ସେମାନଙ୍କର ପତ୍ତା ମିଳିନି।

ଭାରତରେ ଆଉ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ହ୍ୱାଟସଆପ୍‌ । ନୂଆ ଆଇଟି ଆକ୍ଟ ଅଧୀନରେ ଥିବା ନିୟମ ଅନୁଯାୟୀ ମେସେଜିଂ ଆପ୍‌ ହ୍ୱାଟସଆପ୍‌ ୨୦.୭ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି । ଏ ସମ୍ପର୍କରେ ହ୍ୱାଟସଆପ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କ୍ରମାଗତ ତୃତୀୟ ଦିନ ପାଇଁ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି । ବର୍ଦ୍ଧିତ ଦର ପରେ ଉଭୟ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପିଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୨.୧୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୦.୪୭ ଟଙ୍କା ହୋଇଛି।

ବିଶ୍ବବ୍ୟାପୀ ୨୩ କୋଟି ୫୦ ଲକ୍ଷ ୩୦ ହଜାର ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୮ ଲକ୍ଷ ୪ ହଜାର ୯୭୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ୧ କୋଟି ୮୪ ଲକ୍ଷ ୪୯ ହଜାର ୧୩୫ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୮୮ ହଜାର ୭୪୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

ବିଶ୍ବରେ କରୋନା ସଂକ୍ରମର ମାମଲା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସାପ୍ତାହିକ କୋଭିଡ-୧୯ ମାମଲାରେ ବଡ଼ ପରିବର୍ତ୍ତନ ଆସିଛି। ଏକ ସପ୍ତାହ ଭିତରେ ବିଶ୍ବସ୍ତରରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାଙ୍କୀ ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ମିଶିଲେ...

Sat Oct 2 , 2021
ବାସ୍ତବବ୍ୟୁରୋ:(ବାଙ୍କୀ)ପଂଚାୟତ ନିର୍ବାଚନକୁ ଆଖିରେ ରଖି ସବୁଦଳ ସଜବାଜ ଆରମ୍ଭ କରିସାରିଲେଣି ।ବୁଥ ସ୍ତରରୁ ଦଳର କର୍ମୀମାନଙ୍କୁ ନିଦରୁ ଉଠାଇବା ପାଇଁ ବିଜେଡି,ବିଜେପି ମଧ୍ୟରେ ଲାଗିଗଲାଣି ଛକାପଞ୍ଝା |ଏହି ପରିପେକ୍ଷୀରେ ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁଚିଆ ଗ୍ରାମପଞ୍ଚାୟତର ମା’ ବନଦୁର୍ଗାଙ୍କ ପୀଠରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଇଁଚିଆ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସର ଟାଣୁଆ କର୍ମୀ ଶଙ୍ଖ ଓ ହାତ ଛାଡି ଆପଣେଇଛନ୍ତି […]

You May Like

Pin It on Pinterest